ମଦର ପକ୍ଷରୁ ଜାତୀୟ ବାଳିକା ଦିବସ ପାଳିତ
ଭୁବନେଶ୍ୱର : ଦେଶର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମଦର ପକ୍ଷରୁ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି | ସ୍ଥାନୀୟ ଖଣ୍ଡଗିରୀ ସ୍ଥିତ ସୁଭଦ୍ରା ମହତାବ ସେବା ସଦନ ଠାରେ କୁନିକୁନି କନ୍ୟାରତ୍ନ ମାନଙ୍କ ଗହଣରେ ଏକ ନିଆରା ହସଖୁସିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ମଦର ଅନୁଷ୍ଠାନର ସମ୍ପାଦିକା ସସ୍ମିତା ଦାସ, ମୁଖ୍ୟ ପରିଚାଳନା ଅଧିକାରୀ ପ୍ରମୋଦ ଦାସ ଏବଂ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପିଲାମାନଙ୍କ ସହ ସମୟ ବିତାଇଥିଲେ | କନ୍ୟାଶ୍ରମରେ ରହୁଥିବା କୁନି ଝିଅ ମାନଙ୍କୁ ପାଠ୍ୟ ଉପକରଣ ସହ ଅନ୍ୟାନ ସାମଗ୍ରୀ ପ୍ରଦାନ କରାଯାଇଥିଲା | ମିଷ୍ଟାନ ବଣ୍ଟନ ସହ ପିଲା ମାନେ ଖୁବ ସୁନ୍ଦର ନୃତ୍ୟ ସଂଗୀତ ପରିବେଷଣ କରିଥିଲେ |
ଏହି ଅବସରରେ ସମ୍ପାଦିକା ସସ୍ମିତା ଦାସ କହିଥିଲେ କି, ଭାରତୀୟ ସମାଜରେ ଝିଅମାନେ ସମ୍ମୁଖୀନ ହେଉଥିବା ଅସମାନତା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ୨୦୦୮ ମସିହାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ଦ୍ୱାରା ଏହା ଆରମ୍ଭ କରାଯାଇଥିଲା | ହେଲେ ଏହାକୁ ସଫଳ କରିବା ଦାୟିତ୍ୱ ଆମ ସମସ୍ତଙ୍କର | ମଦର ପକ୍ଷରୁ କନ୍ୟା ସନ୍ତାନ ବଞ୍ଚାଅ, ଶିଶୁ ଲିଙ୍ଗ ଅନୁପାତ ସମ୍ପର୍କରେ ସଚେତନତା ଅଭିଯାନ ଏବଂ ଝିଅମାନଙ୍କ ପାଇଁ ଏକ ସୁସ୍ଥ ଏବଂ ସୁରକ୍ଷିତ ପରିବେଶ ସୃଷ୍ଟି ସମେତ ସଂଗଠିତ କାର୍ଯ୍ୟକ୍ରମ ସହିତ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳନ କରାଯାଇ ଆସୁଅଛି | ଚଳିତ ବର୍ଷର ଏହାର ଥିମ୍ ରହିଛି ‘ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଝିଅମାନଙ୍କୁ ସଶକ୍ତ କରିବା’। ତେଣୁ ଆମେ ମାନେ ପିଲାଙ୍କ ପାଇଁ ଆବଶ୍ୟକ ପାଠ୍ୟ ଉପକରଣ ପ୍ରଦାନ କଲୁ | ଆଗାମୀ ଦିନମାନଙ୍କରେ ମଧ୍ୟ ଏମିତି ସଚେତନତା ଏବଂ ସହଯୋଗ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ | ତା ସହ ସୁଭଦ୍ରା ମହତାବ ସେବା ସଦନର ପରିଚାଳନା କମିଟି ଏବଂ କର୍ମକର୍ତ୍ତାଙ୍କୁ ଏମିତି ଏକ କନ୍ୟାଶ୍ରମ ସୁବ୍ୟବସ୍ଥିତ ତଥା ସୁଚାରୁରୂପେ ପରିଚାଳନା କରୁଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ |