ଅନୀତା ପଣ୍ଡାଙ୍କ ଆତ୍ମଜୀବନୀ ପୁସ୍ତକ ‘ସଂଘର୍ଷର ଅନ୍ୟ ନାମ’ ଲୋକାର୍ପିତ

ଭୁବନେଶ୍ୱର : ଜଣେ ଲେଖକ ନିଜର ଆତ୍ମଜୀବନୀ ରଚନା କରିବା କୌଣସି ଗୁଣରେ ଏକ ଉପନ୍ୟାସ ରଚନା କରିବାଠାରୁ ନ୍ୟୂନ ନୁହେଁ। ମହାତ୍ମାଗାନ୍ଧୀ ହୁଅନ୍ତୁ ବା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ହୁଅନ୍ତୁ, ଏମାନେ ନିଜ ଜୀବନର ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଯେଉଁ ଆତ୍ମଜୀବନୀ ରଚନା କରିଯାଇଛନ୍ତି, ଏସବୁ ଉପନ୍ୟାସ ରଚନାଠାରୁ କିଛି କମ୍ ନୁହେଁ ବୋଲି, ପ୍ରଥିତଯଶା ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି। ଆଜି ଭୁବନେଶ୍ୱରସ୍ଥିତ ଜାତୀୟ ଅଭିଲେଖାଗାର ସଭାଗୃହରେ ଜଣାଶୁଣା ଲେଖିକା ଡାକ୍ତର ଅନୀତା ପଣ୍ଡାଙ୍କ ଆତ୍ମଜୀବନୀ ପୁସ୍ତକ “ସଂଘର୍ଷର ଅନ୍ୟ ନାମ” ଉନ୍ମୋଚନ କରି ପ୍ରଫେସର ଆଚାର୍ଯ୍ୟ ଏହି ମତ ରଖିବା ସହିତ ନିଜ ଅନୁଭୂତିରୁ ବିଭିନ୍ନ ଉଦାହରଣ ଦେଇ ନିଜ ମତକୁ ବଳିଷ୍ଠ ଭାବରେ ସାବ୍ୟସ୍ତ କରିଥିଲେ। ଏହି ଅବସରରେ ବରିଷ୍ଠ ପ୍ରଶାସକ ରବିନାରାୟଣ ସେନାପତି ମୁଖ୍ୟ ଅତିଥି, ବିଶିଷ୍ଟ ଭାଷାବିତ ଦେବୀପ୍ରସନ୍ନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଲେଖିକାଙ୍କ ଆତ୍ମଜୀବନୀ ପୁସ୍ତକ ସଂପର୍କରେ ବିଶେଷ ଆଲୋଚନା କରିଥିଲେ। ବରିଷ୍ଠ ସମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ, ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ବସନ୍ତ କୁମାର ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଆତ୍ମଜୀବନୀ ପୁସ୍ତକର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏଥିସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଚିବ ଜୟନ୍ତୀ ରଥ ଓ ଭାଷା ଗବେଷକ ଦେବାଶିଷ ମହାପାତ୍ର ଯୋଗଦାନ କରି ପୁସ୍ତକର ଭାଷା ଓ ଭାବକୁ ନେଇ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କମଳ କୁମାର ଦାଶ |

Leave a Reply

Your email address will not be published. Required fields are marked *