ସମାଜରେ ସଂସ୍କାରମୂଳକ ନୀତିର ସ୍ଥାପନା ପାଇଁ ସାହିତ୍ୟ ଏକ ମାଧ୍ୟମ : ସୁଜାତା ସିହ୍ନା
ଦିନେ ଲୋକଙ୍କ ମନରେ ଗଳ୍ପ ସାହିତ୍ୟକୁ ନେଇ ଖରାପ ଧାରଣା ଥିଲା।ସମାଜ ଓ ପରିବାରର ଏହି ନିମ୍ନ ମାନସିକତା ଭୟରେ ସେ ଲୁଚୁଲୁଚି ଗଳ୍ପ ପୁସ୍ତକମାନ ପଢୁଥିଲେ।ଏକାଧାରରେ ଓଡ଼ିଆ ଭାଷା ସାହିତ୍ୟର ଅନେକ ବିଭାଗ ତଥା ଗଳ୍ପ, ଉପନ୍ୟାସ,କବିତା, ଅନୁବାଦ ସାହିତ୍ୟରେ ସେ ନିପୁଣା ଅଟନ୍ତି । ତାଙ୍କର ଏହି ସମସ୍ତ କୃତିରେ ଗୋଟିଏ ହିଁ ମୁଖ୍ୟ ପ୍ରସଙ୍ଗ ଥାଏ ତାହା ହେଉଛି ଆଜିର ଶିଶୁଙ୍କୁ ନୈତିକତାର ବାଟ ଦେଖାଇବା । ସମାଜରେ ସାହିତ୍ୟ ମାଧ୍ୟମରେ ସଂସ୍କାରମୂଳକ ନୀତିକୁ ସ୍ଥାପନା କରିବାର ନେତୃତ୍ୱ ନେଉଥିବା ଏହି ସୁସାହିତ୍ୟିକା ଜଣଙ୍କ ହେଉଛନ୍ତି ଶ୍ରୀମତୀ ସୁଜାତା ସିହ୍ନା।ପୁରୀ ଜିଲ୍ଲାରେ ଜନ୍ମିତା ସୁଜାତା ମାତ୍ର ସପ୍ତମ ଶ୍ରେଣୀରୁ ନିଜର ଲେଖକୀୟ ଜୀବନ ଆରମ୍ଭ କରିଥିଲେ।ଉତ୍କଳ ବିଶ୍ଵବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ସୁଜାତା ବର୍ତ୍ତମାନ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଅଛନ୍ତି।ଓଡ଼ିଆ ଭାଷା ସାହିତ୍ୟରେ ମନୋଜ ଦାସ,ଉମାକାନ୍ତ ମହାପାତ୍ର ଏବଂ ହିନ୍ଦୀ ସାହିତ୍ୟରେ ପ୍ରେମଚନ୍ଦ୍, ସୁଭଦ୍ରା କୁମାରୀ ଚୌହାନଙ୍କୁ ନିଜର ଆଦର୍ଶ ମଣିଥାନ୍ତି।ଲେଖିକା ସୁଜାତା ଯଦିଓ ସବୁ ପ୍ରସଙ୍ଗରେ ଲେଖିବାକୁ ପସନ୍ଦ କରନ୍ତି କିନ୍ତୁ ଅନୁବାଦ ସାହିତ୍ୟ ପ୍ରତି ତାଙ୍କ ମନରେ ଟିକେ ନିଆରା ରୁଚି ରହିଛି।କାରଣ ତାଙ୍କ ମତରେ “ଅନୁବାଦରେ ଥାଏ ସ୍ବତନ୍ତ୍ରତା।ଏଥିରେ ନୂଆ ଶବ୍ଦର ସଂଯୋଜନା ଏବଂ ଲେଖା ଶୈଳୀରେ ନବୀନତା ଓ କିଛି ରୋଚକତାକୁ ସୃଷ୍ଟି କରିବାର ପର୍ଯ୍ୟାପ୍ତ ସୁଯୋଗ ଥାଏ।
ଲେଖିକା ସୁଜାତା ସିହ୍ନାଙ୍କ କିଛି କୃତି ଓ ପୁରସ୍କାର।
ଅନୁବାଦ-କର୍ଣ୍ଣାଟକର ଲୋକକଥା,ମଧ୍ୟପ୍ରଦେଶର ଲୋକକଥା,
ଟେନାଲୀ ରାମଙ୍କ କାହାଣୀ,କଥା ବୋଇତ ଇତ୍ୟାଦି।
ଉପନ୍ୟାସ-ଘାସଫୁଲ,ପ୍ରଣୟର ଗୋପନ ଗପ,ପରିଚିତ ପାପ,
ପାପ ପରିତାପ ଇତ୍ୟାଦି।
କବିତା – ଅଳକାନନ୍ଦା,ସତପର୍ବା
ଗଳ୍ପ – ସୁନାଫୁଲ,ପିଲାଙ୍କ ପରୀ କାହାଣୀ,ସୁନା ହରିଣ
ମଲା ମୂଷାରୁ ଲକ୍ଷପତି,ପରିଶ୍ରମର ଫଳ କେତେମିଠା,
ପିଲାଙ୍କ ଖୁସି ଇତ୍ୟାଦି।
ପୁରସ୍କାର-
ଶ୍ରୀକ୍ଷେତ୍ର ସାହିତ୍ୟ ପୁରସ୍କାର, ରେବତୀ ସାହୁ ସ୍ମୃତି ସମ୍ମାନ,
ଶିଶୁ ଭାରତୀ ସମ୍ମାନ,ଅର୍କଶ୍ରୀ ସମ୍ମାନ ଇତ୍ୟାଦି।
“ଆଗାମୀ ଦିନରେ ସାହିତ୍ୟ କ୍ଷେତ୍ରକୁ ଆସୁଥିବା ନବାଗତଙ୍କୁ ଶ୍ରୀମତୀ ସିହ୍ନା ଏହି ଉପଦେଶ ଦିଅନ୍ତି ଯେ “ସମାଜରେ ଘଟୁଥିବା ନାନା ଘଟଣା ଉପରେ ନିଜର ଦୃଷ୍ଟି ନିକ୍ଷେପ କରି ତାହାକୁ ପାଠକଙ୍କ ଉଦ୍ଦେଶ୍ୟରେ ସଂକ୍ଷେପରେ ଲେଖିପାରିବା।ଅଧିକ ବର୍ଣ୍ଣନା ନ କରି ମୁଖ୍ୟ ବିଷୟବସ୍ତୁ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଓ ପାଠକ ଉପରୁ ଦୃଷ୍ଟି ବିଚ୍ୟୁତ ନ କରି ସାହିତ୍ୟ ରଚନା କରନ୍ତୁ।”।ସର୍ବଦା ଶିଶୁଙ୍କ ଗହଣରେ ତଥା ସେମାନଙ୍କ ପାଇଁ ଲେଖୁଥିବା ଏହି ଲେଖିକା ଜଣକ ଆଗାମୀ ସମୟରେ ବିଭିନ୍ନ ଭାଷାରେ ନିଜର ଅନୁବାଦ କାର୍ଯ୍ୟକୁ ଏମିତି ଜାରି ରଖିବାର ଲକ୍ଷ୍ୟ ରଖିଛନ୍ତି ବୋଲି ନିଜର ମତ ଉପସ୍ଥାପନା କରିଛନ୍ତି।