ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ପଳାଇଥିଲେ : ଧୋକା ପରେ ଶଙ୍ଖା ଓ ସିନ୍ଦୂର ଧରି ପ୍ରେମିକ ଘର ଆଗରେ ଧାରଣା

କାମାକ୍ଷାନଗର : ସ୍ୱାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ପାଇ ଯାଇଥିଲେ। ପ୍ରେମ ପକ୍ଷୀ ପରି ଉଭୟେ ମାୟାନଗରୀରେ ଘୂରି ବୁଲିଲେ। ହେଲେ ବେଶୀ ଦିନ ତିଷ୍ଠି ପାରିଲାନି ଉଭୟଙ୍କ ପ୍ରେମ ସମ୍ପର୍କ। ଅଧା ରାସ୍ତାରେ ଧୋକ୍କା ଦେଲେ ପ୍ରେମିକ। ବାହା ହେବାକୁ କହି ଭୁବନେଶ୍ୱରରେ ଛାଡ଼ି ପଳାଇଗଲେ। ଏବେ ପତ୍ନୀର ମାନ୍ୟତା ପାଇଁ ଶଙ୍ଖ ଓ ସିନ୍ଦୂର ଧରି ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା ମିତା। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ଥାନା ଅଞ୍ଚଳରେ ଘଟିଛି।

କଙ୍କଡାହାଡ଼ ଥାନା ଅଞ୍ଚଳର ମିତା ସିଂହଙ୍କୁ ଭଦଳିଆ ସାହିରେ ଶ୍ରୀବତ୍ସ ଗୁରୁ ଭଲ ପାଉଥିଲେ। ଏହି ଭଲ ପାଇବା ଦିନେ କି ଦୁଇ ଦିନର ନଥିଲା, ଥିଲା ଦୀର୍ଘ ୧୪ ବର୍ଷର। ଉଭୟଙ୍କ ପ୍ରେମ ସମ୍ପର୍କ ଅତି ନିବିଡ଼ ହୋଇଥିଲା। କେହି କାହାକୁ ଛାଡ଼ି ରହିପାରୁନଥିଲେ। ତେବେ ଏହାରି ଭିତରେ ହଠାତ୍‌ ମିତାଙ୍କର ଅନ୍ୟ ଜଣଙ୍କ ସହିତ ବାହାଘର ହୋଇଯାଇଥିଲା।

ମିତାଙ୍କ ବାହାଘର କଥା ଶୁଣି ଶ୍ରୀବତ୍ସ ଭାଙ୍ଗି ପଡ଼ିଥିଲେ। ଆଉ ନିଜ ପ୍ରେମିକାଙ୍କୁ ପାଇବା ପାଇଁ ଚେଷ୍ଟା କରୁଥିଲେ। ମିତାଙ୍କ ପାଖକୁ ଫୋନ୍‌ ମଧ୍ୟ କରୁଥିଲେ। ତାଙ୍କୁ ବାହା ନହେଲେ ଆତ୍ମହତ୍ୟା କରିଦେବ ବୋଲି ଶ୍ରୀବତ୍ସ ଧମକ ଦେଉଥିଲେ। ଯେଉଁଥିପାଇଁ ବିବାହର ମାତ୍ର ୪ରୁ ୫ମାସ ପରେ ପ୍ରେମିକ ଶ୍ରୀବତ୍ସର କଥାରେ ପଡି ସ୍ୱାମୀଙ୍କୁ ଛାଡି ପଳାଇ ଯାଇଥିଲେ ମିତା।

ମିତା ଓ ଶ୍ରୀବତ୍ସ ପ୍ରଥମେ ଚେନ୍ନାଇ ପଳାଇ ଯାଇଥିଲେ। ପରେ ସେଠାରୁ ମହାରାଷ୍ଟ୍ର ପଳାଇଯାଇ ଏକ ଚକୋଲେଟ କମ୍ପାନୀରେ କାମ କରିଥିଲେ। ଉଭୟ ଲିଭ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ। ହେଲେ ମିତାଙ୍କୁ ବାହା ହେଉନଥିଲେ ଶ୍ରୀବତ୍ସ। ଏନେଇ ମିତା ପଚାରିଲେ, ଓଡ଼ିଶା ଗଲେ ବିବାହ କରିବା ବୋଲି ଶ୍ରୀବତ୍ସା କହୁଥିଲେ।

ଗତ ୧୦ ତାରିଖରେ ଉଭୟେ ମହାରାଷ୍ଟ୍ରରୁ ଭୁବନେଶ୍ୱର ପଳାଇ ଆସିଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ ଶ୍ରୀବତ୍ସ ଚକମା ଦେଇ ମିତାଙ୍କୁ ଛାଡି କେଉଁ ଆଡେ ପଳେଇ ଗଲେ। ଆଉ ନିଜର ଫୋନ୍‌ ବନ୍ଦ କରିଦେଲେ। ମିତା ଦୀର୍ଘ ସମୟରେ ନିଜ ପ୍ରେମିକଙ୍କୁ ଅପେକ୍ଷା କରିଥିଲେ। ମାତ୍ର ତାଙ୍କର ପତ୍ତା ପାଇନଥିଲେ। ଶ୍ରୀବତ୍ସଙ୍କୁ ନପାଇ ମିତା କଙ୍କଡାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ମିତା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଆଜି ନ୍ୟାୟ ପାଇଁ ଶ୍ରୀବତ୍ସଙ୍କ ଘର ସାମ୍ନାରେ ଶଙ୍ଖା ଓ ସିନ୍ଦୂର ଧରି ଧାରଣାରେ ବସିଛନ୍ତି ମିତା। ଆଉ ବୋହୂର ମାନ୍ୟତା ପାଇଁ ଦାବି କରୁଛନ୍ତି। ମୋତେ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବି ବୋଲି ମିତା କହିଛନ୍ତି।

ମିତାଙ୍କ ଆରୋପ ନେଇ ଶ୍ରୀବତ୍ସଙ୍କ ବାପା ପଙ୍କଜ ଗୁରୁ କହିଛନ୍ତି, ସେ ବିଷୟରେ ମୁଁ କିଛି ଜାଣିନାହିଁ। ଯଦି ଉଭୟେ ବିବାହ କରିବାକୁ ଚାହୁଁଥିଲେ, ତେବେ ମତେ କାହିଁକି କହିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପଙ୍କଜ ଗୁରୁ।

Leave a Reply

Your email address will not be published. Required fields are marked *