ସାହିତ୍ୟ ରୂପକ ଗଭୀର ସମୁଦ୍ରରୁ ମୁକ୍ତାସମ ଭାବାର୍ଥକୁ ସାଉଁଟିବା ଆମ କର୍ତ୍ତବ୍ୟ – ଡ.ସୁଚେତା ରାଉତ
ଭୁବନେଶ୍ୱର : ପିଲାଟି ଦିନରୁ ସେ ସାହିତ୍ୟ ଲେଖୁଥିଲେ ସତ କିନ୍ତୁ ସେ ରଚନା ଗୁଡ଼ିକୁ ଏକ ସ୍ଵତନ୍ତ୍ର ପରିଚୟ ଦେବାକୁ ସେ ଟିକେ ଡରୁଥିଲେ। ଘର ପାଖରେ ରହୁଥିବା ବିଶିଷ୍ଟ ବ୍ୟକ୍ତିତ୍ୱ ଆଚାର୍ଯ୍ୟ ହରିହରଙ୍କ ପ୍ରତ୍ୟେକ କଥାକୁ ସେ ଶୁଣୁଥିଲେ ଯହିଁରୁ ସେ ପ୍ରେରଣା ପାଇଥିଲେ ସାରସ୍ଵତ ଜଗତରେ କିଛି କରିବା ପାଇଁ। ବିବାହ ଓ ପାରିବାରିକ ଜଞ୍ଜାଳରୁ ଟିକେ ମୁକ୍ତି ପାଇବା ପରେ ଆରମ୍ଭ କରିଥିଲେ ନିଜର ସାହିତ୍ୟ ଯାତ୍ରା କ୍ଷୁଦ୍ରଗଳ୍ପ ମାଧ୍ୟମରେ। ତେବେ ସେହି ବରିଷ୍ଠ ସାହିତ୍ୟିକା ଜଣଙ୍କ ହେଉଛନ୍ତି ପୁରୀ ଜିଲ୍ଲାରେ ଜନ୍ମିତା ଡ.ସୁଚେତା ରାଉତ। ଓଡ଼ିଆ ଭାଷା ସାହିତ୍ୟରେ ପିଏଚଡ଼ି ଡିଗ୍ରୀ ହାସଲ କରିଥିବା ଏହି ଲେଖିକା ଜଣଙ୍କ ନିଜର ସାହିତ୍ୟ ଜରିଆରେ ଧାର୍ମିକ ଚିନ୍ତନ,ଯୌଥ ପରିବାରର ମାହାତ୍ମ୍ୟ ଏବଂ ଉତ୍ତମ ସମ୍ପର୍କ ବିଷୟରେ ଅଧିକ ଦୃଷ୍ଟି ଦେଇଥାନ୍ତି।
୧୯୯୩ ମସିହାରେ ମହିୟସୀ ମହିଳା ଜ୍ଞାନଦା ପଟ୍ଟନାୟକ ସୁଚେତାଙ୍କ ହାତ ଧରି ଆଣିଥିଲେ ଓଡିଶା ଲେଖିକା ସଂସଦକୁ। ଯେଉଁଠି ସେ ସଭ୍ୟା ହୋଇଥିଲେ ସତ କିନ୍ତୁ ପରବର୍ତ୍ତୀ ସମୟରେ ସେ ଜନ୍ମ ଦେଇଥିଲେ ଅନେକ ସାହିତ୍ୟ କୃତିକୁ ।
ସୁଚେତାଙ୍କ ପ୍ରଥମ କବିତା ସଙ୍କଳନ “ନୂତନ ସଂସାର” ରୁ ଆରମ୍ଭ ହୁଏ ନିଜ ଜୀବନର ସାହିତ୍ୟ ସଂସାର। ଯାହା ଆସି ପହଞ୍ଚିଛି ଆଧ୍ୟାତ୍ମିକ ପୁସ୍ତକ “ଶ୍ରୀକ୍ଷେତ୍ରେ ଶ୍ରୀ ଜଗନ୍ନାଥ” ଠାରେ। ସୁଚେତାଙ୍କ ଧର୍ମପରାୟଣା ଆଦର୍ଶ ଓ ସାହିତ୍ୟ ପ୍ରତି ଥିବା ଗଭୀର ନିଷ୍ଠା ଆଜି ତାଙ୍କୁ ଗୋଟେ ପରେ ଗୋଟେ ସୋପାନକୁ ଚଢିବାରେ ସହାୟକ ହେଉଛି। ତେବେ ବର୍ତ୍ତମାନର ସମାଜରେ ଚାଲୁଥିବା କୁ-ପ୍ରଥା ତଥା ଅପସଂସ୍କୃତି ଯାହା ଆମ ସମାଜକୁ ଦୂଷିତ କରୁଅଛି ତାକୁ କିପରି ଆମେ ଦୂରୀଭୂତ କରିବା ସେଥିଲାଗି ଏହି ଲେଖିକା ଜଣଙ୍କ ନିଜ ଲେଖନୀ ଜରିଆରେ ସମାଜକୁ ଅହରହ ଜାଗ୍ରତ କରାଉଛନ୍ତି। ସବୁଠାରୁ ସୁନ୍ଦର ବିଷୟ ଯାହା ଏହି ସାରସ୍ଵତ ସାଧିକାଙ୍କ ଲେଖନୀରେ ପ୍ରତୀୟମାନ ହୁଏ ତାହା ହେଉଛି ଆଧ୍ୟାତ୍ମିକତା ଏବଂ ସଂସ୍କାରର ମହକ। ତେବେ ଡ. ସୁଚେତାଙ୍କ ମତରେ “ବର୍ତ୍ତମାନର ନାରୀ ସ୍ଵାଧୀନତା ନାମରେ ଉଗ୍ର ଆଧୁନିକତା ନ ହୋଇ ନିଜର ସଂଯମତା ଓ ଶାଳୀନତା ପ୍ରତି ଦୃଷ୍ଟି ଦେବା ବାଞ୍ଛନୀୟ। ଏତଦ୍ ବ୍ୟତୀତ ଆତ୍ମନିର୍ଭରଶୀଳ ଏବଂ ସମସ୍ତ ବିଷୟ ଉପରେ ସଚେତନ ରହିବା ନିତ୍ୟାନ୍ତ ଆବଶ୍ୟକ”।
ଏ ପର୍ଯ୍ୟନ୍ତ ନୂତନ ସଂସାର, ନିରୀହ ଲୁହର ଛବି, ଓଡ଼ିଶାର ଧର୍ମଧାରା, ପୂର୍ବ ଭାରତ ରାମାୟଣରେ ସୀତା ଚରିତ୍ରାୟନ, ଆଜିର ନାରୀ, ଓଡ଼ିଶାରେ ଦେବୀ ଉପାସନା ଭଳି ପୁସ୍ତକ ରଚନା ମାଧ୍ୟମରେ ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ବିଭାଗରେ ନିଜର କୃତି ଛାଡିଛନ୍ତି ଶ୍ରୀମତୀ ରାଉତ।
ସାହିତ୍ୟିକା ସୁଚେତାଙ୍କ କୃତିତ୍ୱ ବିଷୟରେ କିଛି –
ସାରସ୍ଵତ ସାଧିକା ସମ୍ମାନ -ଓଡ଼ିଶା ସାହିତ୍ୟ ଏକାଡେ଼ମୀ, ଅନ୍ତରାଷ୍ଟ୍ରୀୟ ହିନ୍ଦୀ କବି ସମ୍ମିଳନୀ, ଓଡ଼ିଶା ଲେଖିକା ସଂସଦ,କଳିଙ୍ଗ ପୁସ୍ତକ ମେଳା ସାରସ୍ୱତ ସମ୍ମାନ ଇତ୍ୟାଦି।
ଆଗାମୀ ଦିନରେ ଓଡିଆ ଭାଷା ସାହିତ୍ୟକୁ ଆସୁଥିବା ନବାଗତଙ୍କୁ ଲେଖିକା ରାଉତ ଏହି ଉପଦେଶ ଦିଅନ୍ତି ଯେ “ବର୍ତ୍ତମାନ ସମୟର ତରୁଣ ଲେଖାରେ ଅନେକ ପ୍ରକାର ଭାବ ଓ ଭାଷାର ଅଭାବ ଦେଖିବାକୁ ମିଳୁଛି। ତେଣୁ ଯେତେବେଳେ ଆମେ ଲେଖିବା ତା ପୂର୍ବରୁ ପ୍ରଚୁର ପଠନ କରିବା ସହିତ ସମାଜଭିତ୍ତିକ ଲେଖା ଲେଖିବା ଦରକାର ଅତନ୍ତ ବର୍ତ୍ତମାନର ସମୟରେ।