ବ୍ରହ୍ମପୁରରେ ଖୋଲିଲା ପାଟବୁଣା କେନ୍ଦ୍ର ; ବୁଣାକାର ମାନେ ଏହି କେନ୍ଦ୍ରକୁ ଆସି ପାଟ ବୁଣିବା ସହିତ ବିକ୍ରିବଟା କରିପାରିବେ

ବ୍ରହ୍ମପୁର: ବ୍ରହ୍ମପୁରର ପାଟ ଏବେ ଆହୁରି ପ୍ରସିଦ୍ଧି ଲାଭ କରିବ, କାରଣ ପାଟ ବୁଣାକାରମାନଙ୍କ ନିମନ୍ତେ ସହରରେ ଖୋଲିଛି ପାଟବୁଣା କେନ୍ଦ୍ର। ଏହି କେନ୍ଦ୍ରରେ ବୁଣାକାରମାନଙ୍କୁ ଅତ୍ୟାଧୁନିକ ତଥା ନୂଆ ଭାବେ ଡ଼ିଜାଇନ୍‌ ପାଟବୁଣା ନିମନ୍ତେ ତାଲିମ ପ୍ରଦାନ କରାଯିବା ସହିତ ପାଟ ବିକ୍ରି ମଧ୍ୟ କରିପାରିବେ।

ଯେଉଁମାନେ ଭଡ଼ା ଘରେ ରହି ପାଟ ବୁଣିବା ସମ୍ଭବପର ହୋଇପାରୁନଥିଲେ ସେମାନେ ବର୍ତ୍ତମାନ ଏହି ପାଟବୁଣା କେନ୍ଦ୍ରକୁ ଆସି ପାଟ ବୁଣିବା ସହିତ ବିକ୍ରିବଟା କରିପାରିବେ। ବି.ଏମ.ସି. ପକ୍ଷରୁ ୧୦ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏଥି ନିମନ୍ତେ ନିଯୁକ୍ତି ଦିଆଯାଇଛି। ସେମାନଙ୍କୁ ବୁଣା ଯନ୍ତ୍ର ସହ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯିବ। ବି.ଏମ.ସି. ଓ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ଧନ୍ୟବାଦ ଜ୍ଞାପନ କରିଛନ୍ତି ବୁଣାକାର। ଏହା ବ୍ୟତୀତ ଯଦି ବୁଣାକାରଙ୍କୁ ସେଠାରେ ଘର ଯୋଗାଇ ଦିଆଯିବା ସହିତ ଅଧିକ ତନ୍ତ ଯୋଗାଇ ଦିଆଯାଇଥାନ୍ତା ତେବେ ଆହୁରି ସୁବିଧା ପାଇଥାନ୍ତେ ସେମାନେ ବୋଲି କହିଛନ୍ତି।

ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କହିଛନ୍ତି, ‘‘ବ୍ରହ୍ମପୁର ସହରରେ ଶତାଧିକ ବୁଣାକାର ପରିବାର ରହୁଛନ୍ତି । ଦୀର୍ଘ ବର୍ଷ ହେଲା ସେମାନେ ନାହିଁ ନଥିବା ସମସ୍ୟାର ସମ୍ମଖୀନ ହୋଇଆସିଥିଲେ। ଏନେଇ ସେମାନଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ମଧ୍ୟ ଆସିଥିଲା । ସେହି କ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପାଟବୁଣା କେନ୍ଦ୍ର ନିର୍ମାଣ ହୋଇଛି । ବି.ଏମ.ସି. ଦ୍ବାରା ଚୟନ କରାଯାଇଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏଠାକୁ ଆସିବେ। ଏଠାରେ ନୂଆ ଡିଜାଇନର ପାଟ ବୁଣା କାର୍ଯ୍ୟ ଶିକ୍ଷା ଲାଭ କରିବା ସହିତ ନିଜର ପାଟକୁ ବିକ୍ରି ମଧ୍ୟ କରିପାରିବେ। ପୂର୍ବରୁ କିଛି ବୁଣାକାର ନିଜ ଘରେ ବୁଣୁଥିବା ବେଳେ ଅନ୍ୟ କିଛି ଜଣ ଅନ୍ୟ ଲୋକଙ୍କ ଘରେ ବୁଣୁଥିଲେ। ଯାହାଫଳରେ ସେମାନେ ପାଟ ବିକ୍ରି କରିବା ପରେ ଉଚିତ୍ ମୂଲ୍ୟ ପାଇପାରୁନଥିଲେ । କିନ୍ତୁ ଏଠାରେ ସମ୍ପୃକ୍ତ ମହିଳାମାନେ ନିଜେ ପାଟ ବୁଣିବା ସହିତ ଏହାର ବିକ୍ରି କରି ସିଧାସଳଖ ଭାବେ ଟଙ୍କା ପାଇଁ ନିଜେ ଭଲ ଦୁଇ ପଇସା ରୋଜଗାର କରିପାରିବେ ।’’

ବର୍ତ୍ତମାନ ଏହି ପାଟବୁଣା କେନ୍ଦ୍ରକୁ ଆସି ପାଟ ବୁଣିବା ସହିତ ବିକ୍ରିବଟା କରିପାରିବେ

ବର୍ତ୍ତମାନ ପାଟବୁଣାକାରମାନଙ୍କ ନିମନ୍ତେ ପାଟବୁଣା କେନ୍ଦ୍ର କରାଯାଇଥିବା ବେଳେ ଆଗାମୀ ଦିନରେ ସେମାନଙ୍କ ନିମନ୍ତେ ଘର ନିର୍ମାଣ ନିମନ୍ତେ ଦାବି ରହିଥିବା ବେଳେ ତାହା କେତେ ଦୂର ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *