ଲୋକଙ୍କ ପାଖରେ ପହଁଚିଲେ ହିଁ କଳା ତାର ପ୍ରକୃତ ଲକ୍ଷ୍ୟ ସାଧନ କରିଥାଏ : ଶିଳ୍ପୀ ପଞ୍ଚାନନ ସାମଲ

ତାଙ୍କ ଚିତ୍ରକଳା ଖୁବ୍ ଅନନ୍ୟ।ଯାହା ସମସ୍ତଙ୍କୁ କରେ ଆନମନା।କାରଣ ତହିଁରେ ଥାଏ ନିରାଶା ମଧ୍ୟରେ ଆଶାର ବାର୍ତା ଏବଂ ଆମ ସଂସ୍କୃତିର ପୁନର୍ଜିବୀତର ଆଶା।ସମାଜକୁ ନିଜ କଳା ମାଧ୍ୟମରେ ଏହିପରି ସକାରତ୍ମକ ବାର୍ତା ବାଣ୍ଟୁଥିବା ବିଶିଷ୍ଟ ଶିଳ୍ପୀ ହେଉଛନ୍ତି ଶ୍ରୀ ପଞ୍ଚାନନ ସାମଲ।ବର୍ତ୍ତମାନ ଶ୍ରୀଯୁକ୍ତ ସାମଲ ଓଡିଶା ଲଳିତକଳା ଏକାଡେମୀର ସଚିବ ରୂପେ କାର୍ଯ୍ୟରତ।

କଳା ହେଉଛି ଈଶ୍ୱର ପ୍ରଦତ୍ତ ବରଦାନ।ତୁଳସୀ ଦୁଇ ପତ୍ରରୁ ବସିବା ଭଳି ପିଲାଟିଦିନରୁ ଚକ୍ ଓ ଅଙ୍ଗାର ମାଧ୍ୟମରେ କାନ୍ଥରେ ଆଙ୍କୁଥିବା ଶିଳ୍ପୀ ପଞ୍ଚାନନ ନିଜର ରୁଚି ଓ ପିତା ତାରିଣୀକାନ୍ତ ସାମଲଙ୍କଠାରୁ ପ୍ରେରଣା ପାଇ ଗୋଟେ ପରେ ଗୋଟେ ସଫଳତାର ପାହାଚ ଅତିକ୍ରମ କରି ଚାଲିଲେ।ବାଲେଶ୍ଵରରେ ଜନ୍ମିତ ଏହି ବିଶିଷ୍ଟ ଶିଳ୍ପୀ ଜଣଙ୍କ ଇନ୍ଦିରା କଳା ସଙ୍ଗୀତ ବିଶ୍ୱବିଦ୍ୟାଳୟ ମଧ୍ୟପ୍ରଦେଶରୁ ଚିତ୍ରକଳାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।ଚିତ୍ରଶିଳ୍ପରେ ବିଶିଷ୍ଟ ଶିଳ୍ପୀକାର ଏମ୍.ଏଫ୍.ହୁସେନ ଏବଂ ଗଣେଶ ପାଇଁନଙ୍କୁ ନିଜର ଆଦର୍ଶ ମଣୁଥିବା ଶିଳ୍ପୀ ସାମଲ ନିଜର ଚିତ୍ରକଳାରେ ମଣିଷକୁ ଏକ ଷଣ୍ଢ ମାଧ୍ୟମରେ ପ୍ରତିପାଦିତ କରି ବର୍ତ୍ତମାନ ସମୟରେ ଦେଖାଯାଉଥିବା ସଂସ୍କୃତିର ଅବକ୍ଷୟକୁ ଖୁବ୍ ସୁନ୍ଦର ଭାବରେ ଦର୍ଶାଇଥାନ୍ତି।

ଶିଳ୍ପୀ ପଞ୍ଚାନନ ସାମଲଙ୍କ କିଛି କୃତି,ପ୍ରଦର୍ଶନୀ ଓ ଶିବିର ବିଷୟରେ କିଛି-

ଭାରତ କଳାରତ୍ନ ପୁରସ୍କାର-୨୦୧୯
ରୋଟାରୀ ଅନ୍ତର୍ଜାତୀୟ କଳା ପୁରସ୍କାର-୨୦୧୬
ଜୟଦେବ କଳା ସମ୍ମାନ-୨୦୧୫
କଳାମିତ୍ର ଫାଉଣ୍ଡେସନ୍ ପୁରସ୍କାର-୨୦୧୫
ଶିଳ୍ପୀ ପ୍ରଭୁଚରଣ ସ୍ମୃତି ସମ୍ମାନ-୨୦୧୫
ରଙ୍ଗମ ପୁରସ୍କାର-୨୦୧୪ ଓ ଦିଶା ସମ୍ମାନ-୨୦୧୪

ପ୍ରଦର୍ଶନୀ ଓ ଶିବିର-
ଅନ୍ତର୍ଜାତୀୟ କଳା ମେଳା- ନୂଆଦିଲ୍ଲୀ ୨୦୧୭
ଅନ୍ତର୍ଜାତୀୟ ପ୍ରଦର୍ଶନୀ-ନେପାଳ ୨୦୧୭
ନିର୍ବାଣ ଅନ୍ତର୍ଜାତୀୟ କଳା ପ୍ରଦର୍ଶନୀ-୨୦୧୮-୨୦
ଜାତୀୟ କଳା ପ୍ରଦର୍ଶନୀ-ରାଜସ୍ଥାନ ୨୦୧୮
“ଶ୍ରଦ୍ଧାଞ୍ଜଳି”-ରାଷ୍ଟ୍ରୀୟ ଲଳିତକଳା ଏକାଡେମୀ-୨୦୧୩-୧୪
“ତୁଳିକା”-ରାଜସ୍ଥାନ ୧୯୯୭
୯ମ ଓ ୧୦ମ ରାଷ୍ଟ୍ରୀୟ କଳାମେଳା-୧୯୯୬-୯୭

“ପ୍ରକୃତି-“୨୦୧୮, ନୀଳ କନ୍ଦର-୨୦୧୪
କଳା ଓ ପରିବେଶ-୨୦୧୫
ଜାତୀୟସ୍ତରୀୟ ଶିଳ୍ପୀ ଶିବିର-ପଣ୍ଡିଚେରୀ ୨୦୧୭

ଓଡ଼ିଶା ଏକ ଉତ୍କୃଷ୍ଟ କଳାର ରାଜ୍ୟ।ଓଡ଼ିଶାର ଅନେକ ଶିଳ୍ପୀ ନିଜର ପ୍ରତିଭା ମାଧ୍ୟମରେ ଦେଶ ବିଦେଶରେ ରାଜ୍ୟର ସୁନାମକୁ ମଧ୍ୟ ବଢାଇଛନ୍ତି।ବିଗତ ଦିନରେ ଅନେକ ଶିଳ୍ପୀକାରଙ୍କ ସଂଖ୍ୟା ବୃଦ୍ଧି ହେଉଛି।ସରକାର ମଧ୍ୟ ଏ ଦିଗରେ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରୁଛନ୍ତି।ବର୍ତ୍ତମାନ ଲୁକ୍କାୟିତ ପ୍ରତିଭାଙ୍କୁ ସମସ୍ତ ସୁଯୋଗ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର ଓ ଲଳିତକଳା ଏକାଡେମୀର ତତ୍ୱବଧାନରେ ୧୦ଗୋଟି ଆର୍ଟ କଲେଜ ଓ ଓଡ଼ିଶାର ୬ଟି ସହରରେ ଆର୍ଟ ଗ୍ୟାଲେରୀର ପ୍ରତିଷ୍ଠା କରାଯାଇଛି।
ଆଗାମୀ ଦିନରେ ସଚିନ ପଞ୍ଚାନନ ସାମଲ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ବ୍ଲକରେ ଆର୍ଟ ଗ୍ୟାଲେରୀ ଓ ପ୍ରଦର୍ଶନୀର ଆୟୋଜନ କରିବାର ଲକ୍ଷ୍ୟ ରଖିଛନ୍ତି।ଯାହା କଳାପ୍ରେମୀଙ୍କୁ ଜାଗରଣ କରିବା ପାଇଁ ଏକ ସେତୁ ରୂପେ କାର୍ଯ୍ୟ କରିବ ବୋଲି କହିଛନ୍ତି ସଚିବ ମହୋଦୟ।କାର୍ଯ୍ୟରତ ସମୟରେ ଶ୍ରୀଯୁକ୍ତ ସାମଲ ରାଜ୍ୟର ଚିତ୍ରକଳା ବିକାଶ ପାଇଁ ଅନେକ କର୍ମଶାଳା ଓ ତାଲିମ ମାଧ୍ୟମରେ ନୂତନ ଶିଳ୍ପକୁ ଠାବ କରି ତହିଁର ବିକାଶ କରାଇଛନ୍ତି ଯହିଁରେ ରଘୁରାଜପୁର ଗ୍ରାମର ଚିତ୍ର ଶିଳ୍ପ,ମାଲକାନଗିରିର ଝୋଟି ଚିତ୍ର, ଘଟଗାଁର ଟେରାକୋଟା,ସମ୍ବଲପୁରୀ ବାନ୍ଧକଳା,ଧରକୋଟର ଓଷାକଟି ଚିତ୍ର ଆଦିକୁ ଶିବିର ମାଧ୍ୟମରେ ଲୋକଲୋଚନକୁ ଆଣିଛନ୍ତି ଶ୍ରୀଯୁକ୍ତ ସାମଲ।ଆଗାମୀ ଦିନରେ କଲିକତା ସଂଗ୍ରହାଳୟ ଭଳି ଓଡ଼ିଶାରେ ମଧ୍ୟ ଗୋଟିଏ ସ୍ଥାନରେ ରାଜ୍ୟର ସମସ୍ତ ସ୍ଥାପତ୍ୟ,ଭାସ୍କର୍ଯ୍ୟ ଏବଂ ଚିତ୍ରକଳାକୁ ଏକତ୍ର କରି ଏହାକୁ ଏକ ସଂଗ୍ରହାଳୟର ରୂପ ଦେବାକୁ ଲକ୍ଷ୍ୟ ରଖିଛନ୍ତି ସଚିବ ଶ୍ରୀଯୁକ୍ତ ପଞ୍ଚାନନ ସାମଲ।

Leave a Reply

Your email address will not be published. Required fields are marked *