ଜାନୁଆରି ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ ରାଜଭବନ ଉଦ୍ୟାନ

ଭୁବନେଶ୍ବର: ଜାନୁଆରି ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ ରାଜଭବନ ଉଦ୍ୟାନ। ଛୁଟିଦିନ ଓ ରବିବାର ସମେତ ପ୍ରତ୍ୟେକଦିନ ଅପରାହ୍‌ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଜନସାଧାରଣ ଦେୟମୁକ୍ତ ଭାବେ ଉଦ୍ୟାନ ପରିଦର୍ଶନ କରିପାରିବେ। ଚଳିତ ବର୍ଷ ରାଜଭବନରେ କେବଳ ମୋବାଇଲ୍‌ ଆପ୍‌ ପଞ୍ଜୀକରଣ ମାଧ୍ୟମରେ ପ୍ରବେଶ ଅନୁମତି ଦିଆଯିବ। ଏହି ଆପ୍‌କୁ ଡାଉନଲୋଡ୍‌ କରିବାକୁ ହେଲେ ପ୍ଲେ-ଷ୍ଟୋର୍‌ରୁ ଉଦ୍ୟାନ ପରିଦର୍ଶନ ରାଜଭବନର ମୋବାଇଲ୍‌ ଆପ୍‌ ଡାଉନଲୋଡ଼୍‌ କରିବାକୁ ପଡ଼ିବ।

ଏଥିସହ ଓଡ଼ିଶା ରାଜଭବନ ୱେବ୍‌ସାଇଟ୍‌ରେ ଥିବା କ୍ୟୁଆର୍‌ କୋଡ୍‌କୁ ମଧ୍ୟ ସ୍କାନ୍‌ କରି ଆପ୍‌ ଡାଉନଲୋଡ୍‌ କରିପାରିବେ। ବିଶେଷକରି ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ସମୟ ସ୍ଥିର ହୋଇଛି। ସ୍କୁଲ୍‌ କର୍ତ୍ତୃପକ୍ଷ ଏନେଇ ଅଧିକ ବିବରଣୀ ଜାଣିବାକୁ ଚାହୁଥିଲେ www.rajbhavanodisha.gov.in ପରିଦର୍ଶନ କରିପାରିବେ।

ଉଲ୍ଲେଖଥାଉ କି, ପ୍ରତିବର୍ଷ ଏହି ଅବଧି ଭିତରେ ରାଜଭବନକୁ ଦୈନିକ ୧୦ ହଜାର ଲୋକଙ୍କ ସମାଗମ ହୋଇଥାଏ। ତେବେ ଏଥର ପର୍ଯ୍ୟଟକ ସଂଖ୍ୟା ବୃଦ୍ଧିପାଇବ ବୋଲି ଆଶା କରାଯାଉଛି। ରାଜଭବନ ପରିସରରେ ୱା‌ଟର୍‌ ଫାଉଣ୍ଟେନ୍‌, ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌, ଗୋଲାପ ଉଦ୍ୟାନ, ହରିଣ ପାର୍କ, ମୟୂର, ବତକ, କକଟେଲ୍‌ ପକ୍ଷୀଘର ସହ ଉଦ୍ୟାନର ସବୁଜିମା ପରିବେଶ ଉପଭୋଗ କରିହେବ। ରାଜଭବନ ପରିସରକୁ ଖାଦ୍ୟଦ୍ରବ୍ୟ ଏବଂ ଅନ୍ୟ ଆପତ୍ତିଜନକ ସାମଗ୍ରୀ ନଆଣିବା ସହ ସ୍ବଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *