ଶୃଙ୍ଖଳା ଭିତରେ ସାମ୍ପ୍ରତିକ ସମାଜର ବାସ୍ତବ ଚିତ୍ର ସଜାଇବା ହିଁ ସାହିତ୍ୟ : ନମିତା ଦାଶ
ତାଙ୍କ ମତରେ “ଲେଖିବା ପୂର୍ବରୁ ପଠନ ଆବଶ୍ୟକ।ଯାହାଦ୍ୱାରା ନୂତନ ପଥ ଓ ଶବ୍ଦ ମିଳିଥାଏ।ଚିରାଚରିତ ଧାରାରେ ଘଟିଥାଏ ପରିବର୍ତ୍ତନ ଓ ଲେଖାରେ ମିଳେ ଭିନ୍ନ ରୂପ।”ସେହି ବାସ୍ତବବାଦୀ ଲେଖିକା ଜଣକ ହେଉଛନ୍ତି ଶ୍ରୀମତୀ ନମିତା ଦାଶ।ପିଲାଟା ଦିନରୁ ସାହିତ୍ୟ ପ୍ରତି ଥିଲା ତାଙ୍କର ଅହେତୁକ ଦୁର୍ବଳତା।ନିଜକୁ ସବୁବେଳେ ପାଠରେ ମଜି ରଖୁଥିବା ନମିତା ସ୍କୁଲ ସମୟରୁ ଖୁବ୍ ସୁନ୍ଦର ରଚନା ଲେଖୁଥିଲେ ଓ ପୁରସ୍କୃତ ମଧ୍ୟ ହୋଉଥିଲେ।ପରବର୍ତ୍ତୀ ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତି କରିଥିଲେ ସାହିତ୍ୟିକା ନମିତା।ସ୍ନାତକ ସମୟରୁ ସାହିତ୍ୟ ରଚନା କରୁଥିବା ନମିତାଙ୍କ ପ୍ରଥମ ଲେଖା ଖଲ୍ଲିକୋଟ ମହାବିଦ୍ୟାଳୟର ମୁଖପାତ୍ରରେ ପ୍ରକାଶ ପାଇଥିଲା।ଯଦିଓ ସେ ସମୟରେ ନିଜର ଲେଖକୀୟ ଜୀବନର ଆରମ୍ଭିକ କଥା କାହାକୁ କହି ନଥିଲେ।ଯାହାର ଫଳସ୍ୱରୂପ ଯେତେବେଳେ ତାଙ୍କର ପ୍ରଥମ ବହିଟି ପ୍ରକାଶ ପାଇଥିଲା ତାଙ୍କ ପିତା ଝିଅର କୃତି ଉପରେ ବିଶ୍ୱାସ କରି ପାରିନଥିଲେ।ହୋଇଯାଇଥିଲେ ଆଶ୍ଚର୍ଯ୍ୟଚକିତ!।ଓଡ଼ିଆ ଭାଷା ସାହିତ୍ୟରେ ବୀଣାପାଣି ମହାନ୍ତି,ପ୍ରତିଭା ରାୟ,ବିଭୁତି ପଟ୍ଟନାୟକ ଓ ମନୋଜ ଦାସ ପ୍ରମୁଖଙ୍କୁ ନିଜର ଆଦର୍ଶ ମାନନ୍ତି ନମିତା।ଅନ୍ୟପକ୍ଷରେ କବିତା,ଗଳ୍ପ ଓ ପ୍ରବନ୍ଧରେ ନିପୁଣା ଅଟନ୍ତି ଏହି ସୁସାହିତ୍ୟିକା ଜଣକ।ସେ ପସନ୍ଦ କରନ୍ତିନି ବନ୍ଧନର ବେଡି,ତେଣୁ ସେ ପ୍ରଥମେ ପଢ଼ିବାକୁ ଚାହାନ୍ତି ନିଜର ଆଲମାରୀର ୧୦ଥାକ ପୁସ୍ତକକୁ।
ନମିତାଙ୍କ ଲେଖା ଟିକେ ନିଆରା।କାରଣ ତାଙ୍କ ଲେଖାରେ ଥାଏ ସାମ୍ପ୍ରତିକ ସମାଜର ବାସ୍ତବ ଚିତ୍ର।ଯାହା ତାଙ୍କ ଲେଖାରୁ ସ୍ପଷ୍ଟ ବାରି ହୋଇପଡେ।ନିଜ ମନକୁ ଯେତେବେଳେ କିଛି ଛୁଇଁଯାଏ ତାକୁ ଶବ୍ଦରେ ସଜାଇ ଏକ ଗଳ୍ପ କିମ୍ବା କବିତାର ରୂପ ଦିଅନ୍ତି ନମିତା।
ତେବେ ମାଟ୍ରିକ ରେ ପଢ଼ୁଥିବା ସମୟରେ ଜେଜେଙ୍କ ଜ୍ୟୋତିଷଶାସ୍ତ୍ର ପୁସ୍ତକକୁ ମୁକ୍ତଛନ୍ଦରେ ଲେଖୁଥିଲେ।ଏହାଛଡା ପିତାଙ୍କ ପ୍ରେସ୍ ଥିବାରୁ ସମସ୍ତ ଲେଖାର ସଂଶୋଧନ କାର୍ଯ୍ୟ ତୁଲାଉଥିଲେ ନମିତା।ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ସୁସାହିତ୍ୟିକା ହେବାରେ ସାହାଯ୍ୟ କରିଥିଲା।
ନମିତାଙ୍କ କିଛି ପୁସ୍ତକ ରଚନା ଓ କୃତି ବିଷୟରେ ପଦେ-
ଜାଗ୍ରତ ହେବାର ବେଳ-ପ୍ରବନ୍ଧ ସାହିତ୍ୟ
ଶୂନ୍ୟତା ସହ ଭାବ-ଗଳ୍ପ
ଅରାଏ ଶୂନ୍ୟତା-କବିତା
ଶୂନ୍ୟତା ଯେବେ କଥା କହେ-କବିତା
ଜଗନ୍ନାଥ ଶ୍ରଦ୍ଧା ସମ୍ମାନ,ବସନ୍ତ ଉତ୍ସବ ସାହିତ୍ୟ ସମ୍ମାନ।
ତେବେ ଭବିଷ୍ୟତରେ ସାହିତ୍ୟ ରଚନା କ୍ଷେତ୍ରକୁ ଆସୁଥିବା ଯୁବପିଢିଙ୍କୁ ନମିତା ଏହା ଉପଦେଶ ଦିଅନ୍ତି “ଯେ ବରିଷ୍ଠ ସାହିତ୍ୟ ସାଧକ/ସାଧିକାଙ୍କ ପଦାଙ୍କ ଅନୁସରଣ କରିପାରିବେ ଏବଂ ନିଜର ଶୃଙ୍ଖଳା ଭିତରେ ରହି ସାହିତ୍ୟ ରଚନା କରନ୍ତୁ ଏବଂ ତହିଁରେ ଓଡ଼ିଶାର ସଂସ୍କୃତିକୁ ରୁଦ୍ଧିମନ୍ତ କରନ୍ତୁ।”