ସମାଜର ସର୍ବାଙ୍ଗୀନ ବିକାଶ ହିଁ ତାଙ୍କର ମୁଖ୍ୟ ସିଦ୍ଧାନ୍ତ – ଡ଼.ଚିଦାତ୍ମିକା ଖଟୁଆ

ଆଜି ନିଜ ଉଦ୍ୟମରେ ସେ ବିଶ୍ୱ ଦରବାରରେ ଓଡିଶା ଓ ଏହାର ଜନଜାତି ସଂସ୍କୃତିକୁ କରିଛନ୍ତି ଶତଧନ୍ୟ l କେବଳ ସେତିକି ନୁହେଁ ଶିକ୍ଷା,ଶିକ୍ଷକ ଏବଂ ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ସେ ଗଢ଼ିଛନ୍ତି ଅନେକ ଅନୁଷ୍ଠାନ l ଏକାଧାରରେ ସେ ଜଣେ ମହିଳା ଉଦ୍ୟୋଗୀ, ଶିକ୍ଷାବିତ୍,ପ୍ରବକ୍ତା, ସମାଜସେବୀ ତଥା ପ୍ରଥମ ବିଶ୍ୱସ୍ତରୀୟ ଆଦିବାସୀ ସୁନ୍ଦରୀ ପ୍ରତିଯୋଗିତା (ଆଦିରାଣୀ)ର ପ୍ରତିଷ୍ଠାତ୍ରୀ ଏବଂ ଶୁଶ୍ରୁତା ଚିକିତ୍ସାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଡ଼.ଚିଦାତ୍ମିକା ଖଟୁଆ l

ବାଲେଶ୍ୱର ଜିଲ୍ଲାର ଏକ ସମ୍ଭ୍ରାନ୍ତ ଓ ଶୃଙ୍ଖଳିତ ପରିବାରରେ ଜନ୍ମିତା ଡ଼.ଚିଦାତ୍ମିକା ସମ୍ମାନଜନକ ପିଏଚଡି ଡିଗ୍ରୀ ହାସଲ କରିବା ସହିତ ଆମେରିକାରୁ ଏମଵିଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି l ଶିକ୍ଷା ସମାପ୍ତି ପରେ ୧୯୯୫ରେ ସେ ଦିଲ୍ଲୀସ୍ଥିତ ଯୋଜନା କମିଶନରେ କାର୍ଯ୍ୟରତ ଥିଲେ l ଏହାପରେ ଶ୍ରୀମତୀ ଖଟୁଆ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଓଡିଶା)ର ସହ ସଂଯୋଜକ ଏବଂ ଏହାର ଶିକ୍ଷା ଓ ବୈଷୟିକ ବିଭାଗରେ ବର୍ତ୍ତମାନ ଆବାହକ ପଦରେ କାର୍ଯ୍ୟରତ l ଶ୍ରୀମତୀ ଖଟୁଆ ଈଶ୍ୱର ବିଶ୍ଵାସୀ ଅଟନ୍ତି l “ତାଙ୍କ ମତରେ ସନାତନ ଧର୍ମ ମୁଁ ନୁହେଁ ଆମେ ଶବ୍ଦକୁ ବିଶ୍ୱାସ କରେ” l ନିଜର ଏହି ସକାରାତ୍ମକ ଚିନ୍ତାଧାରା ଯୋଗୁଁ ସେ ଆଜି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି l ଅନେକ କର୍ମ କୁଶଳୀ ଯୋଜନାକୁ ବିଭିନ୍ନ ମେଳା ଓ କାର୍ଯ୍ୟକ୍ରମ ମାଧ୍ୟମରେ ହାତକୁ ନେଇ ସେ ମହିଳାଙ୍କୁ କରିଛନ୍ତି ଆତ୍ମସ୍ୱାବଲମ୍ବୀ l ଯାହାର ଜ୍ୱଳନ୍ତ ଉଦାହରଣ ୨୦୨୨ରେ ଆୟୋଜିତ ଭାରତରେ ପ୍ରଥମଥର କେବଳ ମହିଳାଙ୍କ ଦ୍ୱାରା ଆୟୋଜିତ) “ବାଣିଜ୍ୟ ମେଳା” l କରୋନା ମହାମାରୀ ପରେ ସମସ୍ତଙ୍କୁ ଆର୍ଥିକ ସଶକ୍ତ କରିବା ପାଇଁ ଏହି ମେଳା ଏକ ସଞ୍ଜୀବନୀ ରୂପେ କାର୍ଯ୍ୟ କରିଥିଲା l କେବଳ ସେତିକି ନୁହେଁ ଆଦିବାସୀ ମହିଳାଙ୍କ ଚଳଣି,ସଂସ୍କୃତି ଏବଂ ପରିପାଟୀକୁ ହୃଦୟଙ୍ଗମ କରି ୨୦୦୮ରେ ଚିଦାତ୍ମିକା ଆରମ୍ଭ କରିଥିଲେ “ଆଦିରାଣୀ ସୁନ୍ଦରୀ ପ୍ରତିଯୋଗିତା” ଯାହା ଆଜି କେବଳ ଓଡିଶା ନୁହେଁ ବରଂ ବିଦେଶରେ ଏହା ଆଦୃତ ହେବା ସହ ପୁସ୍ତକରେ ମଧ୍ୟ ସ୍ଥାନ ପାଇଅଛି l

ତାଙ୍କ ମନସ୍ତତ୍ବରେ ଥାଏ ସମାଜର ପ୍ରତିଟି କ୍ଷେତ୍ରର ରୂପରେଖ l ତାହା ଶିକ୍ଷା,ସ୍ୱାସ୍ଥ୍ୟ ହେଉ ଅବା ଆର୍ଥିକ ସମାନତା l “ଅନ୍ୟ ମୁହଁରେ ଟିକେ ହସ ଫୁଟାଇ ପାରିଲେ ଆମ ଜୀବନ ସାର୍ଥକ ହୋଇପାରିବ” ଏହା ଡ଼.ଚିଦାତ୍ମିକାଙ୍କ ଏକାନ୍ତ ଦର୍ଶନ l ଓଡିଶା ଭଳି ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ତଥା କୋସମେଟିକ୍ ସର୍ଜରୀ ଭଳି ଆଧୁନିକ ଚିକିତ୍ସାକୁ ରାଜ୍ୟରେ ପରିଚୟ କରାଇବାରେ ଏହି ଦମ୍ପତିଙ୍କ ଅନେକ ଭୂମିକା ରହିଛି l ୨୦୦୬ରେ ସ୍ଥାପିତ ଶୁଶ୍ରୁତ ଚିକିତ୍ସାଳୟରେ ବିଭିନ୍ନ ସରକାରୀ ଯୋଜନା ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଇବା ଫଳରେ ଅନେକ ରୋଗୀ ଏହାଦ୍ୱାରା ଉପକୃତ ହେଉଛନ୍ତି l

ଶିଶୁଙ୍କ ନୈତିକ ଜାଗରଣ ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ ସଦା ଚେଷ୍ଟିତା ଶ୍ରୀମତୀ ଚିଦାତ୍ମିକା l ଶିକ୍ଷକ ଓ ଶିକ୍ଷାର ସମନ୍ୱିତ ବିକାଶ ପାଇଁ ୨୦୦୯ରୁ ଆଜି ପର୍ଯ୍ୟନ୍ତ ଆର୍ଯ୍ୟଭଟ୍ଟ ଟ୍ରଷ୍ଟ ମାଧ୍ୟମରେ ବହୁ ଗୁରୁଦାୟିତ୍ୱ ବହନ କରୁଛନ୍ତି l ନିଜର କର୍ତ୍ତବ୍ୟ ଓ ସମାଜ ଉପଯୋଗୀ କାର୍ଯ୍ୟ ପାଇଁ ଅନେକ ପୁରସ୍କାର ପାଇବା ସହିତ ବିଦେଶରୁ ସମ୍ମାନଜନକ ଡିଲିଟ୍ ଉପାଧି ହାସଲ କରିଛନ୍ତି ଡ଼.ଚିଦାତ୍ମିକା l ଏସବୁବାଦ୍ ସେ ଜଣେ ଆଦର୍ଶ ଗୃହିଣୀ ଏବଂ ଜନନୀ l ପରିବାରର ସହଯୋଗ, ଅନ୍ତଃପ୍ରେରଣା ଏବଂ ଈଶ୍ୱରଙ୍କ ଆଶିଷରେ ସେ ଆଜି ନିଜର କର୍ମପଥରେ ଆଗେଇ ଚାଲିଛନ୍ତି ଅବିରତ ଭାବରେ l

Leave a Reply

Your email address will not be published. Required fields are marked *