ଦିଲ୍ଲୀ ସରକାରଙ୍କ ୨ ନମ୍ବର କ୍ୟାବିନେଟ୍‌ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ହାତରେ ୧୦ ମନ୍ତ୍ରାଳୟ ଦାୟିତ୍ବ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାବିନେଟ୍‌ ପୁନଃସଂରଚନା କରାଯିବା ପରେ ‘ଆପ୍‌’ ବିଧାୟିକା ତଥା କ୍ୟାବିନେଟ୍‌ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ଦାୟିତ୍ବରେ ୧୦ଟି ମନ୍ତ୍ରାଳୟ ରହିବ।

ଦିଲ୍ଲୀ କ୍ୟାବିନେଟ୍‌ ପୁନଃସଂରଚନା ନିମନ୍ତେ ଉପରାଜ୍ୟପାଳ ଭି. କେ. ସାକ୍‌ସେନା ସମ୍ମତି ଦେବା ପରେ ଆତିଶୀଙ୍କୁ ରାଜସ୍ବ, ଯୋଜନା ଓ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଉପରାଜ୍ୟପାଳ ସାକ୍‌ସେନା ଆତିଶୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯିବା ପ୍ରସ୍ତାବ ଫାଇଲ୍‌କୁ ଅନୁମୋଦନ କରିଛନ୍ତି ଓ ତାହା ସରକାରଙ୍କ ନିକଟରେ ପହଞ୍ଚି ସାରିଛି। ପୂର୍ବରୁ ଉପରୋକ୍ତ ୩ ମନ୍ତ୍ରାଳୟ କୈଳାସ ଗହ୍‌ଲଟ୍‌ଙ୍କ ଦାୟିତ୍ବରେ ଥିଲା।

ଏବେ କ୍ୟାବିନେଟ୍‌ ମନ୍ତ୍ରୀ ଆତିଶୀଙ୍କ ଦାୟିତ୍ବରେ ରାଜ୍ୟ ଶକ୍ତି, ଶିକ୍ଷା, କଳା, ସଂସ୍କୃତି ଓ ଭାଷା, ପର୍ଯ୍ୟଟନ, ଉଚ୍ଚଶିକ୍ଷା, ତାଲିମ ଓ ବୈଷୟିକ ଶିକ୍ଷା, ରାଜସ୍ବ, ଯୋଜନା, ଅର୍ଥ ଆଦି ୧୦ଟି ମନ୍ତ୍ରାଳୟ ରହିବ।

ସୂଚନାଯୋଗ୍ୟ, କ୍ୟାବିନେଟ୍‌ ପୁନଃସଂରଚନା ସଂକ୍ରାନ୍ତରେ ଗୁରୁବାର ଦିନ ରାଜ୍ୟ ସରକାରୀ ଅଧିକାରୀମାନେ ଉପରାଜ୍ୟପାଳଙ୍କ ଅଫିସ ଉପରେ ଅଶାନ୍ତ ବ୍ୟକ୍ତ କରିଥିଲେ। ରାଜ୍ୟ ସରକାରୀ ଅଧିକାରୀମାନେ କହିଥିଲେ କି, ୪ ଦିନ ହେବ କ୍ୟାବିନେଟ୍‌ ଫାଇଲ୍‌ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ପଡ଼ିରହିଛି। କିନ୍ତୁ, ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଏହି ଅଭିଯୋଗକୁ ଅସ୍ବୀକାର କରିଛି।

ସ୍ମରଣଯୋଗ୍ୟ, ମନୀଷ ସିସୋଦିଆ ଓ ‌ସତ୍ୟେନ୍ଦ୍ର ଜୈନ୍‌ଙ୍କ ଇସ୍ତଫା ଓ ଗିରଫଦାରି ପରେ ଆତିଶୀ ଓ ସୌରଭ ଭରଦ୍ବାଜଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀଭାବେ ଶପଥ ପାଠ କରାଯାଇଥିଲା।

Leave a Reply

Your email address will not be published. Required fields are marked *