ରାଜଧାନୀରୁ ଦୁଇଜଣ ନକଲି ପୋଲିସକୁ ଗିରଫ କରିଛି ଅସଲି ପୋଲିସ ; ରାତିରେ ନିଜକୁ ପୋଲିସର ପରିଚୟ ଦେଇ ଲୋକଙ୍କଠୁ କରୁଥିଲେ ଲୁଟ
ଭୁବନେଶ୍ୱର: ରାଜଧାନୀରୁ ଦୁଇଜଣ ନକଲି ପୋଲିସକୁ ଗିରଫ କରିଛି ଅସଲି ପୋଲିସ । ରାତିରେ ନିଜକୁ ପୋଲିସର ପରିଚୟ ଦେଇ ଲୋକଙ୍କୁ ଲୁଟୁଥିଲେ । ଗତ କିଛିଦିନ ତଳେ ଲିଙ୍ଗରାଜ ଅଞ୍ଚଳର ଜଣେ ଯୁବକକୁ ରାତିରେ ଅଟକାଇବା ସହ ନିଜକୁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ଼ର ପରିଚୟ ଦେଇ ତାଙ୍କ ଠାରୁ ୮ ହଜାର ଟଙ୍କା ନେଇଥିଲେ । ଏତେ ରାତିରେ କାହିଁକି ବୁଲୁଛ କହି, ଫାଇନ ଆକାରରେ ଟଙ୍କା ନେଇଥିବା ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ପୋଲିସ ତାର ତଦନ୍ତ ଆରମ୍ଭ କରିଥିଲା। ଗିରଫ ଦୁଇ ନକଲି ପୋଲିସ ହେଲେ ଜ୍ଞାନ ରଞ୍ଜନ ମହାନ୍ତି(୬୨) ଓ କାହ୍ନୁ ଚରଣ ସାହୁ(୫୮) । ତଦନ୍ତ ବେଳେ ଜଣା ପଡ଼ିଛି, ଜ୍ଞାନରଞ୍ଜନ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ । ଦୁଇ ବର୍ଷ ତଳେ ସେ କମିସନରେଟ ପୋଲିସ ଅଧୀନରୁ ଚାକିରୀରୁ ଅବସର ନେଇଥିଲେ । କାହ୍ନୁ ଚରଣ ତାକୁ ସାହାଯ୍ୟ କରୁଥିଲା । ଉଭୟ ସାଧା ପୋଷାକରେ ପୋଲିସର ପରିଚୟ ଦେଇ ବୁଲନ୍ତି ।
“ଗତ କିଛିଦିନ ତଳେ ଲିଙ୍ଗରାଜ ଥାନାରେ ଏକ ଲୁଟ ନେଇ ମାମଲା ରୁଜ୍ଜୁ ହୋଇଥିଲା । ଦୁଇଜଣ ବ୍ୟକ୍ତି ନିଜକୁ ପୋଲିସ ପରିଚୟ ଦେଇ ବିଳମ୍ବିତ ରାତିରେ ବୁଲୁଥିବା ଲୋକଙ୍କୁ ଫାଇନ କାଟୁଛନ୍ତି। ଏଭଳି ଅଭିଯୋଗ ପୋଲିସ ପାଇଁ ନୂଆ ହୋଇଥିବାରୁ ଆମେ ତଦନ୍ତ ଆରମ୍ଭ କରିଥିଲୁ । ଏହାପରେ ଲିଙ୍ଗରାଜ ଅଞ୍ଚଳରୁ ଆମେ ଉଭୟଙ୍କୁ ଗିରଫ କରିଛୁ । ଜ୍ଞାନ ରଞ୍ଜନ ପୂର୍ବରୁ ପୋଲିସ ଏ.ଏସ.ଆଇ ଭାବେ କାର୍ଯ୍ୟ କରୁଥିଲେ। ଉଭୟଙ୍କୁ ଗିରଫ ପରେ ଆମେ କୋର୍ଟ ଚାଲାଣ କରିଛୁ । ପୂର୍ବରୁ ଏଭଳି କେହି ଲୁଟର ଶିକାର ହୋଇଥିଲେ ପୋଲିସକୁ ଅବଗତ କରନ୍ତୁ,” କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ୍ । ଏଭଳି ତାରିକାରେ ଲୁଟ ବିଶେଷ କରି ବିହାର ତେଲେଙ୍ଗାନା ରାଜ୍ୟରେ ଦେଖିବାକୁ ମିଳିଥାଏ । ତେଣୁ ଅଭିଯୋଗ ପରେ ପୋଲିସ ଭାବିଥିଲା ବୋଧହୁଏ ରାଜ୍ୟ ବାହାର ଗ୍ୟାଙ୍ଗ ସକ୍ରିୟ ଅଛନ୍ତି । ତେଣୁ ପୋଲିସ ନିଜେ ସାଧା ପୋଶାକରେ ରାତିରେ ବୁଲିଥିଲା । ଲିଙ୍ଗରାଜ ଅଞ୍ଚଳରେ ସମାନ ଢଙ୍ଗରେ ଏହି ଦୁଇଜଣ ନକଲି ପୋଲିସ ବେଷରେ ଅସଲି ପୋଲିସକୁ ଅଟକାଇ ଟଙ୍କା ମାଗିଥିଲା । ପୂର୍ଵ ଯୋଜନା ଅନୁସାରେ ଉଭୟଙ୍କୁ ମାଡ଼ି ବସିଥିଲା ଲିଙ୍ଗରାଜ ଥାନା ପୋଲିସ ।
“ରେଡ଼ ଲାଇଟ ଅଞ୍ଚଳରୁ ଫେରୁଥିବା ଲୋକଙ୍କୁ ଏମାନେ ଟାର୍ଗେଟ କରନ୍ତି । ଯେଉଁମାନେ ସେହି ଅଞ୍ଚଳରୁ ବାହାରନ୍ତି ସେମାନଙ୍କୁ ଏମାନେ ଫଲୋ କରନ୍ତି । ପରେ ନିଛାଟିଆ ସ୍ଥାନ ଦେଖି ଅଟକାଇ ଫାଇନ କାଟନ୍ତି । ଯେହେତୁ ଜ୍ଞାନ କମିସନରେଟ ପୋଲିସ ଦିର୍ଘଦିନ ଧରି କାମ କରୁଥିଲା । ତେଣୁ ସେ ରାଜଧାନୀର ଗଳିକନ୍ଦି ବିଷୟରେ ଅବଗତ ଥିଲା । ଯାହାର ଫାଇଦା ଅବସରପରେ ନେବାକୁ ଚେଷ୍ଟା କରୁଥିଲା,” କହିଛନ୍ତି ତଦନ୍ତକାରୀ ଅଧିକାରୀ ।