ସାହିତ୍ୟ ଓ ସମାଜ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ : ଯୁବ ପ୍ରାବନ୍ଧିକା ସୁଚିତ୍ରା
ମା’ଙ୍କର ଇଚ୍ଛା ଥିଲା “ଝିଅ ମୋର ଓଡ଼ିଆ ଶିକ୍ଷୟିତ୍ରୀ ହେଉ” | ତେଣୁ ତାଙ୍କର ଏହି ସ୍ୱପ୍ନକୁ ସମ୍ମାନ ଜଣାଇ ସେ କରି ଚାଲିଲେ ସାହିତ୍ୟ ସାଧନା । ପିଲାଟିଦିନରୁ ବିଭିନ୍ନ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସାଉଁଟୁଥିଲେ ଅନେକ ପୁରସ୍କାର | ତେବେ ପ୍ରବନ୍ଧ ସାହିତ୍ୟରେ ରୁଚି ରଖୁଥିବା ଏହି ଯୁବ ପ୍ରାବନ୍ଧିକା ହେଉଛନ୍ତି ସୁଚିତ୍ରା ବେହେରା | ଭୁବନେଶ୍ୱରରେ ଜନ୍ମିତା ସୁଚିତ୍ରା ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରୁ ସମ୍ମାନର ସହିତ ଓଡ଼ିଆରେ ସ୍ନାତକ ଓ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି | ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଉଥିବା ପତ୍ରିକା “ଉତ୍କଳ ପ୍ରସଙ୍ଗ”ରେ ବର୍ତ୍ତମାନ ନିୟମିତ ଲେଖିକା ଥିବା ସୁଚିତ୍ରା ସ୍ନାତକ ସମୟରୁ ସମାଜ,ପ୍ରମେୟ ଭଳି ପତ୍ରପତ୍ରିକାରେ ନିଜର ଲେଖା ଛାପୁଥିଲେ | ଏହି ଲେଖିକା ଜଣକ ସମାଜର ସାମ୍ପ୍ରତିକ ସମସ୍ୟା ଉପରେ ଲେଖନୀ ଚାଳନା କରିଥାନ୍ତି | ତାଙ୍କ ପ୍ରବନ୍ଧରେ ଥାଏ କଳ୍ପନା କମ୍ ଓ ବାସ୍ତବତା ଅଧିକ।ଓଡ଼ିଆ ଭାଷା ସାହିତ୍ୟରେ ନାଟ୍ୟକାର ଗୋପାଳ ଛୋଟରାୟଙ୍କୁ ନିଜର ଆଦର୍ଶ ମାନନ୍ତି ସୁଚିତ୍ରା |
ଯୁବଲେଖିକା ସୁଚିତ୍ରା ବେହେରାଙ୍କ ରଚିତ ପୁସ୍ତକ ଓ କୃତି-
ପ୍ରବନ୍ଧ-ସୃଜନର ସୌଗନ୍ଧ(ପଶ୍ଚିମା ପବ୍ଲିକେସନ୍)
ଗଳ୍ପ-ସାଉଁଟା ସ୍ମୃତିର ସ୍ବପ୍ନ(ପଶ୍ଚିମା ପବ୍ଲିକେସନ୍)
ଉପନ୍ୟାସ-ସମର୍ପିତା ସ୍ବର୍ଣ୍ଣପ୍ରଭା
ପୁରସ୍କାର-କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ।
(ଶିଶୁପାଳଗଡ଼ ମହୋତ୍ସବ)
ସଂସାରର ଜଞ୍ଜାଳରୁ ଟିକେ ଆନ୍ଦନ ପାଇବା ପାଇଁ ସେ ଲେଖନ୍ତି ଗଳ୍ପ | ସମାଜର ଯେଉଁ ସମସ୍ୟାକୁ ସେ ନିଜେ ଅଙ୍ଗେ ଲିଭାଇଥାନ୍ତି ତାହାକୁ ପ୍ରବନ୍ଧ ମାଧ୍ୟମରେ ବାସ୍ତବତାର ରୂପ ଦେଇଥାନ୍ତି ଲେଖିକା ସୁଚିତ୍ରା | ତାଙ୍କ ମତରେ “ସାହିତ୍ୟ ଓ ସମାଜ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ”।ସାହିତ୍ୟ ନ ଥିଲେ ଆମେ ସମାଜର ତଥ୍ୟ ଓ ସମସ୍ୟା ବିଷୟରେ କୌଣସି ଅବଗତ ହୋଇପାରିନଥାନ୍ତେ | ସାହିତ୍ୟ ସମାଜର ବାସ୍ତବତାକୁ ପ୍ରକାଶ କରେ।ଆଗାମୀ ଦିନରେ ଆସୁଥିବା ଯୁବ ଲେଖକ ବନ୍ଧୁଙ୍କୁ ଲେଖିକା ସୁଚିତ୍ରା ଏହି ମତ ଦିଅନ୍ତି ଯେ “ପ୍ରଥମେ ଓଡ଼ିଆ ଭାଷାକୁ ଭଲ ପାଇବା ଦରକାର ଏବଂ ସାହିତ୍ୟର ଗଭୀରତମ ପ୍ରଦେଶକୁ ଯାଇ ସାହିତ୍ୟ ରଚନା କରିବା ଆବଶ୍ୟକ ” |
ଆଗାମୀ ଦିନରେ ସାହିତ୍ୟର ସବୁ ବିଭାଗକୁ ନେଇ ପୁସ୍ତକ ସଂକଳନ କରିବାର ଲକ୍ଷ୍ୟ ରଖିଛନ୍ତି ଏହି ଯୁବ ଲେଖିକା ଜଣକ |