କେନ୍ଦ୍ର ସରକାର ଓ ମୋଦୀଙ୍କ ସପକ୍ଷରେ କହି ଅନାସ୍ଥା ପ୍ରସ୍ତାବକୁ ବିରୋଧ କଲା ବିଜେଡି

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଆଲୋଚନା ଚାଲିଥିବା ବେଳେ ବିଜୁ ଜନତା ଦଳ ଏହାକୁ ବିରୋଧ କରିଛି। ଆଲୋଚନାରେ ଭାଗ ନେଇ ବିଜେଡି ପକ୍ଷରୁ ଲୋକସଭାରେ ଦଳର ନେତା ଥିବା ପିନାକୀ ମିଶ୍ର ମତ ରଖିଛନ୍ତି। ସେ କେନ୍ଦ୍ରସରକାରଙ୍କ ସଫଳତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଢ଼େର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଭଲ ବକ୍ତା ଓ ସଂସଦର ସବୁ ଅଧିବେଶନରେ ସେ କହିଥାନ୍ତି। ଯେତେଥର ପ୍ରଧାନମନ୍ତ୍ରୀ ସଂସଦରେ କହିଛନ୍ତି, ସେତେ ଥର କଂଗ୍ରେସକୁ ଅପଦସ୍ଥ କରିଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ପୁରୀର ବିଜେଡି ସାଂସଦ ଶ୍ରୀ ମିଶ୍ର । ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରସ୍ତାବକୁ ସାଂସଦ ଶ୍ରୀ ମିଶ୍ର ବିରୋଧ କରିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଓଡ଼ିଶାର ଅନେକ ଦାବିକୁ ମାନି ନାହାନ୍ତି ଏକଥା ସତ। କିନ୍ତୁ ଏକଥା ଭୁଲିଯିବା ଉଚିତ ନୁହେଁ ଯେ ଅନେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସହଯୋଗ କରିଛି। ଏଣୁ ବିଜେଡି ଏହି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ ନାହିଁ।

ବିରୋଧୀଙ୍କୁ ଟାର୍ଗେଟ କରି ମିଶ୍ର କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ସପକ୍ଷରେ ବିରୋଧୀଙ୍କ ଯୁକ୍ତି ହେଉଛି, ସଂସଦରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରଦାୟୀ କରିବା ଓ ବିବୃତି ଦେବାକୁ ବାଧ୍ୟ କରିବା। ନିଜ ନାକ କାଟିବା ପାଇଁ କ’ଣ ପାଇଁ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ସଂସଦରେ କହିବାକୁ ବାଧ୍ୟ କରୁଛି ବୋଲି ସେ ପ୍ରଶ୍ନ କରିଥିଲେ। ସେ ବିରୋଧୀ ସଦସ୍ୟଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିରୋଧ କରିବା ବଦଳରେ ସମସ୍ୟାର ଗଠନମୂଳକ ସମାଧାନ ଦିଗରେ ସେମାନେ କାର୍ଯ୍ୟ କରିବା ଉଚିତ୍।

Leave a Reply

Your email address will not be published. Required fields are marked *