ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ମରଣତ୍ତୋର ଭାରତରତ୍ନ ପ୍ରଦାନ ଦାବି କରି ସୁଆଣ୍ଡୋରୁ କଟକ ସ୍ଥିତ ସମାଜ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା

ଭୁବନେଶ୍ୱର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଥିଲେ ସେବା ଓ ତ୍ୟାଗର ପ୍ରତୀକ | ତାଙ୍କର ଏହି ମହାନ ବ୍ୟକ୍ତିତ୍ବକୁ ଭାବେ ଭାରତର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ପ୍ରଦାନ କରିବାକୁ ଏକ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି | ଗୋପବନ୍ଧୁଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରୁ କର୍ମଭୂମି କଟକ ସ୍ଥିତ ସମାଜ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ପଦଯାତ୍ରା ଆୟୋଜନ କରାଯିବ | ଏ ନେଇ ଦିର୍ଘ ଦିନ ହେବ ଦାବି କରିଆସୁଥିବା ସାମାଜିକ କର୍ମୀ ସଞ୍ଜୟ ପରିଡାଙ୍କ ନେତୃତ୍ୱରେ ଆସନ୍ତା ଡିସେମ୍ବର 28 ତାରିଖ ଦିନ ପୂର୍ବାହ୍ନରେ ସୁଆଣ୍ଡୋ ଗ୍ରାମ ନିକଟରୁ ଏହି ପଦଯାତ୍ରା ବାହାରି ପରଦିନ ଅର୍ଥାତ 29 ତାରିଖ ଅପରାହ୍ନରେ କଟକର ସମାଜ ଅଫିସ ଠାରେ ପହଂଚିବାର କାର୍ଯ୍ୟକ୍ରମ ରହିଛି | ଭୁବନେଶ୍ୱରରେ ପହଞ୍ଚି ରାଜଭବନ ଯାଇ ମାନ୍ୟବର ରାଜ୍ୟପାଳଙ୍କୁ ମଧ୍ୟ ଏ ସଂକ୍ରାନ୍ତ ଏକ ଦାବି ପତ୍ର ଦିଆଯିବାର କାର୍ଯ୍ୟକ୍ରମ ରହିଛି | ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପଦଯାତ୍ରା ସମୟରେ ରାସ୍ତାରେ ବହୁ ସାମାଜିକ କର୍ମୀ, ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ବ୍ୟକ୍ତିବିଶେଷ, ଅନୁଷ୍ଠାନ ମାନ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହେବେ | ଏନେଇ ସାମାଜିକ କର୍ମୀ ସଞ୍ଜୟ ପରିଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନ ଏବେବି ଅନେକଙ୍କୁ ନିସ୍ଵାର୍ଥପର ଭାବେ ସମାଜସେବା କରିବା ପାଇଁ ପ୍ରେରଣା ଦେଉଛି | ତେଣୁ ଓଡ଼ିଶାର ଏହି ମହାନ ବ୍ୟକ୍ତିତ୍ବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ମରଣତ୍ତୋର ଭାରତରତ୍ନ ପ୍ରଦାନ ଦାବି ସହ ତାଙ୍କ ସେବା ଓ ତ୍ୟାଗର ମହାନ ବଳିଦାନକୁ ନେଇ ସମଗ୍ର ଓଡ଼ିଶାରେ ଏକ ଜନଜାଗରଣ ସୃଷ୍ଟି କରିବା ମଧ୍ୟ ଏହି ପଦଯାତ୍ରାର ଅନ୍ୟ ଏକ ଉଦ୍ଦେଶ୍ୟ | ଏଣୁ ଅଧିକରୁ ଅଧିକ ଜନସାଧାରଣ ଏହି ଦାବିକୁ ସମର୍ଥନ ଜଣାଇ ପଦଯାତ୍ରାରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି | ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ, ବିଶିଷ୍ଟ ସମାଜସେବୀ ଅଲେଖଚନ୍ଦ୍ର ଜେନା ଏବଂ ପରମେଶ୍ୱର ଦାଶ ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ |

Leave a Reply

Your email address will not be published. Required fields are marked *