ପରିବେଶ ସୁରକ୍ଷାରେ ବ୍ରତୀ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ ପରିବେଶ ରତ୍ନ ସମ୍ମାନ ପ୍ରଦାନ

ଭୁବନେଶ୍ଵର: ଅଗ୍ରଣୀ ସାମାଜିକ ସଂଗଠନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଭବନେଶ୍ଵର ଜୟଦେବ ଭବନଠାରେ ଜଳବାୟୁ ପରିବର୍ତ୍ତନ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ଆଜିକା ଦିନରେ ବିଶ୍ଵବାସୀଙ୍କ ପାଇଁ ଏକ ଆହ୍ବାନ ଏବଂ ତାହାର ସଫଳ ମୁକାବିଲା କରିବାରେ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ଅନୁଷ୍ଠାନ ସଂସ୍ଥାମାନଙ୍କର ଗୁରୁଦାୟିତ୍ଵ ରହିଛି । ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଏଭଳି ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ରାଜ୍ୟ ଗୃହ, ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଏହି ସମସ୍ୟାର ନିରନ୍ତର ସମାଧାନ କରିବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ । ‘ମେକନ’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମା ବର୍ମା ଏହି ଅବସରରେ ଜଳବାୟୁ ପରିବର୍ତ୍ତନ ତଥା ପରିବେଶ ସୁରକ୍ଷା ପାଇଁ ତାଙ୍କର ସୁଚିନ୍ତିତ ମତାମତ ପ୍ରକଶ କରିଥିଲେ । ରାଜ୍ୟର ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଦେବୀଦତ୍ତ ବିଶ୍ଵାଳ ଜଳବାୟୁ ପରିବର୍ତ୍ତନର ବିଭନ୍ନ ଦିଗ ପ୍ରତି ଆଲୋକପାତ କରିବା ସହ ଏହାକୁ ମୁକାବିଲା କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ । ଜିନ୍ଦଲ କମ୍ପାନୀର ଅଧ୍ୟକ୍ଷ ଶ୍ରୀ ଅନୁପ କୁମାର ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏ ସମ୍ବନ୍ଧୀୟ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ସ୍ଵତନ୍ତ୍ର ଅତିଥି ଭାବେ ଟ୍ରଷ୍ଟି ଅକ୍ଷୟ କୁମାର ପାଣି, ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସଦସ୍ୟ ସମ୍ପାଦକ ଡଃ କେ. ମୁରୁଗେସାନ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷଙ୍କୁ ‘ପରିବେଶ ରତ୍ନ ସମ୍ମାନ-୨୦୨୪’ରେ ସମ୍ମାନିତ କରାଯାଇଥିଲା । ଏହି ଆଲୋଚନା ଚକ୍ରକୁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ବିପିନ ବିହାରୀ ମିଶ୍ର ଏବଂ ସମ୍ପାଦିକା ଡଃ ସୁକାନ୍ତି ମିଶ୍ର ପରିଚାଳନା କରିଥିଲେ । ଉପସ୍ଥାପକ ଭାବେ ସୁଚାରୁ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ ଡଃ ମୃତ୍ୟୁଞ୍ଜୟ ରଥ । ଆଲୋଚନା ଚକ୍ରକୁ ସାଫଲ୍ୟମଣ୍ଡିତ କରିଥିଲେ ଶ୍ରୀ ରବିନାରାୟଣ ରାଉତରାୟ, ମିଲନ କୁମାର ପ୍ରଧାନ, ବାଳକୃଷ୍ଣ ରାଉତ । ପରିଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଅନୁଷ୍ଠାନର ଟ୍ରଷ୍ଟି ଶ୍ରୀ ବିରଜା ମିଶ୍ର ।

Leave a Reply

Your email address will not be published. Required fields are marked *