ସୁବର୍ଣ୍ଣପୁର ଜିଲ୍ଲା ଏନ୍ଏଚ୍ ୫୭ରେ ମର୍ମନ୍ତୁଦ ଦୁର୍ଘଟଣା ; ୩ ଚାରା ବ୍ୟବସାୟୀ ମୃତ, ୬ ଆହତ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଏନ୍ଏଚ୍ ୫୭ର ବଡ଼ବାହାଲି ଛକରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଅଟୋ ଓ ବାଇକକୁ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ଚାରା ବ୍ୟବସାୟୀ ବୋଲି ଜଣାଯାଇଛି। ସେମାନଙ୍କର ପରିଚୟ ମିଳି ନାହିଁ।

ବଲାଙ୍ଗିର ରାଘବପାଲିରୁ ଚାରା ବ୍ୟବସାୟମାନେ ପ୍ରତିଦିନ ସୋନପୁରକୁ ଚାରା ବିକ୍ରି କରିବା ପାଇଁ ଆସିଥାନ୍ତି। ଆଜି ସକାଳେ ମଧ୍ୟ ୮ଜଣ ଚାରା ବ୍ୟବସାୟୀ ଏକ ଅଟୋରେ ଚାରା ବିକ୍ରି କରିବା ପାଇଁ ଆସିଥିଲେ। ବଡ଼ବାହାଲି ଛକରେ ଅଟୋ ରଖି ଏକ ବାଇକ୍ ଆରୋହୀଙ୍କ ସହ କଥା ହେଉଥିଲେ। ଏହି ସମୟରେ ସୋନପୁରରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ କାର୍ ଦ୍ରୁତଗତିରେ ଆସି ପ୍ରଥମେ ଅଟୋକୁ ଧକ୍କା ଦେଇଥିଲା। ପରେ ଅଟୋପାଖରେ ଠିଆ ହୋଇଥିବା ବାଇକ୍‌କୁ ଧକ୍କା ଦେଇଥିଲା।

ଅଟୋରେ ଥିବା ୮ଜଣ ଚାରା ବ୍ୟବସାୟୀଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ୫ ଜଣ ଗୁରୁତର ହୋଇଥିଲେ। ସେହିପରି ଜଣେ ବାଇକ୍‌ ଆରୋହୀ ମଧ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତେବେ ଦୁର୍ଘଟଣା ଘଟାଇଥିବା କାର୍‌ରେ କେତେ ଜଣ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। କାର୍‌ ଭିତରେ ଜଣେ ପୁଲିସ ଇନ୍ସପେକ୍ଟରଙ୍କ ଥ୍ରୀଷ୍ଟାର ଡ୍ରେସରେ ଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଛି।

Leave a Reply

Your email address will not be published. Required fields are marked *