ନୌସେନାରେ ସାମିଲ ହେଲା ପଞ୍ଚମ ଷ୍ଟେଲ୍ଥ ଫ୍ରିଗେଟ୍ କ୍ଷେପଣାସ୍ତ୍ର ଯୁଦ୍ଧ ପୋତ ‘ତାରାଗିରି’

ନୂଆଦିଲ୍ଲୀ: ଏମଡିଏଲ୍ ଦ୍ୱାରା ନିର୍ମିତ ପି୧୭ଏର ପଂଚମ ଷ୍ଟେଲ୍ଥ ଫ୍ରିଗେଟ୍ / ଯୁଦ୍ଧ ଜାହାଜକୁ ଆଜି ଏନଡିବ୍ଲ୍ୟୁଡବ୍ଲ୍ୟୁଏ (ପଶ୍ଚିମ କ୍ଷେତ୍ର)ର ଅଧ୍ୟକ୍ଷା ଚାରୁ ସିଂହ ଶୁଭାରମ୍ଭ କରିଛନ୍ତି। ଏହି ଯୁଦ୍ଧ ଜାହାଜକୁ ‘ତାରାଗିରି’ ଭାବେ ନାମିତ କରାଯାଇଛି। କେବଳ ବୈଷୟିକ ଔପଚାରିକତା ମାଧ୍ୟମରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଦିବଂଗତ ବ୍ରିଟେନ୍‌ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ପାଇଁ ଭାରତ ରବିବାର ରାଷ୍ଟ୍ରୀୟ ଶୋକ ପାଳନ କରୁଥିବାରୁ କୌଣସି ଉତ୍ସବ ପାଳନ କରାଯାଇ ନ ଥିଲା । ନୌସେନା ପାଇଁ ଏହା ଅତ୍ୟନ୍ତ ଜରୁରୀ ଥିବାରୁ ଆଉ କାଳବିଳମ୍ବ ନ କରି ଯୁଦ୍ଧପୋତକୁ ସମୁଦ୍ର ଜଳରାଶିରେ ଛଡ଼ାଯାଇଥିଲା ।

ତାରାଗିରିର ବାୟୁ ପ୍ରତିରକ୍ଷା କ୍ଷମତା ଅତ୍ୟନ୍ତ ଶକ୍ତିଶାଳୀ । ଏହା ଶତ୍ରୁ ପକ୍ଷର ଯେ କୌଣସି ବିମାନ କିମ୍ବା ଆଣ୍ଟିସିପ୍‌ କ୍ରୁଜ୍‌ ମିସାଇଲ୍‌କୁ ଜବାବ ଦେଇପାରିବ । ୩,୫୧୦ ଟନ୍‌ ଓଜନର ତାରାଗିରିର ଡିଜାଇନ୍‌ ନୌସେନାର ବ୍ୟୁରୋ ଅଫ୍‌ ନାଭାଲ ଡିଜାଇନ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ୧୪୯ ମିଟର ଲମ୍ବ ଓ ୧୭.୮ ମିଟର ଓସାରର ଏହି ଜାହାଜ ଦୁଇଟି ଗ୍ୟାସ୍‌ ଟର୍ବାଇନ୍‌ ଓ ଦୁଇଟି ମୁଖ୍ୟ ଡିଜେଲ୍‌ ଇଞ୍ଜିନ୍‌ର ସଂଯୋଜନରେ ପରିଚାଳିତ ହେବ । ଏହାର ଗତି ଘଣ୍ଟାପିଛା ପ୍ରାୟ ୫୨ କିଲୋମିଟର ।

ପଶ୍ଚିମ କ୍ଷେତ୍ରର ନୌସେନା କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାଇସ୍ ଆଡମିରାଲ୍ ଅଜେନ୍ଦ୍ର ବାହାଦୂର ସିଂହ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଥିଲେ। ଏହି ସମାରୋହରେ ଯୁଦ୍ଧ ଜାହାଜ ଉତ୍ପାଦନ ଏବଂ ଅଧିଗ୍ରହଣ ନିୟନ୍ତ୍ରକ ଭାଇସ୍ ଆଡମିରାଲ୍ କିରଣ ଦେଶମୁଖ ତଥା ଭାରତୀୟ ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରାଳୟର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ଭାଇସ୍ ଆଡମିରାଲ୍ ଅଜେନ୍ଦ୍ର ବାହାଦୂର ସିଂହ କହିଥିଲେ ଯେ, ଏହି ସମସ୍ତ ଯୁଦ୍ଧ ଜାହାଜ ନିର୍ମାଣ ଦେଶର ଆତ୍ମନିର୍ଭରତାର ଭାବନାକୁ ଶକ୍ତି ପ୍ରଦାନ କରିଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ‘ତାରାଗିରି’ ଯେତେବେଳେ ସମୁଦ୍ରର ନୀଳ ଜଳରାଶିରେ ବିଚରଣ କରିବା ଆରମ୍ଭ କରିବ, ସେତେବେଳେ ଭାରତୀୟ ନୌସେନାର ଶକ୍ତି ମଧ୍ୟ ବୃଦ୍ଧି ପାଇବ।

Leave a Reply

Your email address will not be published. Required fields are marked *