ଅନୁବାଦ ହିଁ ସାହିତ୍ୟର ଜଗତୀକରଣର ସର୍ବୋକୃଷ୍ଟ ମାଧ୍ୟମ – ଶ୍ରୀମତୀ କନକ ମଞ୍ଜରୀ ସାହୁ

ରେଶମୀ ସହର ବ୍ରହ୍ମପୁରର ଗୋପାଳପୁର ବେଳାଭୂମି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପରିବେଶ ଏବଂ ଗ୍ରାମର ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଝାଉଁବଣ,ପଦ୍ମ ପୋଖରୀ,ଘାସ କିଆରି ତାଙ୍କୁ ପ୍ରେରଣା ଯୋଗାଇ ଥିଲା ଲେଖନୀ ଚାଳନା କରିବା ପାଇଁ।ତାଙ୍କ ଲେଖାର ମୁଖ୍ୟ ପୁଞ୍ଜି ହେଉଛି ଗ୍ରାମୀଣ ପରିବେଶ।ଯାହାର ପ୍ରତିଫଳନ ପଡେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ଅସ୍ତରାଗ ଜରିଆରେ।ତେବେ ସେହି ସୁସାହିତ୍ୟିକା ଜଣକ ହେଉଛନ୍ତି ଶ୍ରୀମତୀ କନକ ମଞ୍ଜରୀ ସାହୁ।ଅବିଭକ୍ତ କଟକ ଜିଲ୍ଲାର ଯାଜପୁରର ଏକ ଜମିଦାର ପରିବାରରେ ଜନ୍ମିତା କନକ ମଞ୍ଜରୀ ପରିବାରର ପ୍ରଥମ ଝିଅ ହୋଇଥିବାରୁ ଅନେକ ସ୍ନେହ ଓ ଶ୍ରଦ୍ଧା ପରିବାରରୁ ପାଇଥିଲେ।କମ୍ ବୟସରେ ବିବାହରେ ବାନ୍ଧି ହୋଇ ଯାଇଥିବା ଏହି ଲେଖିକା ଜଣକ ୧୯୮୭ ମସିହାରୁ ବିଧିବଦ୍ଧ ଭାବେ ନିଜର ସାହିତ୍ୟିକ ଜୀବନ ଆରମ୍ଭ କରିଥିଲେ।ଏହି ଭିତରେ ସ୍ୱାମୀ ପ୍ରାଧ୍ୟାପକ ଧରଣୀଧର ସାହୁଙ୍କ ନେତୃତ୍ୱରେ ଓ ପ୍ରାଧ୍ୟାପକ ଚିତ୍ତ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ରବିବାର ତାଙ୍କ ଘରେ ଆୟୋଜନ ହେଉଥିଲା ସାହିତ୍ୟ ଆସର।ଯେଉଁଠି ବିଶିଷ୍ଟ ସାହିତ୍ୟିକ ମାନଙ୍କର ଆସର ଜମୁଥିଲା।
ବହୁବିଧ ଭାଷା ସାହିତ୍ୟରେ ବିଶିଷ୍ଟ ଲେଖିକା ସୁଧାମୂର୍ତି,ଲେଖିକା ତସଲିମା,ସାରଦା ରଥ,ବୈକୁଣ୍ଠନାଥ ରଥ,ଲେଖକ ଚିତ୍ତ ରଞ୍ଜନ ଦାସ ଓ ନୀରବ ସାଧକ ମନୋଜ ମହାପାତ୍ରଙ୍କୁ ନିଜର ଆଦର୍ଶ ମାନନ୍ତି ଲେଖିକା କନକ ମଞ୍ଜରୀ।ଅନେକ ସାହିତ୍ୟିକ ମାନଙ୍କ ଗଳ୍ପ, ଅନୁବାଦକ,ପ୍ରବନ୍ଧିକଙ୍କ ଲେଖାରେ ଅନୁପ୍ରାଣୀତା ଶ୍ରୀମତୀ ସାହୁ ଅନୁବାଦ ସାହିତ୍ୟରେ ସିଦ୍ଧହସ୍ତା ଅଟନ୍ତି।ତାଙ୍କ ମତରେ “ଗୋଟିଏ ଭାଷାର ସାହିତ୍ୟକୁ ଅନ୍ୟ ଏକ ଭାଷାରେ ରୂପାନ୍ତରିତ କରିବାରେ ଅନୁବାଦ ଏକ ସେତୁ ରୂପେ କାର୍ଯ୍ୟ କରେ।ଅନୁବାଦ ଜରିଆରେ ଆମେ ବିଶ୍ୱ ସାହିତ୍ୟକୁ ଜାଣିପାରିବା।”ଲେଖିକା କନକ ମଞ୍ଜରୀ ବହୁ ପ୍ରତିଭାର ଅଧିକରିଣୀ।ଏକାଧାରରେ ସେ ଜଣେ କଳାକାର, ସମାଜସେବୀ ଓ ଆକାଶବାଣୀରେ କାର୍ଯ୍ୟରତ କବୟିତ୍ରୀ ଅଟନ୍ତି।

ସାହିତ୍ୟିକା କନକ ମଞ୍ଜରୀ ସାହୁଙ୍କ କୃତି ଓ ପୁରସ୍କାର ବିଷୟରେ କିଛି-

ଅନୁବାଦ-
ଆବୁ ଖାଁର ଛେଳି,ଭାରତୀୟ ଓ ନେପାଳୀ ଭାଷାର ନିର୍ବାଚିତ ଗଳ୍ପ,
ଚାନ୍ଦର ପାହାଡ଼,କାଠଘର ଓ ଅନ୍ୟାନ୍ୟ ଗଳ୍ପ,ବତ୍ରିଶ ସିଂହାସନ କଥା,ସୁଦୂର ଝରଣା ପାଣିରେ,ଆଖିର ପରିଭାଷା।
ଉପନ୍ୟାସ-ରାଧାକୃଷ୍ଣ,ସତ୍ୟଭାମା।
ଗଳ୍ପ-ଅସ୍ତରାଗ,ନିସ୍ତବ୍ଧ ପୃଥିବୀ,ମଲାଲା ଏକ ସାହସୀ ଝିଅର କାହାଣୀ ଇତ୍ୟାଦି।

ପୁରସ୍କାର-
ହିମାଳୟର କନ୍ୟା ପୁରସ୍କାର-କାଠମାଣ୍ଡୁ,ନେପାଳ
ସୃଜନ ଗାଥା ଅନୁବାଦ ସମ୍ମାନ-ବେଜିଂ,ଚାଇନା
ସୃଜନ ଗାଥା ସମ୍ମାନ,ଅନ୍ତର୍ଜାତୀୟ ହିନ୍ଦୀ ସମ୍ମିଳନୀ-କଲମ୍ବୋ,ଶ୍ରୀଲଙ୍କା।
ଅନୁବାଦ ପୁରସ୍କାର-ରାଜଧାନୀ ପୁସ୍ତକ ମେଳା
ଶିଶୁ ସାହିତ୍ୟ ପୁରସ୍କାର-ଭୁବନେଶ୍ୱର ପୁସ୍ତକ ମେଳା
ପୁର୍ଣେନ୍ଦୁ ମିଶ୍ର ସ୍ମାରକୀ ଅନୁବାଦ ପୁରସ୍କାର-କଳିଙ୍ଗ ପୁସ୍ତକ ମେଳା
ଗୋକର୍ଣ୍ଣିକା ଅନୁବାଦ ପୁରସ୍କାର।ଇତ୍ୟାଦି ଅନେକ।

ବର୍ତ୍ତମାନ ଓଡ଼ିଆ ଭାଷା ସାହିତ୍ୟକୁ ଆସୁଥିବା ନବାଗତ ଲେଖକ ମାନଙ୍କୁ ଏହି ଅନୁବାଦିକା ଜଣକ ଏହି ଉପଦେଶ ଦିଅନ୍ତି ଯେ- “ପ୍ରଥମେ ବହୁତ ପୁସ୍ତକ ଅଧ୍ୟୟନ କରନ୍ତୁ।ତହିଁରୁ ସଠିକ୍ ମୂଲ୍ୟାୟନ କରି ଜ୍ଞାନ ଅର୍ଜନ କରି ପୁସ୍ତକ ରଚନା କରନ୍ତୁ।”
ଆଗାମୀ ଦିନରେ ହିନ୍ଦୀ ଓ ବଙ୍ଗଳା ସାହିତ୍ୟର ମୂଲ୍ୟବାନ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରି ଓଡ଼ିଶାର ପାଠକମାନଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି ସାହିତ୍ୟିକା କନକ ମଞ୍ଜରୀ ସାହୁ।

Leave a Reply

Your email address will not be published. Required fields are marked *