ପୁରନ୍ଦର ମିଶ୍ର ଛତିଶଗଡ଼ ବିଧାନସଭାକୁ ନିର୍ବାଚିତ ; ନୂଆ ବିଧାନସଭାରେ ଏକମାତ୍ର ଓଡ଼ିଆ

ରାୟପୁର/ଭୁବନେଶ୍ବର : ଛତିଶଗଡ଼ ରାଜ୍ୟର ବୃହତ ଓଡ଼ିଆ ସମାଜର ସଭାପତି ଏବଂ ଭାରତୀୟ ଜନତା ପାର୍ଟି ର ପାର୍ଥୀ ପୁରନ୍ଦର ମିଶ୍ର, ରାୟପୁର ନଗର ଉତ୍ତର ଆସନ ରୁ ବିଜୟ ଲାଭ କରିଛନ୍ତି। ଶ୍ରୀ ମିଶ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସ ର ପାର୍ଥୀ କୂଳଦୀପ ସିଂହ ଜୁନେଜା ଙ୍କୁ ୨୩ହଜାର ୫୪ ଖଣ୍ଡ ଭୋଟରେ ପରାସ୍ତ କରିଥିବା ଜଣାଯାଇଛି। ଶ୍ରୀ ମିଶ୍ର ୫୪ହଜାର ୨୭୯ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ଜୁନେଜା ୩୧ହଜାର୨୨୫ଖଣ୍ଡ ଭୋଟ ପାଇଛନ୍ତି।ଛତିଶଗଡ଼ ର ନବନିର୍ବାଚିତ ବିଧାନ ସଭା ରେ ଶ୍ରୀ ମିଶ୍ର ଏକମାତ୍ର ଓଡ଼ିଆ ବିଧାୟକ ହେବେ। ପୁରନ୍ଦର ମିଶ୍ର ଏବେ ୱାଲର୍ଡ ଓଡ଼ିଆ ସୋସାଇଟି ର ଛତିଶଗଡ଼ ଶାଖା ର ମୁଖ୍ୟ ପୃଷ୍ଠପୋଷକ ଆସନରେ ଅଧିଷ୍ଠିତ ଅଛନ୍ତି। ରାୟପୁର ର ଗାୟତ୍ରୀ ନଗର ଠାରେ ଶ୍ରୀ ମିଶ୍ର ଙ୍କ ଦ୍ଵାରା ପ୍ରତିଷ୍ଠିତ ଛତିଶଗଡ଼ ପ୍ରଦେଶର ସବୁଠାରୁ ବଡ଼ ଜଗନ୍ନାଥ ମନ୍ଦିର ତାଙ୍କର ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି।

ଆଜି ଅପରାହ୍ଣ ରେ ଶ୍ରୀ ମିଶ୍ର ଙ୍କର ଜିତିବା ଖବର ମିଳିବା ପରେ ଛତିଶଗଡ଼ ର କୋଣ ଅନୁକୋଣରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ,ଶ୍ରୀ ଜଗନ୍ନାଥଙ୍କର ଭକ୍ତ ମହଲ ଏବଂ ବିଶ୍ଵଭରି ୱାଲର୍ଡ ଓଡ଼ିଆ ସୋସାଇଟି ର ସଦସ୍ୟ ମାନଙ୍କ ମଧ୍ୟରେ ଆନଂଦ ଓ ଉଲ୍ଲାସ ର ଲହରୀ ଖେଳିଯାଇଥିବା ଲକ୍ଷ କରାଯାଇଛି।ଆଜି ସନ୍ଧ୍ୟାରେ ଶ୍ରୀ ମିଶ୍ର ଙ୍କୁ ଗାୟତ୍ରୀ ନଗର ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ ଙ୍କର ଉପସ୍ଥିତି ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇ ଥିବାର ଖବର ମିଳିଛି।ବର୍ତ୍ତମାନ ଓଡ଼ିଶା ,ଦେଶର ବିଭିନ୍ନ ସ୍ଥାନ ଏବଂ ବିଦେଶରୁ ପ୍ରବାସୀ ଓଡ଼ିଆ ନେତୃବର୍ଗ ତଥା ଶ୍ରୀ ମିଶ୍ର ଙ୍କର ସମର୍ଥକ ଓ ଶୁଭେଚ୍ଛୁ ମାନଙ୍କ ପକ୍ଷରୁ ତାଙ୍କ ନିକଟକୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ର ସୁଅ ଛୁଟି ଥିବା ପ୍ରାପ୍ତ ସୂଚନା ରୁ ପ୍ରକାଶ।ଶ୍ରୀ ମିଶ୍ରଙ୍କୁ ତାଙ୍କର ବିପୁଳ ବିଜୟ ପାଇଁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇ ୱାଲର୍ଡ ଓଡ଼ିଶା ସୋସାଇଟି ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଏକ ବାର୍ତ୍ତା ରେ ଛତିଶଗଡ଼ର ନୂତନ ବିଧାନସଭା ରେ ପୁରନ୍ଦର ମିଶ୍ର ଓଡ଼ିଆ ମାନଙ୍କର ପ୍ରକୃତ ପ୍ରତିନିଧି ହେବେ ଓ ସେମାନଙ୍କ ର ଆଶାଆକାଂକ୍ଷା କୁ ପୂରଣ କରିବାରେ ନିଶ୍ଚିତ ଭାବେ ସକ୍ଷମ ହେବେ ବୋଲି ଭରସା ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନିକଟରେ ଶ୍ରୀ ମିଶ୍ର ଛତିଶଗଡ଼ ରେ ବସବାସ କରୁଥିବା ଓଡ଼ିଆ ମାନଙ୍କ ର ଛାମୁଆଁ ସଂଗଠନ ବୃହତ ଓଡ଼ିଆ ସମାଜ ର ସଭାପତି ରୂପେ ସର୍ଵସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଏହି ବୃହତ ସମାଜ ଅଧୀନରେ ପ୍ରଦେଶର ୩୫ଲକ୍ଷ ଓଡ଼ିଆ ଆଦିବାସୀଙ୍କୁ ପ୍ରତିନିଧିତ୍ୱ କରୁଥିବା ୨୪ଟି ଜାତିଭିତ୍ତିକ ସମାଜ ଅନ୍ତର୍ଭୁକ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *