ସାହିତ୍ୟ ହେଉଛି ଜୀବନର ଚିତ୍ର ଯାହା ସମାଜ ସହ ଅଂଗାଅଂଗି ଭାବେ ଜଡିତ : ବନଜ ଦେବୀ
ତାଙ୍କ ପିଲାଦିନ ଥିଲା ଖୁବ୍ ସୁନ୍ଦର ଓ ଆନନ୍ଦମୟ।ଗାଁର ସେହି ପ୍ରାକୃତିକ ଶୋଭା,ଦଶହରା ଛୁଟିରେ ସାଙ୍ଗଙ୍କ ମେଳ,ଶରତ ଋତୁର ଆଗମନୀ ରୂପକ ବଉଳଫୁଲର ସଂଗ୍ରହରେ କଟିଥିଲା ଏହି ସାରସ୍ୱତ ସାଧିକାଙ୍କ ଆଦ୍ୟ ସମୟ।ଆଜି ସେ ଆସି ପହଞ୍ଚିଛନ୍ତି ବୟସର ଅପରାହ୍ନରେ।ତାଙ୍କ ପାଇଁ ଏହି ସବୁ ମଧୁର ସ୍ମୃତି “ସକାଳର କଥା ସନ୍ଧ୍ୟାବେଳେ ଭାରି ମନେପଡେ”ସଦୃଶ।
ତେବେ ସେହି ବିଶିଷ୍ଟ ସାହିତ୍ୟିକା ହେଉଛନ୍ତି ଶ୍ରୀମତୀ ବନଜ ଦେବୀ। ଖୋର୍ଦ୍ଧା ଜିଲ୍ଲାର ଏକ ରକ୍ଷଣଶୀଳ ପରିବାରର ଝିଅ ଥିଲେ ବନଜ ଦେବୀ।ପିଲାଟି ଦିନରୁ ସ୍ଵଭାଵ ତାଙ୍କର ଖୁବ୍ ନମ୍ର ଓ ଶାନ୍ତ ଥିଲା।ବ୍ରହ୍ମପୁରର ମିଶନ୍ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସମୟରେ ଏକ ଘଟଣା ମାଧ୍ୟମରେ ତାଙ୍କ ମନରେ ସୃଷ୍ଟି ହୁଏ ଆନ୍ଦୋଳନ ସାହିତ୍ୟ ରଚନାର।ଦିନେ ନୀତି ଶିକ୍ଷା ପିରିୟଡ଼ରେ ଶ୍ରେଣୀ ଶିକ୍ଷକ ସବୁ ପିଲାଙ୍କ ଟେବୁଲ ଉପରେ କିଛି ପୁସ୍ତକ ରଖି ପଢିବାକୁ କହିଲେ।ସେହି ସମୟରେ କୁନ୍ତଳା କୁମାରୀ ସାବତଙ୍କ ‘ପରଶମଣି’ ପୁସ୍ତକ ପଢି କାନ୍ଦିବାକୁ ଲାଗିଲେ ବନଜ ଏବଂ କୁନ୍ତଳା କୁମାରୀଙ୍କ ସାହିତ୍ୟରେ ବିଶେଷ ପ୍ରଭାବିତ ହୋଇ ଲେଖିବାକୁ ମନସ୍ଥ କଲେ ଶ୍ରୀମତୀ ବନଜ। ସେବେଠାରୁ ଲେଖନୀ ଧରିଲେ ଓ ଲେଖି ଚାଲିଲେ ଅନେକ କିଛି।
ଶ୍ରୀମତୀ ବନଜଙ୍କ ଜୀବନରେ ଆଉ ଏକ ଏମିତି ଘଟଣା ଘଟିଥିଲା ଯାହା ତାଙ୍କୁ ସାହିତ୍ୟ ସାଧନା ପାଇଁ ଆହୁରି ପ୍ରେରଣା ଓ ଉତ୍ସାହ ଯୋଗାଇଥିଲା । ୮ମ ଶ୍ରେଣୀରେ ପଢ଼ୁଥିବା ସମୟରେ ନିଜର ଲେଖକୀୟ ଜୀବନ ଆରମ୍ଭ କରୁଥାନ୍ତି ସେ।ତେବେ ତାଙ୍କ ଲେଖାପଢି ଜଣେ ଅଧ୍ୟାପକ ବନଜଙ୍କୁ ପଚାରିଥିଲେ “ତୁମେ କଣ ରେଭେନ୍ସା ମହାବିଦ୍ୟାଳୟର ଛାତ୍ରୀ”? ଏହି ଗୋଟିଏ ପ୍ରଶ୍ନ ବନଜଙ୍କ କୋମଳ ମନକୁ ପ୍ରଫୁଲ୍ଲିତ କରିଥିଲା।ବନଜଙ୍କ ପାଇଁ ପ୍ରଥମ ପାଠକ ତାଙ୍କ ପରିବାର ଥିଲା।ଘରେ ତାଙ୍କର ଅନେକ ପୁସ୍ତକ ଥିଲା ଅଧ୍ୟୟନ ପାଇଁ।ଯାହା ତାଙ୍କୁ ପରବର୍ତୀ ସମୟରେ ଜଣେ ବିଶିଷ୍ଟ ସାହିତ୍ୟ ସାଧିକା ହେବାରେ ସାହାଯ୍ୟ କରିଥିଲା।ପିଲାବେଳେ ଶ୍ରୀମତୀ ବନଜଙ୍କ ଲେଖା ମୀନାବଜାରରେ ପ୍ରକାଶ ମଧ୍ୟ ପାଉଥିଲା।କବିତା,ଗଳ୍ପ,ଉପନ୍ୟାସ ଓ ନାଟକ ସାହିତ୍ୟରେ ସିଦ୍ଧହସ୍ତା ଅଟନ୍ତି ଏହି ସୁଲେଖିକା ଜଣକ।ସେ ଲେଖିଚାଲୁଥିଲେ ଅବିରତ ଭାବେ।”ଅବୋଧ ଆନନ୍ଦରେ ଯାହା ଲେଖୁଥିଲେ ପରବର୍ତ୍ତୀ ସମୟରେ ତାହା ହୃଦୟର ଆକୁଳତା ଓ ଆତ୍ମାର ଆକୁଟି ଯାହାକୁ ଆଉଟି ଚାଲିଛନ୍ତି ଆଜିଯାଏ।”
ଓଡ଼ିଆ ଭାଷା ସାହିତ୍ୟରେ କୁନ୍ତଳା କୁମାରୀ ସାବତ,ବିଦ୍ୟୁତପ୍ରଭା ଦେବୀ ପ୍ରମୁଖଙ୍କୁ ନିଜର ପ୍ରେରଣା ମାନନ୍ତି ବନଜ ଦେବୀ।
ପୁସ୍ତକ ଓ ପୁରସ୍କାର ବିଷୟରେ ପଦେ-
ଗଳ୍ପ-ରାଗ ବେହାଗ,ଗାୟତ୍ରୀର ପୁଅ,ନୀଳ ମାଧବର ଗାଁ,ସେ ଆଉ ଜଣେ,କାଠପୁଅ ଓ ଜହ୍ନରାତି ଇତ୍ୟାଦି।
ଉପନ୍ୟାସ-ନିଜ ଭିତରେ ସୂର୍ଯ୍ୟ,ସାତ ପାହାଚ,ସୁଅରେ ବଉଳଫୁଲ,ବିଦଗ୍ଧ ବସନ୍ତ ଇତ୍ୟାଦି।
କବିତା-ବର୍ଷାର ବାଳାକା,ଭୂମିଲଗ୍ନା,ବନହଳଦୀ,ଦୂର ନକ୍ଷତ୍ରର ଦୀପ ଇତ୍ୟାଦି।
ଅନୁବାଦ-ନଉକା ବୁଡି ଓ ଗାନ୍ଧାରୀ।
ନିଜର ସରସ,ସୁନ୍ଦର ଓ ସାବଲୀଳ ରଚନା ପାଇଁ ଶ୍ରୀମତୀ ବନଜ ଦେବୀ ସମ୍ମାନଜନକ ଓଡିଶା ସାହିତ୍ୟ ଏକାଡେମୀ ଓ ସାରଳା ପୁରସ୍କାର ମଧ୍ୟ ପାଇଛନ୍ତି।
ଭବିଷ୍ୟତରେ ସାହିତ୍ୟ ରଚନା କ୍ଷେତ୍ରକୁ ଆସୁଥିବା ନବାଗତଙ୍କୁ ଏହି ବରିଷ୍ଠ ସାହିତ୍ୟିକା ଏହି ଉପଦେଶ ଦିଅନ୍ତି ଯେ-“ଆମ ବର୍ତ୍ତମାନର ଯୁବପିଢି ପ୍ରଚଣ୍ଡ ଜ୍ଞାନର ଅଧିକାରୀ।ଆମ ଯୁଗ ଆଗେଇବା ସହ ସାହିତ୍ୟ ତାଳେତାଳେ ଗତି କରୁଛି।ଏହାକୁ ଦୃଷ୍ଟିରେ ରଖି ଯୁବପିଢ଼ି ନିଜ ସାହିତ୍ୟ ଜରିଆରେ କିଛି ସାମାଜିକ ବାର୍ତା ପ୍ରଦାନ କରନ୍ତୁ।ଆମ ସଂସ୍କୃତିକୁ ସାଙ୍ଗରେ ବହନ କରି ଆଗେଇବା ସହିତ ସର୍ବଦା ମାଟିରେ ରୁହନ୍ତୁ ଓ ନିଜର ସାହିତ୍ୟ ଶାଖାକୁ ଅଗ୍ରସର କରାନ୍ତୁ।”
ସାହିତ୍ୟର ପରିଭାଷାରେ ଲେଖିକା ବନଜ ଦେବୀ ଏହି ମତ ଦିଅନ୍ତି ଯେ “ସାହିତ୍ୟ ହେଉଛି ଜୀବନର ଚିତ୍ର।ପ୍ରତ୍ୟକ୍ଷ ହେଉ ଅବା ପରୋକ୍ଷ ଏହା ସମାଜ ସହିତ ଜଡ଼ିତ ଅଟେ।ସାହିତ୍ୟ ସଭିଙ୍କୁ ବାଟ ଦେଖାଇଥାଏ ଓ ମନୁଷ୍ୟର ମନକୁ ଜାଗ୍ରତ କରି ଆଲୋକିତ କରିଥାଏ”।