‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭରେ ମିଳିଲା ୧୬.୭୩ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି, ଜାଣନ୍ତୁ କିଏ ସେ ଟପ୍-୧୫ ନିବେଶକ
ଭୁବନେଶ୍ୱର : ଓଡ଼ିଶାର ‘ନିବେଶକ ସମ୍ମିଳନୀ’ରେ ମୋହନ ମାଝୀ ସରକାରଙ୍କ ଦ୍ୱାରା ଧାର୍ଯ୍ୟଲକ୍ଷ୍ୟଠୁ ୩ଗୁଣ ଅଧିକ ଟଙ୍କାର ପୁଞ୍ଜିନିବେଶର ପ୍ରତିଶ୍ରୁତି ମିଳିଛି । ମେକ୍ ଇନ୍ ଓଡ଼ିଶାର ଚତୁର୍ଥ ସଂସ୍କରଣ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ ମାଧ୍ୟମରେ ରାଜ୍ୟରେ ରେକର୍ଡ ପରିମାଣର ପୁଞ୍ଜିନିବେଶ ହେବ । ମୋଟ୍ ୧୨.୮୯ଲକ୍ଷ କୋଟି ଟଙ୍କାର ୧୪୫ଟି ଏମଓୟୁ ସ୍ୱାକ୍ଷରିତ ହୋଇଥିବାବେଳେ ୩.୮୪ଲକ୍ଷ କୋଟି ଟଙ୍କାର ୪୪୮ଟି ପ୍ରକଳ୍ପ ପାଇଁ ନିବେଶକମାନେ ନିର୍ଦ୍ଧାରିତ ଫର୍ମରେ ନିଜର ଇଚ୍ଛା ବ୍ୟକ୍ତ କରିଛନ୍ତି । ଏହି ନିବେଶ ଦ୍ୱାରା ରାଜ୍ୟରେ ମୋଟ ୧୨.୮୮ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ । ଓଡ଼ିଶାରେ ନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିବା ଟପ୍ ୧୫ କମ୍ପାନୀଙ୍କ ଦ୍ୱାରା କେବଳ ୮ଲକ୍ଷ ୪୩ହଜାର ୯୯୪କୋଟି ଟଙ୍କା ନିବେଶ ହେବ ବୋଲି ଜଣାପଡ଼ିଛି ।
ଦୁଇଦିନିଆ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ତାଙ୍କର ଗ୍ୟାରେଣ୍ଟି-ମୋଦି ଗ୍ୟାରେଣ୍ଟି ଦେଇଛନ୍ତି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବା ଓ ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାକୁ ଗ୍ରୋଥ୍ ଇଞ୍ଜିନ କରିବା ପାଇଁ ପ୍ରଧାନମନ୍ତ୍ରୀ ସହଯୋଗ ଯୋଗାଇ ଆସୁଛନ୍ତି । ଦେଶର ଶ୍ରେଷ୍ଠ ୫ଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବା ପାଇଁ ଯେଉଁ ସଂକଳ୍ପ ରହିଛି ଓଡ଼ିଶା ତା’ର ନିକଟତର ହୋଇପାରିଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ସେ ଆହୁରି ଏହି କନକ୍ଲେଭ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଚଳିତ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ମୋଟ ୨୦ଟି କ୍ଷେତ୍ରରେ ୫୯୩ଟି ପ୍ରକଳ୍ପ ପାଇଁ ୧୬.୭୩ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ଯାହାଫଳରେ ରାଜ୍ୟରେ ୧୨.୮୮ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଓଡ଼ିଶାର ଶିଳ୍ପ କ୍ଷେତ୍ରରେ କାୟାକଳ୍ପ ପରିବର୍ତ୍ତନ କରିବା ସହ ବିଶ୍ୱସ୍ତରୀୟ ଶିଳ୍ପସଂସ୍ଥାମାନଙ୍କ ସହଭାଗିତାରେ ନୂଆ ଯୁଗ ଆରମ୍ଭ କରିବ ।ଏଥିରୁ ୧୨.୮୯ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ୧୪୫ଟି ରାଜିନାମା(ଏମଓୟୁ) ସ୍ୱାକ୍ଷରିତ ହୋଇଛି । କେମିକାଲସ, ପେଟ୍ରୋକେମିକାଲସ, ଟେକ୍ସଟାଇଲ, ମାଇନିଂ ଓ ମେଟାଲସ, ଅକ୍ଷୟଶକ୍ତି, ଆଇଟି, ପର୍ଯ୍ୟଟନ ଓ ଖାଦ୍ୟ ପ୍ରକ୍ରିୟାକରଣ ଭଳି ମୋଟ ୨୦ଟି କ୍ଷେତ୍ରରୁ ଏହି ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ।
ଏହାଦ୍ୱାରା ୮ଲକ୍ଷ ୯୪ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ରାଜ୍ୟର ସାମାଜିକ ଓ ଅର୍ଥନୀତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ରାଜ୍ୟରେ ସାମଗ୍ରିକ ଅଭିବୃଦ୍ଧି ହୋଇପାରିବ । ଏହି ଏମଓୟୁଗୁଡ଼ିକ ବ୍ୟତୀତ ୩.୮୪ଲକ୍ଷ କୋଟି ଟଙ୍କାର ୪୪୮ଟି ପ୍ରକଳ୍ପ ସ୍ଥାପନ ନିମନ୍ତେ ନିର୍ଦ୍ଧାରିତ ଫର୍ମରେ ନିବେଶକଙ୍କ ସମ୍ମତି ହାସଲ କରିଛୁ । ଏହା ରାଜ୍ୟରେ ୩.୯୨ଲକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ଆଣିଦେବ । ଏହି କନକ୍ଲେଭର ପାର୍ଟନର ଦେଶ ଭାବେ ସିଙ୍ଗାପୁର, ମାଲେସିଆ ଓ ଅଷ୍ଟ୍ରେଲିଆ ରହିଥିବାବେଳେ ମୋଟ ୧୬ଟି ରାଷ୍ଟ୍ରର ପ୍ରତିନିଧିମାନେ ଏହି କନକ୍ଲେଭରେ ସାମିଲ ହୋଇଥିଲେ । ଏହାଦ୍ୱାରା ବିଶ୍ୱ ମାନଚିତ୍ରରେ ଓଡ଼ିଶା ଏକ ଆକର୍ଷଣୀୟ ସ୍ଥାନ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ।
ଅନ୍ୟପକ୍ଷରେ ରାଜ୍ୟ ଶିଳ୍ପ ବିଭାଗର ତଥ୍ୟ ଅନୁସାରେ, ଦୁଇଦିନିଆ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯେଉଁ ୧୪୫ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି ସେଥିରେ ଶିଳ୍ପ କ୍ଷେତ୍ରରେ ୭.୮୫ଲକ୍ଷ କୋଟି ଟଙ୍କାର ୮୧ଟି ପ୍ରକଳ୍ପ , ଶକ୍ତି କ୍ଷେତ୍ରରେ ୪.୨୫ଲକ୍ଷ କୋଟି ଟଙ୍କାର ୨୫ଟି ପ୍ରକଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ୬୨୬୪୫କୋଟି ଟଙ୍କାର ୨ଟି ପ୍ରକଳ୍ପ, ବୟନ ଓ ହସ୍ତତନ୍ତ କ୍ଷେତ୍ରରେ ୭୦୦୨କୋଟି ଟଙ୍କାର ୧୧ଟି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ୪୭୫୦କୋଟି ଟଙ୍କାର ୨ଟି, ଇଆଣ୍ଡଆଇଟିରେ ୨୨୪୬କୋଟି ଟଙ୍କାର ୨ଟି, କୃଷି ଓ ଏମଏସଏମଇରେ ୧୭୪୨କୋଟି ଟଙ୍କାର ୨୧ଟି, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ୫୦୪କୋଟି ଟଙ୍କାର ଗୋଟିଏ ପ୍ରକଳ୍ପ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୮.୯୪ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଶିଳ୍ପ କ୍ଷେତ୍ରରେ ଯେଉଁ ୮୧ଟି ପ୍ରକଳ୍ପ ପାଇଁ ଏମଓୟୁ ହୋଇଛି ସେଥିରେ ମିନେରାଲସ, ମେଟାଲ ଓ ଡାଉନଷ୍ଟ୍ରିମ କ୍ଷେତ୍ରରେ ୬.୨୨ଲକ୍ଷ କୋଟି ଟଙ୍କାର ୪୮ଟି ପ୍ରକଳ୍ପ ସାମିଲ ଅଛି । କେମିକାଲ, ପେଟ୍ରୋକେମିକାଲ ଓ ପ୍ଲାଷ୍ଟିକରେ ୭୮୮୦୩କୋଟି ଟଙ୍କାର ୧୭ଟି ପ୍ରକଳ୍ପ, ୪୦ହଜାର କୋଟି ଟଙ୍କାର ଗୋଟିଏ ସିମେଂଟ ପ୍ରକଳ୍ପ, ୫୬୩୮କୋଟି ଟଙ୍କାର ଜାହାଜ ନିର୍ମାଣ ପ୍ରକଳ୍ପ, ୨୩୪୯କୋଟି ଟଙ୍କାର ଏରୋସ୍ପେସ୍ ଆଣ୍ଡ ଡିଫେନ୍ସ ପ୍ରକଳ୍ପ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି ।
ନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିବା ଟପ୍-୧୫ କମ୍ପାନୀ
୧- ଆଦାନୀ ଗ୍ରୁପ – ୨,୨୮,୦୦୦କୋଟି ଟଙ୍କା ଟଙ୍କା – ୧,୫୫,୦୦୦ଜଣଙ୍କୁ ନିଯୁକ୍ତି ସୁଯୋଗ
୨- ବେଦାନ୍ତ ଲିମିଟେଡ – ୧,୦୦,୦୦୦କୋଟି ଟଙ୍କା – ୧ଲକ୍ଷ ଜଣଙ୍କୁ ନିଯୁକ୍ତି ସୁଯୋଗ
୩- ଟାଟା ଗ୍ରୁପ୍ – ୮୭୯୪୪କୋଟି ଟଙ୍କା – ୨୨ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ
୪- ମହାନଦୀ କୋଲଫିଲଡସ – ୮୧୯୪୪କୋଟି ଟଙ୍କା – ୧ଲକ୍ଷ ୭ହଜାର ଜଣଙ୍କୁ ନିଯୁକ୍ତି ସୁଯୋଗ
୫- ଜେଏସଡବ୍ଲ୍ୟୁ ଗ୍ରୁପ- ୭୫ହଜାର କୋଟି ଟଙ୍କା- ୧୫୬୫୦ଜଣଙ୍କୁ ନିଯୁକ୍ତି
୬- ଏନଏଲସି- ୫୨ହଜାର କୋଟି ଟଙ୍କା- ୩୨୬୦୦ଜଣଙ୍କୁ ନିଯୁକ୍ତି
୭- ସେଲ୍ – ୫୦୮୦୦କୋଟି – ୧୧୫୦୦ଜଣଙ୍କୁ ନିଯୁକ୍ତି ସୁଯୋଗ
୮- ଏନଟିପିସି ଲିମିଟେଡ- ୩୬୧୩୧କୋଟି -୫୮୬୬ଜଣଙ୍କୁ ନିଯୁକ୍ତି ସୁଯୋଗ
୯- ନାଲକୋ – ୩୫୦୦୦କୋଟି -୫୨୦୦ଜଣଙ୍କୁ ନିଯୁକ୍ତି ସୁଯୋଗ
୧୦- ଜେଏସପିଏଲ- ୨୫୫୭୦କୋଟି ଟଙ୍କା – ୨୨୭୬୦ଜଣଙ୍କୁ ନିଯୁକ୍ତି ସୁଯୋଗ
୧୧- ଆଦିତ୍ୟ ବିର୍ଲା ଗ୍ରୁପ- ୧୯୦୧୭କୋଟି ଟଙ୍କା – ୩୯୯୫ଜଣଙ୍କୁ ନିଯୁକ୍ତି ସୁଯୋଗ
୧୨- ଜେଏସଏଲ୍ – ୧୫ହଜାର କୋଟି ଟଙ୍କା – ୪ହଜାର ଜଣଙ୍କୁ ନିଯୁକ୍ତି ସୁଯୋଗ
୧୩- ଓଏନଜିସି ତ୍ରିପୁରା ୧୪୫୦୦କୋଟି ଟଙ୍କା – ୨୪୬୫୦ଜଣଙ୍କୁ ନିଯୁକ୍ତି ସୁଯୋଗ
୧୪- ପାରାଦୀପ ପୋର୍ଟ ଅଥରିଟି – ୧୩୬୪୫କୋଟି ଟଙ୍କା – ୧୬୧୦୦ଜଣଙ୍କୁ ନିଯୁକ୍ତି ସୁଯୋଗ
୧୫- ଏନଏଚପିସି ଲିମିଟେଡ -୧୩୪୮୭କୋଟି ଟଙ୍କା- ୩ହଜାର ଜଣଙ୍କୁ ନିଯୁକ୍ତି ସୁଯୋଗ