ସରଳା ଦେବୀ ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ ତଥା ଅଗଷ୍ଟ କ୍ରାନ୍ତି ଦିବସ

ଭୁବନେଶ୍ଵର : ରାଜନୀତି ଏବେ ବ୍ୟବସାୟୀକରଣ ହୋଇଛି । କେବଳ ରାଜନୀତି କାହିଁକି ଶିକ୍ଷା ଏବଂ ସ୍ୱାସ୍ଥ୍ୟରେ ବ୍ୟବସାୟୀକରଣ ଦେଖିବାକୁ ମିଳୁଛି ବୋଲି କହିଛନ୍ତି କନ୍ନଡ଼ କବି ତଥା ଚଳଚ୍ଚିତ୍ର ନିର୍ମାତା ରମେଶ ନାଗାଥେଲ୍ଲୀ I ସରଳା ଦେବୀ ସ୍ମାରକୀ ଟ୍ରଷ୍ଟ ଓ ଜଗତ୍‌ସିଂହପୁର ବିକାଶ ପରିଷଦ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଓଡ଼ିଶାର ସଂଗ୍ରାମୀ, ବିଧାୟିକା ତଥା ସାହିତ୍ୟିକା ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ ତଥା ଅଗଷ୍ଟ କ୍ରାନ୍ତି ଦିବସ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ନାଗାଥେଲ୍ଲୀ କହିଲେ ଯେ, ଓଡ଼ିଶା ହେଉଛି ଭାରତର ଆତ୍ମା। ସବୁରୁ ଊର୍ଦ୍ଧ୍ବରେ ଯାଇ କେବଳ ସ୍ଵାଧୀନତା ସଂଗ୍ରାମୀ ନୁହେଁ ଗୁରୁଜନଙ୍କୁ ସମ୍ମାନ ଦେବା ଉଚିତ। ସେମାନଙ୍କ କୃତୀକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ। ଅନ୍ୟତମ ଅତିଥିଭାବେ ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ଡ. ଦିନେଶ ଷଡ଼ଙ୍ଗୀ କହିଲେ ଯେ, ସରଳା ଦେବୀଙ୍କ ପରି ବିପ୍ଲବିନୀ ଦେଖିନୁ । ସାହିତ୍ୟିକା ଭାବେ ସେ ବେଶ୍ ପରିଚିତ ଥିଲେ। ମୁଖ୍ୟ ଅତିଥି ଭାବେ ସମ୍ବାଦର ପୂର୍ବତନ ଅଧ୍ୟକ୍ଷ ତଥା ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥାଇ କହିଥିଲେ କି, ନାରୀ ସଶକ୍ତିକରଣ ପାଇଁ ଆମକୁ ସରଳାଦେବୀଙ୍କୁ ଆଦର୍ଶ ଭାବେ ଗ୍ରହଣ କରିବାକୁ ହେବ |

ପ୍ରଫେସର ମନୋରମା ବିଶ୍ଵାଳ ମହାପାତ୍ର, ବିଧାୟକ ସାରଦା ପ୍ରସନ୍ନ ଜେନା, ସଂସ୍କୃତି ବିଭାଗ ସ୍ଵତନ୍ତ୍ର ସଚିବ ଦେବ ପ୍ରସାଦ ଦାସ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ନିଶା ନିବାରଣ ଦିଗରେ କାର୍ଯ୍ୟ କରୁଥିବା ଶତାୟୁ ପଦ୍ମଚରଣ ନାୟକଙ୍କୁ ‘ତୃତୀୟ ସରଳା ଦେବୀ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏଥିସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଯଥା- କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ସମାଜିକ କର୍ମୀ ବିଜୟ ଲକ୍ଷ୍ମୀ ସାହୁ, ନିଖୁ ମୋହନ ପଟ୍ଟନାୟକ, ପ୍ରଫେସର ସୁଚେତା ପ୍ରିୟବାଦିନୀ, ମାନସ ଦାସ, ଶୁଭକାନ୍ତ ପାଢ଼ୀ, ଡ. ପରେଶ ରଥ ଏବଂ ସ୍ନେହମୟୀ ଆଚାର୍ଯ୍ୟଙ୍କୁ ସମ୍ମାନିତ କରାଯାଇଥିଲା। ଟ୍ରଷ୍ଟର ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର ସ୍ଵାଗତ ଭାଷଣ ଦେଇଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦର ସଭାପତି ଅଜୟ ଦାସ |

Leave a Reply

Your email address will not be published. Required fields are marked *