ଅଣବିଜେପି ଓ ଅଣବିଜେଡି ଦଳକୁ ନେଇ ବୈଠକ କଲା କଂଗ୍ରେସ : ଆଗାମୀ ନିର୍ବାଚନରେ ଏକଜୁଟ ହୋଇ ଲଢ଼ିବୁ

ଭୁବନେଶ୍ୱର : କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଓ ରାଜ୍ୟରେ ବିଜେଡି ନେତୃତ୍ୱାଧୀନ ସରକାରକୁ ଗାଦିଚ୍ୟୁତ କରିବା ସହ ଆଗାମୀ ସାଧାରଣ ନିର୍ବାଚନରେ ଏକଜୁଟ ହୋଇ ଲଢ଼ିବା ଉଦ୍ଦେଶ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପଦକ୍ଷେପ ନେଇଛି । ଆଜି ଅଣବିଜେପି ଓ ଅଣବିଜେଡି ଦଳଗୁଡ଼ିକର ଏକ ବୈଠକ ଡକାଇ କଂଗ୍ରେସ ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ବୈତରଣୀ ପାର ହେବା ନିମନ୍ତେ ପ୍ରାରମ୍ଭିକ ବିଚାରବିମର୍ଶ କରିଛି । ସମାଜବାଦୀ ପାର୍ଟି ଓ ବାମଦଳଗୁଡ଼ିକ ସମେତ ମୋଟ ୯ଟି ରାଜନୀତିକ ଦଳର ନେତୃବୃନ୍ଦ ଆଜି ଏହି ବୈଠକରେ ସାମିଲ ହୋଇଥିଲେ । ଆସନ୍ତା ଅଗଷ୍ଟ ମାସରେ ପୁଣିଥରେ ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ଓ ଜନ ଆନ୍ଦୋଳନ ଜାଗରଣ ପାଇଁ ନିଷ୍ପତ୍ତି ନିଆଯାଇଛି ।

ବୈଠକ ସମ୍ପର୍କରେ ପ୍ରତିକ୍ରିୟା ରଖି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଉଭୟ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରର ଜନମାରଣ ନୀତି ବିରୁଦ୍ଧରେ ସବୁ ଅଣବିଜେପି ଓ ଅଣବିଜେଡି ଦଳଗୁଡ଼ିକୁ ଏକଜୁଟ କରିବାକୁ ପ୍ରୟାସ କରାଯାଉଛି । ଏନେଇ ଆଜି ପ୍ରାଥମିକ ବୈଠକ ବସି ମିଳିତ ଭାବେ ବିଜେପି ଓ ବିଜେଡି ବିରୁଦ୍ଧରେ ଲଢ଼େଇ କରିବାକୁ ସହମତି ହୋଇଛି । ଆଜି ଯେଉଁ କିଛି ଦଳ ଅନୁପସ୍ଥିତ ଥିଲେ ସେମାନଙ୍କୁ ମଧ୍ୟ ଆଗାମୀ ବୈଠକରେ ସାମିଲ କରିବାକୁ ପ୍ରୟାସ କରାଯିବ । ବିଜେଡି ଓ ବିଜେପି ଦୁଇଭାଇ । ଉଭୟ ମିଶିକି ଅଛନ୍ତି । ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଏହି ଦୁଇ ଦଳ ଓଡ଼ିଶାକୁ ତଳିତଳାନ୍ତ କରିଛନ୍ତି, ସେମାନଙ୍କୁ ଗାଦିଚ୍ୟୁତ କରିବାକୁ ମିଳିତ ଭାବେ ଲଢ଼େଇ କରାଯିବ ।

ସେହିପରି ସିପିଏମ୍ ନେତା ଜନାର୍ଦ୍ଦନ ପତି କହିଛନ୍ତି ଯେ, ରାଜନୀତିକ ଦୃଷ୍ଟିରୁ ଓଡ଼ିଶାରେ ବିଜେପି ଓ ବିଜେଡିକୁ ପରାସ୍ତ କରିବା ହେଉଛି ଆମ ସମସ୍ତଙ୍କ ପ୍ରଥମ ଦାୟିତ୍ୱ । ଉଭୟ ଦଳର ସରକାରର ନୀତିକୁ ପରାସ୍ତ କରିବା ସହ ବିଜେଡି ଓ ବିଜେପି ବିରୁଦ୍ଧରେ ଏକଜୁଟ ହେବାକୁ ରାଜ୍ୟବାସୀଙ୍କୁ ନିବେଦନ କରୁଛି । ଆଜି ଯେଉଁ ଦଳଗୁଡ଼ିକ ବୈଠକରେ ସାମିଲ ହୋଇଛନ୍ତି ସେମାନେ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରି ଅଗଷ୍ଟ ପ୍ରଥମ ସପ୍ତାହରେ ଆଉ ଏକ ବୈଠକ କରାଯିବ ବୋଲି ସେ କହିଛନ୍ତି ।

ସେହିପରି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା କହିଛନ୍ତି ଯେ, ଚାଷୀଙ୍କ ଆୟ ଦ୍ୱିଗୁଣ ହେଲାନି କି ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ହେଲାନି । ଉଭୟ କେନ୍ଦ୍ର ଓ ରାଜ୍ୟର କ୍ଷମତାସୀନ ସରକାର ବିରୁଦ୍ଧରେ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ସମସ୍ତ ଅଣବିଜେପି ଓ ଅଣବିଜେଡି ଦଳଗୁଡ଼ିକର ଏକ ଗଣ କନଭେନସନ୍ ଆୟୋଜନ କରାଯିବ । ଏହି ଗଣ କନଭେନସନକୁ କିଭଳି ଆଗାମୀ ଦିନରେ ବିଜେଡି ଓ ବିଜେପି ବିରୁଦ୍ଧରେ ଜନଆନ୍ଦୋଳନରେ ପରିଣତ କରାଯିବ ତାହା ହେଉଛି ଆମ ନୈତିକ ଦାୟିତ୍ୱ ବୋଲି ସେ କହିଛନ୍ତି ।

ଆଜିର ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ପିସିସି ନିର୍ବାଚନ କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ, କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ ସମେତ ୯ଟି ରାଜନୀତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *