ସାହିତ୍ୟ ଏକ ନିର୍ଦ୍ଧିଷ୍ଟ ରଜ୍ଜୁରେ ବନ୍ଧା ନୁହେଁ , ଏହା ଅପର୍ଯ୍ୟାପ୍ତ ଓ ସବୁ ବନ୍ଧନରୁ ଉର୍ଦ୍ଧ୍ଵରେ
ଗ୍ରାମୀଣ ପରିବେଶ,ଗାଁ ମାଟିର ମହକ,ପାଲା କୀର୍ତ୍ତନ ଓ ଗ୍ରାମ୍ୟ ସଭ୍ୟତା ତାଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଥିଲା । ପିଲାବେଳେ ମାମୁଁ ଘରେ ରହୁଥିବା ସମୟରେ ୫୦୦ଖଣ୍ଡ ଜହ୍ନମାମୁରୁ ଯେଉଁ କାହାଣୀ ପଢୁଥିଲେ ସେଥିରୁ ସାଉଟୁଥିଲେ ଅନେକ ଶବ୍ଦ । ସେହି ଯୁବ ଲେଖକ ହେଉଛନ୍ତି ଡ଼.ସୂର୍ଯ୍ୟସ୍ନାତ ତ୍ରିପାଠୀ । ଜଗତସିଂହପୁରର ମଧ୍ଯଶାସନରେ ଜନ୍ମିତ ଏହି ଯୁବ ଲେଖକଙ୍କ ପିଲାବେଳ ଖୁବ୍ ସୁନ୍ଦର ଥିଲା । ଆଇଆଇଟି ହାଇଦ୍ରାବାଦ ରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଥିବା ବେଳେ ବର୍ତ୍ତମାନ ଆଇଆଇଆଇଟି ସୁରଟରେ ଇଟିସି ବିଭାଗର ସହାୟକ ପ୍ରାଧ୍ୟାପକ ଅଛନ୍ତି ସୂର୍ଯ୍ୟସ୍ନାତ ।
ତେବେ ଆନୁଷ୍ଠାନିକ ଭାବେ ସୂର୍ଯ୍ୟସ୍ନାତଙ୍କ ଲେଖା ପ୍ରକାଶ ପାଇଥିଲା ରେଭେନ୍ସା ମହାବିଦ୍ୟାଳୟର ମୁଖପାତ୍ର “ସୂର୍ଯ୍ୟସ୍ନାତା”ରେ ମୁକ୍ତି ନାମକ ଗଳ୍ପ ମାଧ୍ୟମରେ । ଓଡ଼ିଆ ସାହିତ୍ୟ ଜଗତରେ ଚନ୍ଦ୍ରଶେଖର ରଥ,ସଚି ରାଉତରାୟ ପ୍ରମୁଖ ସାରସ୍ୱତ ସାଧକଙ୍କୁ ନିଜର ଆଦର୍ଶ ମଣନ୍ତି ସୂର୍ଯ୍ୟସ୍ନାତ । ଏହି ଯୁବ ଲେଖକଙ୍କ ମତରେ “ସାହିତ୍ୟ ହେଉଛି ସାର୍ବଜନୀନ । ପ୍ରତି ଘରେ ଘରେ ରହିଛି ସାହିତ୍ୟ । ସାହିତ୍ୟ କାହାରି ଡୋରିରେ ବନ୍ଧା ନାହିଁ । ଏହା ଅପର୍ଯ୍ୟାପ୍ତ ଓ ସବୁ ବନ୍ଧନରୁ ଉର୍ଦ୍ଧ୍ଵରେ । ଏଯାବତ୍ ୧୦ ଗୋଟି ଗଳ୍ପ ଓ କବିତା ସୂର୍ଯ୍ୟସ୍ନାତଙ୍କ ପ୍ରକାଶ ପାଇଅଛି।
ସୂର୍ଯ୍ୟସ୍ନାତଙ୍କ ଦ୍ଵାରା ରଚିତ କିଛି ପୁସ୍ତକ ଓ ପ୍ରାପ୍ତ ପୁରସ୍କାର ବିଷୟରେ ପଦେ-
ହଜାରେ ଜହ୍ନରେ ରାତି (ଟାଇମ୍ ପାସ ପବ୍ଲିକେସନ ୨୦୧୪)
ଏ ସମ୍ପର୍କ ବି ଏମିତି,ଗଙ୍ଗଶିଉଳିର ଗପ,ମାଟି ମାଟି ଆକାଶ ଆକାଶ,କନୁପ୍ରିୟା(ଅନୁବାଦ) ପ୍ରମୁଖ ରଚନା।
କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ଯୁବ ପୁରସ୍କାର
ସ୍ଵୟଂଶ୍ରୀ ସମ୍ମାନ -୨୦୧୭
ସୃଜନ ପୁରସ୍କାର,ଶ୍ରେଷ୍ଠ ପୁସ୍ତକ ବିକ୍ରୟ ପୁରସ୍କାର ( ଟାଇମ୍ ପାସ ପବ୍ଲିକେସନ),ଯୁବ କବି ସମ୍ମାନ (ଓଡିଶା ଭାଷା ଉତ୍ସବ) ଇତ୍ୟାଦି।
ଖୁବ୍ କମ୍ ସମୟରେ ସଫଳତା ହାସଲ କରିଥିବା ସୂର୍ଯ୍ୟସ୍ନାତ ଆଗାମୀ ପିଢ଼ି ଯେଉଁମାନେ ସାହିତ୍ୟ କ୍ଷେତ୍ରକୁ ଆସୁଛନ୍ତି ତାଙ୍କୁ ଜଣେ ବନ୍ଧୁ ଭାବରେ ଏହା ଦିଗଦର୍ଶନ ଦିଅନ୍ତି ଯେ ସାହିତ୍ୟ ଏକ ରାସ୍ତା ନୁହେଁ । ସାହିତ୍ୟ ସବୁଠୁ ଉର୍ଦ୍ଧ୍ବରେ । ନିଜ ରାସ୍ତା ନିଜ ପ୍ରତିଭା ବଳରେ ପ୍ରସ୍ତୁତ କରିବା ଆବଶ୍ୟକ।
ପ୍ରସ୍ତୁତି : ଦେବୀ ପ୍ରସାଦ ରଥ