ସିନେମା ଆଉ ସାହିତ୍ୟ ଯେଉଁଠି ଏକାଠି ହୋଇଥାନ୍ତି ସେଇଠି ସଂସ୍କୃତିର ମୂଳଦୁଆ ଆହୁରି ମଜବୁତ୍ ହୋଇଉଠେ : ଶ୍ରୀମତୀ ସୁଲୋଚନା ଦାସ
ଭୁବନେଶ୍ୱର : ସାରସ୍ଵତ ଅନୁଷ୍ଠାନ ନୀଳକଇଁ ପକ୍ଷରୁ ସ୍ଥାନୀୟ ରେଡକ୍ରସ ଭବନ ଠାରେ ଏକ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଭୁବନେଶ୍ୱର ମହାନଗର ନିଗମର ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
‘ସିନେମା ସହ ସାହିତ୍ୟର ସଂପୃକ୍ତି ; ବର୍ତ୍ତମାନ ସ୍ଥିତି ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ରରେ ରାଜ୍ୟ ଚଳଚିତ୍ର ପୁରସ୍କାର ବିଜେତା, ବିଶିଷ୍ଟ ସଂଳାପକାର ଡ ରଜନୀ ରଞ୍ଜନ, ସିନେସମିକ୍ଷକ ତଥା ନିର୍ଦ୍ଦେଶକ ଡ ସୂର୍ଯ୍ୟ ଦେଓ, ନାଟ୍ୟକାର ତଥା ଚିତ୍ରନାଟ୍ୟ ନିର୍ଦ୍ଦେଶକ ପ୍ରଣବ ଦାସ
ଏବଂ ଗାଳ୍ପିକ, ନାଟ୍ୟକାର ତଥା ସମାଲୋଚକ ଜାକିର ଖାନ୍ ଯୋଗଦେଇ ମତ ରଖିଥିଲେ । ଦୀର୍ଘ ଦଶନ୍ଧି ଧରି ସାହିତ୍ୟର ଉପାଦାନ ସବୁ କେମିତି ସିନେମାରେ ଅଭିନୟ ମାଧ୍ୟମରେ ଜୀବନ୍ତ ହେଇଛନ୍ତି ଏବଂ ସୃଜନର ରାସ୍ତାରେ ଆଗେଇ ଚାଲିଛନ୍ତି ତାହା ଉପରେ ବକ୍ତା ମାନେ ଆଲୋଚନା କରିଥିଲେ ।
ବିଶିଷ୍ଟ ଲେଖିକା ତଥା ସାମ୍ବାଦିକା ସୈରେନ୍ଧ୍ରି ସାହୁଙ୍କୁ । ନୀଳକଇଁ ସାରସ୍ଵତ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ନୀଳକଇଁ ପତ୍ରିକାର ସ୍ଵତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା ।
କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ କବିତା ପାଠ ଉତ୍ସବରେ ନିମନ୍ତ୍ରିତ ୨୦ ଜଣ ଅତିଥି କବି ସେମାନଙ୍କ ସ୍ବରଚିତ କବିତା ପାଠ କରିଥିଲେ । ସ୍ନେହା ଦାସ ଲେଙ୍କା ଓ ବେଦ ପ୍ରକାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଶେଷରେ କୁନି କଳାକାର ଫିଓନା ଦାସଙ୍କ ରାମାୟଣ ଆଧାରିତ ନୃତ୍ୟଭିନୟ ସମସ୍ତଙ୍କ ମନମୁଗ୍ଧ କରିଥିଲା ।
ନୀଳକଇଁର ସମ୍ପାଦିକା ସସ୍ମିତା ଦାସ ସ୍ବାଗତ ଭାଷଣ ଦେବା ସହ ଅତିଥି ମାନଙ୍କୁ ଆନୁଷ୍ଠାନିକ ସ୍ବାଗତ କରିଥିଲେ। ଏବଂ ନୀଳକଇଁର ସହଯୋଗୀ ଅନୁଷ୍ଠାନ ମଦରର ମୂଖ୍ୟ ପରିଚାଳକ ପ୍ରମୋଦ କୁମାର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ ।