ବିହାରର ଖଗାଡ଼ିଆ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; କାର୍‌କୁ ପିଟିଦେଲା ଟ୍ରାକ୍ଟର, ୭ ଜଣଙ୍କ ମୃତ୍ୟୁ

ବିହାରର ଖଗାଡ଼ିଆ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାଯାଇଛି।

ଗତ ରାତିରେ ମୋହନପୁର ଅଞ୍ଚଳରେ ହେଉଥିବା ଏକ ବିବାହ ଉତ୍ସବରେ ଯୋଗ ଦେଇ ଏକ ପରିବାରର ୭ ଜଣ ସଦସ୍ୟ କାର୍‌ ଯୋଗେ ମଡୈୟା ବିଠଲା ଗାଁକୁ ଫେରୁଥିଲେ। ମାତ୍ର ପସରାହା ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ଗାଡ଼ିଟି ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି।

ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗାଡ଼ିରୁ ସମସ୍ତଙ୍କୁ ବାହାର କରିଥିଲେ। ତୁରନ୍ତ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନା ପଠାଯାଇଥିବା ବେଳେ ସେଠାରେ ଡାକ୍ତର ୭ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ଗୁରୁତର ୪ ଜଣଙ୍କ ଚିକିତ୍ସା ଚାଲିଛି। ପୁଲିସ୍‌ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଟ୍ରାକ୍ଟର ଡ୍ରାଇଭରଙ୍କ ସମ୍ପର୍କରେ ସୂଚନା ମିଳି ପାରିନି।

Leave a Reply

Your email address will not be published. Required fields are marked *