ଦୀପାବଳି

ବିଭିନ୍ନତାର ସମନ୍ୱୟ ଆମର ଏ ପବିତ୍ରଭୂମି ଭାରତବର୍ଷ | ବହୁ ଭାଷା, ଧର୍ମ, ବହୁଭାବ ., ବହୁ ସମ୍ପ୍ରଦାୟର ମିଳନସ୍ଥଳୀ ଏ ଦେଶ ବାସ୍ତବରେ ଏକ ପବିତ୍ର ତୀର୍ଥକ୍ଷେତ୍ର | ସେଥିପାଇଁ ଅନେକତାରେ ଏକତା ଏହାର ମହନୀୟତା | ଭିନ୍ନ ଭିନ୍ନ ଧର୍ମର ପାଳନରେ ଏ ଦେଶର କୋଣ ଅନୁକୋଣ ପବିତ୍ରତାରେ ପୁଲକିତ | ଏ ଦେଶରେ ପାଳିତ ହେଉଥିବା ଉତ୍ସବ ମଧ୍ୟରେ ‘ଦୀପାବଳୀ ‘ହେଉଛି ଏକ ଆଗଧାଡିର ପର୍ବ | ଏହାର ପାଳନ ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଥାଏ ଓ ପୂର୍ବ ପ୍ରସ୍ତୁତି ମଧ୍ୟ ଥାଏ |

କାର୍ତ୍ତିକ ଅମାବାସ୍ୟା ତିଥିରେ ଏହା ଖୁଵ ଆନନ୍ଦ ଉଲ୍ଲାସର ସହ ପାଳିତହୁଏ |ଏହିଦିନ ମା’କାଳୀଙ୍କର ପୂଜା ମଧ୍ୟ ଅନୁଷ୍ଠିତ ହୋଇଥାଏ | ଅନେକ ବ୍ୟବସାୟୀ ଏହି ଦିନକୁ ବ୍ୟବସାୟର ଆରମ୍ଭ ଦିନ ଭାବେ ଏହାକୁ ଗ୍ରହଣ କରି ଉତ୍ସବ ପାଳନ କରନ୍ତି | ବିଶ୍ୱାସ କରାଯାଏ ଯେ ଏହିଦିନ ମହାଲକ୍ଷ୍ମୀ ବିଷ୍ଣୁଙ୍କ ଦ୍ୱାରା ମୁକ୍ତି ପାଇ ଭକ୍ତଙ୍କ ମେଳରେ ସମୟ ଅତିବାହିତ କରନ୍ତି | ତାଙ୍କ ଅଭ୍ୟର୍ଥନା ପାଇଁ ଦ୍ବିପାବଳିର ଆୟୋଜନ କରାଯାଏ | ଆଉ ଏକ ମତ ଅନୁସାରେ କ୍ରୋଧ ଓ ହିଂସ୍ରତାରେ ଉଗ୍ର ରୂପ ଧାରଣ କରିଥିବା ମହାକାଳୀଙ୍କୁ ଅଧିକ ସମୟ ଅନ୍ଧକାରରେ ରଖି ଅଧିକ ଉଗ୍ର ନ କରିବାପାଇଁ ଦୀପ ମାଳାରେ ତାଙ୍କ ଚତୁଃର୍ଦିଗ ପ୍ରଭାମୟ କରି ତାଙ୍କୁ ଉଲ୍ଲସିତ କରନ୍ତି | ପ୍ରକୃତିର ମହାର୍ଘ ଘନ ଅନ୍ଧକାରକୁ ଅମାବାସ୍ୟାରେ ହିଁ ଅନୁଭବ କରାଯାଇଥାଏ |

ଏହି ପର୍ବପାଳନ ପଛରେ ଅନେକ ପୌରାଣିକ ମତ ଓ ଐତିହାସିକ ମତ ରହିଛି | ଲଙ୍କେଶ୍ୱର ରାବଣକୁ ବିଜୟାଦଶମୀରେ ନିଧନ କରି ଯୁଗପୁରୁଷ ଶ୍ରୀରାମଚନ୍ଦ୍ର ପତ୍ନୀ ମାତା ସୀତାଙ୍କୁ ଉଦ୍ଧାର କରିଥିଲେ | ତତ୍ପରେ ଅଯୋଧ୍ୟା ଫେରି ଦୀପାବଳିରେ ଅଯୋଧ୍ୟା ସିଂହାସନରେ ଅଭିଷିକ୍ତ ହୋଇଥିଲେ |କାର୍ତ୍ତିକ ଅମାବାସ୍ୟାରେ ତାଙ୍କର ଅଭିଷେକଉତ୍ସବ ଅନୁଷ୍ଠିତ ହେଲା ଓ ଅଯୋଧ୍ୟାବାସୀ ଏହାକୁ ଉତ୍ସବମୁଖର କରିବାପାଇଁ ଦୀପାବଳିର ଆୟୋଜନ କରିଥିଲେ | ତାଙ୍କ ପ୍ରିୟ ରାଜା ରାମଚନ୍ଦ୍ରଙ୍କୁ ଦୀପାଳି ଜାଳି ସ୍ୱାଗତ କରିଥିଲେ |

ଅତ୍ୟାଚାରୀ ନରକାସୁରକୁ ବଧ କରି ଶ୍ରୀକୃଷ୍ଣ ସଂସାରରେ ଶାନ୍ତି ସ୍ଥାପନ କରିଥିଲେ | ଆଉ ମର୍ତ୍ତ୍ୟବାସୀ ତାଙ୍କୁ କାଉଁରିଆ କାଠି ଜାଳି ଆଲୋକ ମାଧ୍ୟମରେ ସମ୍ବର୍ଦ୍ଧନା ଦେଇଥିଲେ | ଅସୁର ରାଜା ବଳିଦ୍ୱାରା ମାତା ଲକ୍ଷ୍ମୀ ସପ୍ତପାତାଳରେ ବନ୍ଦିନୀ ହୋଇ ଦୁଃଖରେ କାଳଯାପନ କରୁଥିଲେ | ପ୍ରଭୂ ବାମନ ଅବତାରନେଇ ବଳିରାଜାଙ୍କ ଦର୍ପ ଦଳନ କରି ତାଙ୍କୁ ପାତାଳଗାମୀ କରି, ମାତା ଲକ୍ଷ୍ମୀଙ୍କୁ ମୂକ୍ତ କରିଥିଲେ | ମାତା ଲକ୍ଷ୍ମୀଙ୍କର ଏହି ମୁକ୍ତି ଦିବସକୁ ଦୀପ ଆଲୋକରେ ମର୍ତ୍ତ୍ୟବାସୀ ଉତ୍ସବ ଭାବେ ପାଳନ କରିଥିଲେ | ହୁଏତ ସେହି ଦିବସଠାରୁ ଦୀପାବଳୀ ସ୍ମୃତିର ଚି଼ହ୍ନ ଭାବେ ପାଳିତ ହୋଇ ଆସୁଛି ହିନ୍ଦୁ ସମାଜରେ |

ଆହୁରି ମଧ୍ୟ ପିତୃ ପୁରୁଷଙ୍କର ଆତ୍ମାର ସଦଗତି ନିମନ୍ତେ ଦୀପାବଳି ଦିନ ଶ୍ରାଦ୍ଧପର୍ବ ପାଳନ କରାଯାଏ | ସେମାନଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରାଯାଇଥାଏ | ଶ୍ରାଦ୍ଧ ନିମନ୍ତେ ପିତୃ ପୁରୁଷଙ୍କର ଉତ୍ତର ଦାୟାଦମାନେ କାଉଁରିଆ କାଠି ଜାଳି ତାଙ୍କୁ ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରନ୍ତି | କୂଳ ପୁରୋହିତଙ୍କ ସହିତ ଦାୟାଦ ମାନେ ଉଚ୍ଚ ସ୍ୱରରେ ଗାନକରନ୍ତି, ‘ବଡ଼ ବଡୁଆ ହୋ, ଅନ୍ଧାରରେ ଆସିଥିଲ ଆଲୋକରେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ, ପୁରୁଷୋତ୍ତମରେ ମହାପ୍ରସାଦ ଖାଇ, ବାଇଶି ପାହାଚରେ ଗଡ଼ ଗଡଉ ଥାଅ ‘ | ଐତିହାସିକ ପୃଷ୍ଠଭୂମି ପୌରାଣିକ ଆଖ୍ୟାନ ସହ ଦୀପାବଳିର ଐତିହାସିକ ପୃଷ୍ଠଭୂମି ମଧ୍ୟ ରହିଛି | ଇତିହାସର ଅନ୍ୟତମ ଉଜ୍ୱଳ ଚରିତ୍ର ମହାରାଜ ବିକ୍ରମାଦିତ୍ୟ ଏହିଦିନ ସିଂହାସନ ଆରୋହଣ କରିଥିଲେ, | ତାଙ୍କ ଉଦ୍ଦେଶ୍ୟରେ ଉଜ୍ଜୟିନୀବାସୀ ଆନନ୍ଦରେ ଦୀପ ଜାଳି ଉତ୍ସବ ପାଳନ କରିଥିଲେ | ମୋଗଲ ସମ୍ରାଟ ଆକବର ହିନ୍ଦୁ ମାନଙ୍କ ସହ ମିଶି ଦୀପାବଳି ଉତ୍ସବ ପାଳନ କରୁଥିଲେ | ଦୀପାବଳିରୁ ଗୁପ୍ତାବ୍ଦର ପ୍ରଚଳନ ହୋଇଥିବା ଜଣାଯାଏ | କେବଳ ସେତିକି ନୁହେଁ ଐତିହାସିକ ଆବୁଲଫାଜଲ୍, ପରିବ୍ରାଜକ ଆଲବେରୁଣୀ ଦୀପାବଳିର ମନୋରମ ବର୍ଣ୍ଣନା ସେମାନଙ୍କ ପୁସ୍ତକରେ ଦେଇଛନ୍ତି |ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସ୍ୱାମୀ ଦୟାନନ୍ଦ ସରସ୍ବତୀଙ୍କର ମୃତ୍ୟୁ ଓ ସ୍ୱାମୀ ରାମତୀର୍ଥଙ୍କର ଜନ୍ମ ତଥା ମୃତ୍ୟୁ ଏହି ତିଥିରେ ହୋଇଥିଲା | ଜୈନ ଧର୍ମାବଲମ୍ବିମାନେ ଦୀପାବଳିକୁ ‘ଯକ୍ଷରାତ୍ର’ ବୋଲି ଅଭିହିତ କରିଥାନ୍ତି | ଏସବୁ ଦୃଷ୍ଟିରୁ ବିଚାରକଲେ ଦୀପାବଳିର ପରମ୍ପରା ସୁଦୀର୍ଘ | ଦୀପାବଳିର ସାମାଜିକ ଆବେଦନ ମଧ୍ୟ ରହିଛି | ଆମର ବିଶ୍ୱାସ କାର୍ତ୍ତିକ ମାସରେ ଦୀପ ଜାଳିଲେ ବିଷାକ୍ତ ପୋକମାନେ ଦୀପ ନିଆଁରେ ଝାସ ଦିଅନ୍ତି ଓ ସେମାନଙ୍କର ବିନାଶ ଘଟେ | ପରିବେଶ ସୁସ୍ଥ ରହେ |

ପୁଣି କାର୍ତ୍ତିକ ଅମାବାସ୍ୟା ହେଉଛି କାଳରାତ୍ରି | ଏଣୁ ଏହି ରାତ୍ରିକୁ ଆଲୋକିତ କରି କାଳ କବଳରୁ ନିଜକୁ ରକ୍ଷାକରିବାପାଇଁ ନିଜ ପୁରକୁ ହିନ୍ଦୁମାନେ ଆଲୋକିତ କରିଥାନ୍ତି | ଦୀପାବଳିର ପ୍ରଥା ଅନୁସାରେ ସାରାରାତି ଦୀପ ଜଳେ | ତେବେ ଆଜିର ବିଜୁଳି ଆଲୋକରେ ଦୀପ ଶିଖା ନିଷ୍ପ୍ରଭ |

କର୍ମ କ୍ଲାନ୍ତ ଜୀବନରେ ଟିକେ ଆନନ୍ଦ ଦେବାପାଇଁ ପର୍ବ ପର୍ବାଣୀ ମାନଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି |ସେ ଦୃଷ୍ଟିରୁ ଦୀପାବଳି ଉତ୍ସବ ସ୍ୱତନ୍ତ୍ର |ଭାରତର କୋଣ ଅନୁକୋଣରେ ଏହା ପାଳିତ ହେଉ ଥିବାରୁ ଏହାକୁ ଜାତୀୟ ପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ |

ଶାରଦୀୟ ଫସଲ ଅମଳ ପରେ ଚାଷୀ ଆନନ୍ଦରେ ମା ଲକ୍ଷ୍ମୀଙ୍କର ଆବାହନ କରେ ଓ ପ୍ରଦୀପ ଜାଳି ତାର ଭକ୍ତି ନୈବେଦ୍ୟ ଅର୍ପଣ କରେ | ଦୀପ, ବାଣ ନିଆଁରେ କୀଟ ପତଙ୍ଗ ପୋଡ଼ିଯିବାରୁ ଫସଲ ଓ ପରିବେଶ ପରିଷ୍କାର ରହେ |ତେବେ ଆଜି ଦୀପାବଳିର ଭଲ ତଥା ଆଧ୍ୟାତ୍ମିକ ଦିଗରୁ ଅଧିକାଂଶ ଜନତା ଦୁରେଇ ଯାଇ ବାଣ ଓ ଆତସ ବାଜିକୁ ପ୍ରାଧାନ୍ୟ ଦେଉଛନ୍ତି |ଏହା ଦ୍ୱାରା ଶବ୍ଦ ଓ ବାୟୁ ପ୍ରଦୂଷଣ ବଢ଼ି ପରିବେଶ ନଷ୍ଟ ହେଉଛି | ବେଳେ ବେଳେ ବାଣ ଜନିତ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି | ଉଚ୍ଚତମ ନ୍ୟାୟାଳୟ ବାଣ ନ ମାରିବା ପାଇଁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |ଉଦ୍ଦେଶ୍ୟ ପରିବେଶ ପ୍ରଦୂଷଣକୁ ରୋକିବା |ଏ ନିର୍ଦ୍ଦେଶ ସମସ୍ତେ ମାନି କେବଳ ଦୀପାଳି ଓ ଲିଚୁ ବତୀର ଆଲୋକରେ ପରିବେଶ ଆଲୋକିତ କରି ଏ ଉତ୍ସବ ପାଳନ କରିବା ଉଚିତ |

ଆମେ ଦୀପାବଳିର ଭଲ ଦିଗକୁ ଦେଖି ଏହାର ପାଳନ କରିବା |ପ୍ରବନ୍ଧର ଶେଷରେ ମା’କାଳୀଙ୍କର ପାଖରେ ପ୍ରାର୍ଥନା ଯେ ସେ ଦୁର୍ଗା ରୂପରେ ମହିଷାସୁର ନିଧନ କରି ସଂସାରରେ ଶାନ୍ତି ସ୍ଥାପନା କରିଥିଲେ | କାଳୀ ରୂପରେ ଦୁଷ୍ଟ ସଂହାର କରିଥିଲେ | ଏହି ଦିନରେ ଶ୍ରୀକୃଷ୍ଣ ନରକାସୁର ବଧ କରିବା ସହିତ ବାମନ ରୂପରେ ମହାଦାନୀ ବଳିଙ୍କର ଦର୍ପ ଦଳନ କରିଥିଲେ ଓ ମା’ ଲକ୍ଷ୍ମୀଙ୍କୁ ମୁକ୍ତି ଦେଇଥିଲେ |

ଆଜିର ବିଶ୍ୱର ପ୍ରତି କୋଣ ଅନୁକୋଣରେ ମହିଷାସୁର, ନରକାସୁରଙ୍କର ତାଣ୍ଡବ ଚାଲିଛି |ହେ ମା’ସେମାନଙ୍କୁ ଧ୍ବଂସ କରି,ସଂସାରରେ ଶାନ୍ତି ସ୍ଥାପନା କର |

ଶ୍ରୀକାନ୍ତ ଦାଶ, ସଭାପତି “ଅବି” ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |
ଦୂରଭାଷ :9238304919
e-mail srikantadash. bpc@gmail.com

Leave a Reply

Your email address will not be published. Required fields are marked *