ରାମ ମନ୍ଦିରର ପୂଜାରୀ ମୋହିତ ପାଣ୍ଡେଙ୍କ ନକଲି ଆପତ୍ତିଜନକ ଫଟୋ ଭାଇରାଲ କରି ବନ୍ଧା ହେଲେ କଂଗ୍ରେସ ନେତା

ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦ ପାଇଁ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ବରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେଙ୍କୁ ଚୟନ କରାଯାଇଛି । ମୋହିତଙ୍କୁ ପୂଜାରୀ ଭାବେ ଚୟନ କରାଯିବା ପରେ ତାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ମୋହିତଙ୍କର ଜଣେ ମହିଳାଙ୍କ ସହିତ ଆପତ୍ତିଜନକ ଫଟୋ ଭାଇରାଲ ହେବା ପରେ ସମସ୍ତେ ଚିକିତ ହୋଇଯାଇଛନ୍ତି।

ପୁଲିସ ଯାଞ୍ଚରୁ ଏହି ଭାଇରାଲ ଫଟୋ ନକଲି ବୋଲି ଜଣାପଡ଼ିଛି। ତେବେ ପୂଜାରୀଙ୍କ ନକଲି ଆପତ୍ତିଜନକ ଫଟୋ ଭାଇରାଲ କରିବା ଘଟଣାରେ ଅହମଦାବାଦ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ କଂଗ୍ରେସ ନେତାଙ୍କୁ ଗିରଫ କରିଛି। ଗିରଫ କଂଗ୍ରେସ ନେତାଙ୍କ ନାମ ହିତେନ୍ଦ୍ର ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ହିତେନ୍ଦ୍ରଙ୍କ ବିରୋଧରେ ମହିଳାଙ୍କୁ ଅପମାନ କରିବା ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ପୁଲିସ ହିତେନ୍ଦ୍ରଙ୍କ ବି‌ରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୪୬୯, ୫୦୯, ୨୯୫ଏ ଓ ଆଇଟି ଆକ୍ଟ ଅଧୀନରେ ମାମଲା ରୁଜୁ କରିଛି।

କଂଗ୍ରେସ ନେତା ହିତେନ୍ଦ୍ର ପୂଜାରୀ ମୋହିତଙ୍କ ଏକ ମହିଳାଙ୍କ ସହିତ ନକଲି ଆପତ୍ତିଜନକ ଫଟୋ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସେୟାର କରିଥି‌ଲେ। ଏହି ଫଟୋ ସେୟାର କରି ସେ ଲେଖିଥି‌ଲେ, ‘କ’ଣ ଏହି ବ୍ୟକ୍ତିଙ୍କୁ ରାମମନ୍ଦିରର ପୂଜାରୀ ଭାବେ ଚୟନ କରାଯିବା ଉଚିତ କି?’

ଏଭଳି ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ପୁଲିସ ଘଟଣାରେ ସମ୍ପୃକ୍ତ ଥିବା କଂଗ୍ରେସ ନେତା ହିତେନ୍ଦ୍ରଙ୍କୁ ଗିରଫ କରିବା ସହିତ ଯାଞ୍ଚ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *