ଶିଳ୍ପକଳା ମାଧ୍ୟମରେ ଓଡ଼ିଶାର ଗୌରବମୟ ସଂସ୍କୃତିର ହୃତ ଗୌରବ ଫେରାଇବା ଲକ୍ଷ୍ୟ ରେ କାନ୍ତକିଶୋର

ତାଙ୍କ ହାତରେ ଏମିତି ଯାଦୁ ରହିଛି ଯେ କୌଣସି ଜଡ ବସ୍ତୁଟି ତାଙ୍କ ହାତର ସ୍ପର୍ଶ ପାଇବା ପରେ ଏକ ସୁନ୍ଦର ବସ୍ତୁରେ ପାଲଟିଯାଏ । ଶିଳ୍ପୀ ପରିବାରର ଦାୟାଦ ରୂପେ ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଓଡିଶାକୁ ବିଶ୍ୱ ଦରବାରରେ ପରିଚିତ ମଧ୍ୟ କରାଇଛନ୍ତି।ସେହି ଯୁବଶିଳ୍ପୀ ଜଣକ ହେଉଛନ୍ତି କାନ୍ତ କିଶୋର ମହାରଣା। ଖୋର୍ଦ୍ଧାରେ ଜନ୍ମିତ କାନ୍ତ କିଶୋରଙ୍କ ପିତା ଓ ଭାଇଙ୍କ ଚାରୁକଳା କାର୍ଯ୍ୟ ତାଙ୍କ ପାଇଁ ଥିଲା ପ୍ରେରଣାର ଉତ୍ସ।ପରବର୍ତ୍ତୀ ସମୟରେ ଏହି ଶିଳ୍ପୀ ଜଣକ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ବାହାରକୁ ଚାଲିଗଲେ କାରିଗରୀ ବିଦ୍ୟାର ନୂତନ ଅନୁସନ୍ଧାନ ପାଇଁ।ବର୍ତ୍ତମାନ ଶ୍ରୀଯୁକ୍ତ କାନ୍ତ କିଶୋର ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପକ ଥିବା ବେଳେ ଖଣ୍ଡଗିରି ଠାରେ ତାଙ୍କର ଏକ ଷ୍ଟୁଡିଓ ରହିଛି।
ତେବେ ନିଜର ହାତରେ ପଥର,ମାର୍ବଲ,ଗ୍ରାନାଇଟକୁ ଏକ ସୁନ୍ଦର ରୂପ ଦେଇଥାନ୍ତି କାନ୍ତ କିଶୋର।ଅନ୍ୟପକ୍ଷରେ ସାମ୍ପ୍ରତିକ ସମାଜର ବିଭିନ୍ନ ବିଷୟକୁ ନିଜର ଶିଳ୍ପ ମାଧ୍ୟମରେ ରୂପ ଦେଇଥାନ୍ତି କାନ୍ତ କିଶୋର।ତେବେ ପଥର ଖୋଦେଇ କରି ତାକୁ ଏକ ନବ୍ୟ ରୂପ ଦେବାରେ ଖୁବ୍ ଆନନ୍ଦ ଅନୁଭବ କରନ୍ତି ଶିଳ୍ପୀ ଜଣକ।ଶିଳ୍ପୀ ଅଦ୍ୱୈତ ଗଡ଼ନାୟକ ଓ ଟୁଟୁ ପଟ୍ଟନାୟକଙ୍କୁ ନିଜର ପ୍ରେରଣା ମାନନ୍ତି କାନ୍ତ କିଶୋର।
ଏହି ଶିଳ୍ପୀ ଜଣଙ୍କ ମତରେ “ପଥର ଖୋଦେଇରେ ଏକ ଆନନ୍ଦ ଥାଏ ଏବଂ ପଥରରେ ଗୋଟେ ପ୍ରକାର ଉର୍ଜା ମଧ୍ୟ ରହିଥାଏ।ପଥର ଖୋଦେଇରେ ହୋଇଥିବା କାରୁକାର୍ଯ୍ୟ ଦୀର୍ଘସ୍ଥାୟୀ ଅଟେ।”
ତେବେ ଓଡ଼ିଶାରେ ପଥର ଓ ଅନ୍ୟାନ୍ୟ ଭାସ୍କର୍ଯ୍ୟ ଶିଳ୍ପର ଭବିଷ୍ୟ ଉପରେ ନିଜର ମତ ଦେବାକୁ ଯାଇ କାନ୍ତ କିଶୋର ଏହା କହିଛନ୍ତି ଯେ “ଓଡିଶାରେ ବର୍ତ୍ତମାନ ଏହି ଶିଳ୍ପର ଅବସ୍ଥା ଭଲ ଅଛି।କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ କମ୍ ପ୍ରଚାର ପ୍ରସାର ରହିଛି।ଜଣେ ଶିଳ୍ପୀ ଏମିତି କାର୍ଯ୍ୟ କରିବା ଦରକାର ଯାହାଦ୍ୱାରା ତାର ଶିଳ୍ପକୁ ଦେଖି ଲୋକ ମନ୍ତ୍ରମୁଗ୍ଧ ହେବେ।ସେଥିପାଇଁ ଆବଶ୍ୟକ କରେ ଉପଯୁକ୍ତ ଜ୍ଞାନ ଓ ପରିପକ୍ଵତା।ଓଡ଼ିଶାରେ ଏହି ଶିଳ୍ପର ବିକାଶ ଆବଶ୍ୟକ।ଶିଳ୍ପୀମାନେ ନିଜର ନିର୍ମାଣ ଶୈଳୀକୁ ଉନ୍ନତ କରନ୍ତୁ।ତତ୍ ସହିତ ଶିଳ୍ପୀଙ୍କ କଳାର ଉପଯୁକ୍ତ ରକ୍ଷଣବେକ୍ଷଣାର ଆବଶ୍ୟକତା ରହିଛି।
କେବଳ ସେତିକି ନୁହେଁ ରାଜ୍ୟରେ ଶିଳ୍ପ ସମ୍ବନ୍ଧୀୟ ଜାତୀୟ ଓ ଅନ୍ତର୍ଜାତୀୟ ମହୋତ୍ସବ କରାଗଲେ ରାଜ୍ୟରେ ଶିଳ୍ପୀମାନେ ସଶକ୍ତ ଓ ଅଭିଜ୍ଞ ହେବେ।

କାନ୍ତ କିଶୋର ମହାରଣାଙ୍କ କୃତି ସମ୍ବନ୍ଧରେ ପଦେ-
ପୁରସ୍କାର-
ଉତ୍ସା ଆର୍ଟ ଫାଉଣ୍ଡେସନ
ଅହଲ୍ୟା ଆର୍ଟ ଫାଉଣ୍ଡେସନ-କେରଳ
ଅପରନ୍ ମ୍ୟୁନିସିପାଳିଟି-ଆର୍ମେନିଆ
ରାଜ୍ୟ ପୁରସ୍କାର-ଓଡ଼ିଶା ଲଳିତ କଳା ଏକାଡେମୀ
ରେଖା ପୌଲ ସ୍ମୃତି ବୃତ୍ତି-କଲିକତା

ପ୍ରଦର୍ଶନୀ ଓ ସମ୍ମିଳନୀ-
ନରେଗାଚି ଆର୍ଟ ଗ୍ୟାଲେରୀ-ଆର୍ମେନିଆ
ଟାଓ ଆର୍ଟ ଗ୍ୟାଲେରୀ-ଭାରତ
ଅନ୍ତେର୍ଜାତୀୟ କଳା ମହୋତ୍ସବ-ଇଜିପ୍ଟ
ଅନ୍ତେର୍ଜାତୀୟ କଳା ପ୍ରଦର୍ଶନୀ-ମିନିଆ ବିଶ୍ୱବିଦ୍ୟାଳୟ,ଇଜିପ୍ଟ
ଷ୍ଟୁଡ଼ିଓ ଆର୍ଟ ଗ୍ୟାଲେରୀ-ନୂଆଦିଲ୍ଲୀ
ଆର୍ଟ ଏକ୍ସପୋ-ମୁମ୍ବାଇ
ରାଜ୍ୟ କଳା ପ୍ରଦର୍ଶନୀ-ବାରିପଦା
ଜାତୀୟ ମୂର୍ତ୍ତି ଶିଳ୍ପ ପ୍ରଶିକ୍ଷଣ ଶିବିର-ଭୁବନେଶ୍ୱର
ଇତ୍ୟାଦି ଅନେକ।

ସଂଗ୍ରହ-ଜାତୀୟ ସଂଗ୍ରହାଳୟ ଭାରତ, ଜାତୀୟ ସଂଗ୍ରହାଳୟ ଆର୍ମେନିଆ, ମିନିଆ ବିଶ୍ୱବିଦ୍ୟାଳୟ ଇଜିପ୍ଟ,ସଂସ୍କୃତି ମନ୍ତ୍ରଣାଳୟ ଆର୍ମେନିଆ।

ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିଜର ଶିଳ୍ପ ମାଧ୍ୟମରେ ଓଡ଼ିଶାର ସଂସ୍କୃତିର ପ୍ରଚାର ପ୍ରସାର କରିବାକୁ ଲକ୍ଷ୍ୟ ରଖିଛନ୍ତି କାନ୍ତ କିଶୋର ମହାରଣା।

Leave a Reply

Your email address will not be published. Required fields are marked *