ଲେଖିବା ପୂର୍ବରୁ ଆବଶ୍ୟକ କଠିନ ଅଧ୍ୟବସାୟ -ଜୟଶ୍ରୀ ପଟ୍ଟନାୟକ
ପିଲାଦିନେ ମା’ଙ୍କ ସହିତ ଦେଖିବାକୁ ଯାଉଥିବା ରାମଲୀଳାର ଗଭୀର ପ୍ରଭାବ ଏବଂ ଆକାଶବାଣୀ ରେଡ଼ିଓରୁ ସାଉଁଟୁଥିବା ଶବ୍ଦ ସମ୍ଭାର ତାଙ୍କୁ ଯେ ଦିନେ ସୁସାହିତ୍ୟିକା ରୂପେ ସୃଷ୍ଟି କରିବ ତାହା କିଏ ଜାଣି ନ ଥିଲେ । ସେ ଏକାଧାରରେ ଜଣେ ଶିକ୍ଷାବିତ୍, ଆକାଶବାଣୀ କଳାକାର,ଓଡିଶୀ ନୃତ୍ୟାଙ୍ଗନା,ଲେଖିକା ଏବଂ ସୁଗୃହିଣୀ।ସେହି ବହୁ ପ୍ରତିଭାଧାରୀ ଲେଖିକା ହେଉଛନ୍ତି ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ । ଏକ ରକ୍ଷଣଶୀଳ ପରିବାରରେ ଜନ୍ମିତା ଶ୍ରୀମତୀ ପଟ୍ଟନାୟକ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଏବଂ ଶିକ୍ଷାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବେଳେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଏବଂ କ୍ରମେ ଅଧ୍ୟକ୍ଷା ପଦ ସୁଚାର ରୂପେ ତୁଲାଇଛନ୍ତି । ଛାତ୍ରୀ ଜୀବନରୁ ନିଜର ଲେଖକୀୟ ଜୀବନ ଆରମ୍ଭ କରିଥିବା ଏହି ସୁସାହିତ୍ୟିକାଙ୍କ ଅନେକ ଲେଖା ତତ୍କାଳୀନ ସମୟରେ ଉତ୍କଳିକା ଏବଂ ଦିନଲିପିରେ ପ୍ରଚୁର ମାତ୍ରାରେ ପ୍ରକାଶ ମଧ୍ୟ ପାଉଥିଲା ।
ତାଙ୍କ ମତରେ “ଓଡ଼ିଆ ଭାଷା ଚିରଞ୍ଜିବୀ” । ଓଡ଼ିଆ ଭାଷା ସଂକ୍ରାନ୍ତରେ ଲେଖିକା ପଟ୍ଟନାୟକ ଏହି ମତ ପ୍ରକାଶ କରନ୍ତି ଯେ “ଜଗନ୍ନାଥ ଆମର ଜାତୀୟ ଦେବତା । ଓଡ଼ିଆ ଭାଷା ଓ ମାତୃଭୂମି ଆମର ମା’ ସମାନ । ଜୀବନର କର୍ମ ପଥରେ ଆଗେଇ ଯିବା ସହିତ ସାହିତ୍ୟକୁ ଆମେ ଲେଖିବା ଏବଂ ଆଗକୁ ଲେଖି ଚାଲିଥିବା ମଧ୍ୟ ।”
ଲେଖିକା ଜୟଶ୍ରୀ ପଟ୍ଟନାୟକଙ୍କ କିଛି କୃତି ଓ ପୁରସ୍କାର ବିଷୟରେ ପଦେ-
କାବ୍ୟ ସଂକଳନ-ବିଭୋର ମୁହୂର୍ତ୍ତ,ମନ ଡ଼ାଏରୀର ପୃଷ୍ଠା,ତୁମେ (ଗୀତିକବିତା)।
ପୁରସ୍କାର-
ଜାତୀୟ ସବୁଜ କବିତା ସମ୍ମାନ,ରାଜ୍ୟସ୍ତରୀୟ ପାଇକ କବିତା ସମ୍ମାନ,ସାଧନା ସମ୍ମାନ(ରାଜ୍ୟ ସଂସ୍କୃତି ବିଭାଗ),ଯାଜ୍ଞସେନୀ କବିତା ସମ୍ମାନ,ପ୍ରୀତିପଦ୍ମା ସମ୍ମାନ,ଶ୍ରୀକ୍ଷେତ୍ର ସାହିତ୍ୟ ସମ୍ମାନ, ପିନାକିନି ମିଶ୍ର ସ୍ମୃତିକବିତା ସମ୍ମାନ,ମନସ୍ୱିନୀ କବିତା ସମ୍ମାନ (ଏକାମ୍ର ପୁସ୍ତକ ମେଳା)ଇତ୍ୟାଦି ଅନେକ।
ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରକୁ ଆସୁଥିବା ନବାଗତଙ୍କୁ ଲେଖିକା ଜୟଶ୍ରୀ ଏହି ଉପଦେଶ ଦିଅନ୍ତି ଯେ “କଲମ ଧରିବା ପୂର୍ବରୁ ପ୍ରଚୁର ପଢନ୍ତୁ । ବର୍ତ୍ତମାନର ବିଜ୍ଞାନ ଯୁଗରେ ପ୍ରଥମେ ନିଜର ଭବିଷ୍ୟତ ଗଢନ୍ତୁ । କାରଣ ଜୀବନର ଶେଷ ନିଃଶ୍ୱାସ ଯାଏଁ କଲମ ଧରିବା ସମ୍ଭବ।ଏହା ସହିତ ନିଜର ସାହିତ୍ୟିକ ମୌଳିକତା କୁ ନ ହରାଇ ଉତ୍ତମ ଶବ୍ଦ,ଭାବ ଏବଂ ସରଳ ଭାଷା ଦେଇ ସାହିତ୍ୟ ସାଧନା କରନ୍ତୁ ।”