“ହେ ବାତ୍ୟା ତୋତେ ଓଡ଼ିଶା ଆସିବା ମନା”

“ହେ ବାତ୍ୟା ତୋତେ ଓଡ଼ିଶା ଆସିବା ମନା” | ସେଦିନ ମଧ୍ୟ ଥିଲା ଅକ୍ଟୋବର ୨୯ ଶୁକ୍ରବାର ୧୯୯୯ ମହାବାତ୍ୟାର ଦିନ। ଏବେବି ମନେପଡ଼ିଲେ ଲୋମ ଟାଙ୍କୁରି ଉଠେ।କେତେକୋଳ ଶୂନ୍ୟ କରିଛି ସେଦିନ ବାତ୍ୟା । କେତେ ଶିଶୁଙ୍କ ମୁଣ୍ଡରୁ ଛଡେଇନେଇଥିଲା ମା ବାପାଙ୍କ ହାତ । ବଦଳେଇଦେଇଥିଲା ଉପକୂଳ ଓଡ଼ିଶାର ନକ୍ସା । ଏହା ସୃଷ୍ଟି ହୋଇଥିଲା ବଙ୍ଗୋପ ସାଗରରେ । ଜଗତସିଂହପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା ଆଦି ଉପକୂଳ ଜିଲ୍ଲା ହୋଇଥିଲା ବିଶେଷ ପ୍ରଭାବିତ । ଏରସମା ବ୍ଲକ ସହିଥିଲା ସବୁଠାରୁ ବେଶୀକ୍ଷତି।ଲୋକଙ୍କ ମୁଣ୍ଡରୁ ଚାଳ ଉଡେଇନେଲା,ଅନେକ ଧନଜୀବନ ନଷ୍ଟ ହେଲା ଏହି ବାତ୍ୟାରେ । ସମ୍ପୂର୍ଣ୍ଣ ଓଡ଼ିଶା ଅନୁଭବ କରିଥିଲା ବାତ୍ୟାକୁ । ମହାବାତ୍ୟା ସାମାଜିକ ଏବଂ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିଲା ଓଡ଼ିଶାର । ଆଜି ମଧ୍ୟ ମହାବାତ୍ୟାର କଷ୍ଟରୁ ବହାରିପାରିନାହାନ୍ତି ଅନେକ ପରିବାର । ବାତ୍ୟା କହିଲେ ସେତେବେଳେ ଅନେକ ଲୋକଙ୍କ ପାଇଁ ଥିଲା କିଛି ସମୟ ପବନ ବର୍ଷା, ହେଲେ ମହାବାତ୍ୟା ବଦଳେଇଦେଲା ଲୋକଙ୍କ ଦୃଷ୍ଟିକୋଣ । ପ୍ରଥମଥର ପାଇଁ ଲୋକ ସାମ୍ନାକଲେ ଏଭଳି ଏକ ବାତ୍ୟାକୁ ଯାହାକୁ କେବେ କଳ୍ପନା ମଧ୍ୟ କରିନଥିଲେ।ସେଦିନ ସେ କାହାଣୀ ମନେପଡିଲେ ଲୋକେ କୁହନ୍ତି ସେଦିନ ଯାଇଛି ସତ ହେଲେ ଚିହ୍ନ ରହିଯାଇଛି । ସବୁଠାରୁ ବେଶୀ କ୍ଷତି ସହିଥିଲା ଏରସମାର କାଙ୍କଣ ଗାଁ , ଏ ଗାଁ ରେ ୩୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ। ଆଜି ୨୫ ବର୍ଷ ପରେ ମଧ୍ୟ ଲୋକଙ୍କ ମୁଣ୍ଡକୁ ଛାତ ମିଳିନି।ଆଜି ମଧ୍ୟ ଆଖିରୁ ସୁଖେନି ଲୁହ ଆତ୍ମୀୟଙ୍କ ସ୍ମୃତିରେ।ସେଦିନ ମହାବାତ୍ୟା ଉପକୂଳ ଓଡ଼ିଶା ପାଇଁ ଗୋଟେ କାଳ ଅଧ୍ୟାୟ ହୋଇ ରହିଗଲା। ସେଦିନକୁ ଦେଖିନଥିବା ଲୋକ ଆଜି ମଧ୍ୟ ଭୋଗନ୍ତି କାହାଣୀରେ ଆଉ ମନେମନେ କୁହନ୍ତି ” ହେ ବାତ୍ୟା ତୋତେ ଓଡ଼ିଶା ଆସିବା ମନା”। ହେଲେବି ପ୍ରତିବର୍ଷ ଓଡ଼ିଶା ଦେଖେ ଛୋଟବଡ ବାତ୍ୟା ହେଲେ ସମୟ ବଦଳିଛି ସଚେତନ ହୋଇଛନ୍ତି ଲୋକ । ଏବେ ଯଦି ପବନ ଝଙ୍କାଏ ଆସେ ମଧ୍ୟ ମହାବାତ୍ୟାକୁ ଦେଖିଥିବା ଲୋକ ସଜାଗ ହୁଅନ୍ତି ଛାତ ଖୋଜନ୍ତି । ସେହି ମହାବାତ୍ୟା ହିଁ ଓଡ଼ିଶାକୁ ଦେଖାଇଥିଲା ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାର ରାସ୍ତା । ଶୁଭାଙ୍ଗି ମଧୁସ୍ମିତା ବସ୍ତିଆ

Leave a Reply

Your email address will not be published. Required fields are marked *