ଏକ ଫୁଲ ଗଛ ପରି ସାହିତ୍ୟର ସୁରକ୍ଷା ଓ ଯତ୍ନ ନେବା ଆମ ସଭିଙ୍କ ଦାୟିତ୍ଵ – ଅମିୟ ବେଜ୍

ଜହ୍ନମାମୁଁ ତାଙ୍କ ପାଇଁ ସାଜିଥିଲା ପ୍ରଥମ ପ୍ରେରଣା କିଛି ଲେଖିବା ପାଇଁ। ନିଜର ଛାତ୍ର ସମୟରୁ ଯେତେେଳେ ଟିକେ ଅବକାଶ ମିଳୁଥିଲା ସେ ଚାଲିଯାଉଥିଲେ ସ୍କୁଲ ହତାକୁ ଲାଗିଥିବା ଜିଲ୍ଲା ଲାଇବ୍ରେରୀ ପାଖକୁ। ପୃଷ୍ଠା ପରେ ପୃଷ୍ଠା ଲେଉଟାଇ ପଢୁଥିଲେ ଅନବରତ ଭାବେ କାରଣ ତାଙ୍କ ମନରେ ଥିଲା ସାହିତ୍ୟ ପ୍ରତି ଅନେକ ରୁଚି।
ତେବେ ସେହି ଉଦୀୟମାନ ସାରସ୍ଵତ ସ୍ରଷ୍ଟା ଜଣଙ୍କ ହେଉଛନ୍ତି ଶ୍ରୀଯୁକ୍ତ ଅମିୟ ବେଜ୍। ମା ତାରିଣୀ ପୀଠ କେନ୍ଦୁଝର ଜିଲ୍ଲାରେ ଜନ୍ମିତ ଲେଖକ ଅମିୟ ପ୍ରଯୁକ୍ତିବିଦ୍ୟାରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ବର୍ତ୍ତମାନ ଖଡ଼ଗପୁରରେ କାର୍ଯ୍ୟରତ ଅଛନ୍ତି। ନିଜର ମୌଳିକ ଏବଂ ଅନନ୍ୟ ଗଳ୍ପ କୃତି ଯୋଗୁଁ ଆଜି ସେ ଘରେ ଘରେ ପରିଚିତ ଗାଳ୍ପିକ ଅମିୟ ବେଜ୍ ନାମରେ। ଲେଖକ ଅମିୟଙ୍କ ମତରେ “ମନ ତଳର ଲୁକ୍କାୟିତ କଥାକୁ ଶବ୍ଦ ଜରିଆରେ ଉଦଘାଟନ ଓ ଆବିଷ୍କାର କରିବା ହେଉଛି ଲେଖକର ଧର୍ମ। ଯାହାକୁ ସେ ଗଳ୍ପ ଦ୍ଵାରା ସମ୍ପନ୍ନ କରିଥାନ୍ତି”। ବର୍ତ୍ତମାନର ଜୀବନ ଧୀରେ ଧୀରେ ରହସ୍ୟ ଘେରରେ ଛନ୍ଦି ହୋଇଯାଉଛି। ଯହିଁରେ ଆଉ ପୂର୍ବ ପରି ସରଳତା ନାହିଁ। ତେଣୁ ଗଳ୍ପ ମାଧ୍ୟମରେ ମନର କଥାକୁ ଅତ୍ୟନ୍ତ ମଧୁର,ନିରଳସ ଏବଂ ସଂକ୍ଷିପ୍ତ କରି ପାଠକଙ୍କ ପାଖେ ବାଢ଼ିଥାନ୍ତି ଏହି ଲେଖକ ଜଣଙ୍କ।

ଗାଳ୍ପିକ ଅମିୟ ବେଜ୍ ଙ୍କ କିଛି କୃତି ଏବଂ ପୁରସ୍କାର ବିଷୟରେ-

କାଠ,ଚିହ୍ନ,ଏବଂ,ଫର୍ଦ୍ଦ,ଝର୍କା,ଟିପାଖାତା।

ଟାଇମପାସ୍ ସର୍ବାଧିକ ପୁସ୍ତକ ବିକ୍ରୟ ପୁରସ୍କାର,କଳିଙ୍ଗ ସାରସ୍ଵତ ସମ୍ମାନ ଇତ୍ୟାଦି ଅନେକ।

ଓଡ଼ିଆ କଥା ସାହିତ୍ୟରେ ବିଭୂତି ପଟ୍ଟନାୟକ,ପ୍ରତିଭା ରାୟଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ସମୟର ହିରଣ୍ମୟୀ ମିଶ୍ର ପ୍ରମୁଖଙ୍କ ଲେଖାରେ ବେଶ୍ ପ୍ରଭାବିତ ଗାଳ୍ପିକ ଅମିୟ । ଅପରପକ୍ଷେ ଭବିଷ୍ୟତରେ ଓଡିଆ ଭାଷା ସାହିତ୍ୟ କ୍ଷେତ୍ରକୁ ଆସୁଥିବା ନବାଗତଙ୍କୁ ଶ୍ରୀଯୁକ୍ତ ବେଜ୍ ଏହି ଉପଦେଶ ଦିଅନ୍ତି ଯେ “ଲେଖିବା ପୂର୍ବରୁ ପ୍ରଚୁର ପଢନ୍ତୁ। ଯାହା ପଢୁଛନ୍ତି ତାକୁ ନ ଲେଖି ଈଶ୍ୱର ପ୍ରଦତ୍ତ ନିଜର ଜ୍ଞାନ ଏବଂ ଅନୁଭବକୁ ସାଉଁଟି ତାକୁ ସାହିତ୍ୟରେ ରୂପାନ୍ତର କରନ୍ତୁ” । ଆଗାମୀ ଦିନରେ ଉପନ୍ୟାସ ଲେଖିବା ସହିତ ନିଜର ଏକ ପୁସ୍ତକ ପ୍ରକାଶନୀ ସଂସ୍ଥା କରିବାର ଇଚ୍ଛା ରଖିଛନ୍ତି ସାହିତ୍ୟିକ ଅମିୟ ବେଜ୍ ।

By : Debiprasad rath

Leave a Reply

Your email address will not be published. Required fields are marked *