ସାହିତ୍ୟର ଅର୍ଥ ସମାଜର ହିତ : ମୀରା ବେଉରା

ପିଲାଟିବେଳୁ ତାଙ୍କ ଜୀବନର ନିଅ ପଡିଥିଲା ପିତାମାତାଙ୍କ ସଂସ୍କାର,ସଂସ୍କୃତି ଏବଂ ଶ୍ରୀମାଙ୍କ ମାର୍ଗଦର୍ଶିକାରେ । ମାତା କାଞ୍ଚନଵାଳାଙ୍କ ପୁରାଣ ପଠନ, ମାର୍ଜିତ ବ୍ୟବହାର, ସ୍ପଷ୍ଟବାଦୀତା ଏବଂ ନୈତିକ ଶିକ୍ଷା ଓ ପିତା ନବକିଶୋରଙ୍କ ସୁଶାସନ ତାଙ୍କୁ ଏକ ସୁଲେଖିକା, ଜଣେ ଆଦର୍ଶ ମହିଳା,ସୁ-ଗୃହିଣୀ ଓ ଜନନୀ ହେବାରେ ଅନେକ ସହଯୋଗ କରିଥିଲା । ମାତା ଥିଲେ ତାଙ୍କ ପାଇଁ ଆଦର୍ଶ ଓ ପ୍ରେରଣାର ଉତ୍ସ । ସେହି ସାହିତ୍ୟିକା ହେଉଛନ୍ତି ଅଧ୍ୟାପିକା ମୀରା ବେଉରା । ମୀରାଙ୍କ ଜନ୍ମ ତାରକସି ସହର କଟକଠାରେ । ମାତ୍ର ଷଷ୍ଠ ଶ୍ରେଣୀରୁ ନିଜ କୁନି ହାତରେ “କିଣିଛି ହୃଦମନ” ଜରିଆରେ ଲେଖନୀ ଚାଳନା କରିଥିଲେ ମୀରା।
ଏହାପରେ ଶୈଳବାଳା ମହିଳା ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଇତିହାସ ଓ ଶିକ୍ଷାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ଶ୍ରୀମତୀ ମୀରା।ଛାତ୍ର ସମୟରେ ନିଜର ଲେଖା ପାଇଁ ପ୍ରାଧ୍ୟାପିକା ସୁଲୋଚନା ଦାସ ଓ ବୀଣାପାଣିଙ୍କ ପ୍ରଶଂସାର ପାତ୍ରୀ ସାଜିଥିଲେ ସେ।ବର୍ତ୍ତମାନ ବୃତ୍ତିରେ ଅଧ୍ୟାପିକା ଅଛନ୍ତି ଶ୍ରୀମତୀ ମୀରା ବେଉରା।
ମୀରାଙ୍କ ପାଇଁ ତାଙ୍କ ତାଙ୍କ ମାତା ଥିଲେ ପ୍ରଥମ ଶିକ୍ଷୟିତ୍ରୀ।ମୀରାଙ୍କ ଦର୍ଶନ ଏହା ଯେ “ପ୍ରତିକୂଳ ପରିସ୍ଥିତି ଆମ ପାଇଁ ଏକ ଆଶୀର୍ବାଦ ଯାହା ଆମକୁ ଏକ ଶିକ୍ଷା ପ୍ରଦାନ କରେ ଆଗାମୀ ଜୀବନ ପାଇଁ।ତେବେ ଖୁବ୍ କମ୍ ବୟସରେ ସଂସାର ବାନ୍ଧି ବସିଲେ ଏହି ଲେଖିକା ଜଣକ।ମାତ୍ର ସ୍ୱାମୀ ଓ ଶାଶୂଘରଙ୍କ ସହଯୋଗରେ ସେ ପୁଣି ହାତରେ ଧରିଲେ କଲମ।ଘରକାମ ସାରି ରାତିରେ ଟିକକ ସମୟ ପାଇଲେ ଲେଖିଚାଲନ୍ତି ଅନେକ ଲେଖା।ଓଡିଆ ସାହିତ୍ୟରେ ସଚି ରାଉତରାୟ,ମନୋରମା ମହାପାତ୍ର,ରବି ସିଂ,ଅନନ୍ତ ପଟ୍ଟନାୟକ ଗୋପବନ୍ଧୁ ଦାସଙ୍କୁ ନିଜର ଆଦର୍ଶ ମାନନ୍ତି ଏହି ସୁଲେଖିକା।କବିତା ଓ ପ୍ରବନ୍ଧ ସାହିତ୍ୟରେ ନିପୁଣା ଅଟନ୍ତି ଶ୍ରୀମତୀ ମୀରା।କିନ୍ତୁ କବିତାରୁ ପ୍ରବନ୍ଧକୁ ଆସିବା ପାଇଁ ସ୍ୱର୍ଗତା ମନୋରମା ମହାପାତ୍ରଙ୍କ ଗୋଟିଏ ଗାଳି ଆଜି ମୀରାଙ୍କ ପାଇଁ ଏକ ଆଶୀର୍ବାଦ ରୂପେ ସାବ୍ୟସ୍ତ ହେଲା।ମୀରାଙ୍କ ମତରେ “ସାହିତ୍ୟର ଅର୍ଥ ସମାଜର ହିତ।ଯାହା ପାଠକଙ୍କ ମନରେ ଆଶାର ସଂଚାର କରେ।କେବଳ ସେତିକି ନୁହେଁ ସାହିତ୍ୟ ରାଷ୍ଟ୍ର,ସରକାର,ସମ୍ବିଧାନ ବିଷୟରେ ଲୋକଙ୍କୁ ଅବଗତ ମଧ୍ୟ କରାଇଥାଏ।”

ଲେଖିକା ମୀରାଙ୍କ ସାହିତ୍ୟ କୃତି ଓ ପୁରସ୍କାର ବିଷୟରେ ପଦେ-

ମୋ ସ୍ୱପ୍ନର ପୃଥିବୀ,ସ୍ୱପ୍ନର ଠିକଣା ଓ ପରିବେଶ ଚିନ୍ତନ(ସମ୍ପାଦିତ ପୁସ୍ତକ)
ଅନ୍ନପୂର୍ଣ୍ଣା ପ୍ରବନ୍ଧ ପୁରସ୍କାର,ଓଡ଼ିଶା ଲେଖିକା ସଂସଦ,ଉତ୍କଳ ସାହିତ୍ୟ ସମାଜ, ସମର୍ଥ ଓଡ଼ିଶା।

ଏଥିସହିତ ମୀରା ଓଡ଼ିଶା ନାରୀ ସେବା ସଂଘର ସଭ୍ୟା ଥିବା ବେଳେ ସମାଜ,ଧରିତ୍ରୀ,ପ୍ରମେୟରେ ତାଙ୍କର ଅନେକ ଲେଖା ପ୍ରକାଶ ମଧ୍ୟ ପାଇଅଛି।ମୁଖ୍ୟତଃ ନାରୀ ସମସ୍ୟା,ସାମାଜିକ ସମସ୍ୟା ଏବଂ ସଶକ୍ତିକରଣ ଉପରେ ନିଜ ପ୍ରବନ୍ଧ ସାହିତ୍ୟ ମାଧ୍ୟମରେ ବେଶ୍ ଗୁରୁତ୍ୱ ଦିଅନ୍ତି ଏହି ଲେଖିକା ଜଣକ।ଆଗାମୀ ଦିନରେ ସାହିତ୍ୟ ସାଧନା କ୍ଷେତ୍ରକୁ ଆସୁଥିବା ଯୁବପିଢ଼ିଙ୍କୁ ସାହିତ୍ୟିକା ମୀରା ଏହା ଉପଦେଶ ଦିଅନ୍ତି ଯେ “ପୁରସ୍କାର ଓ ସମ୍ବର୍ଦ୍ଧନା ପଛରେ ନ ପଡି ନିଜର ସାହିତ୍ୟ ସାଧନା ପାଇଁ ପରିଶ୍ରମ ଜାରି ରଖିବା ଆବଶ୍ୟକ।କାରଣ କଠିନ ପରିଶ୍ରମ ହି ସଫଳତାର ମାର୍ଗ”।ଆଗାମୀ ଦିନରେ ଏମିତି ଅହରହ ଲେଖନୀ ଚାଳନାର ଲକ୍ଷ୍ୟ ରଖିଛନ୍ତି ଶ୍ରୀମତୀ ମୀରା ବେଉରା।

Leave a Reply

Your email address will not be published. Required fields are marked *