ଆସନ୍ତା କାଲି ଠାରୁ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ

ଭୁବନେଶ୍ୱର : ଆସନ୍ତା କାଲିରୁ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ। ଦୁଇ ବର୍ଷ ପରେ ସ୍କୁଲ ଆସିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା। ଘରୁ ପିଲାଙ୍କୁ ସଚେତନ କରି ପଠାଇବାକୁ ଅଭିବାଭକ-ଶିକ୍ଷକ ବୈଠକରେ ଅନୁରୋଧ କରାହୋଇଛି।

୨୮ ତାରିଖରୁ ଖୋଲିବ ସ୍କୁଲ। ଦୁଇ ବର୍ଷ ପରେ ସ୍କୁଲ ଫେରିବେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ। ଯାହାକୁ ନେଇ ସ୍କୁଲ ଗୁଡିକ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏନେଇ ସ୍କୁଲ ଗୁଡିକରେ ଅଭିଭାବକ ଓ ଶିକ୍ଷକ ବୈଠକ ବସିଥିଲା। କରୋନା କାଳରେ ଦୁଇ ବର୍ଷ ହେବ ପିଲା ସ୍କୁଲ ଦେଖିନଥିବାବେଳେ ପିଲାଙ୍କୁ ସତର୍କ ରହିବା ସହ ସ୍କୁଲ ଆସିଲେ କୋଭିଡ କଟକଣା କିଭଳି ମାନିବେ ସେ ନେଇ ସଚେତନ କରିଥିଲେ ସ୍କୁଲ କର୍ତ୍ତୃପକ୍ଷ। ପ୍ରଥମ ଦିନରେ ପିଲାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ହସଖୁସି ଓ ଖେଳକୁଦ ପରିବେଶରେ କ୍ଳାସ ଆରମ୍ଭ କରିବାକୁ ପ୍ରସ୍ତୁତ ହେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ।

“ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗାଇଡଲାଇନ ଅନୁଯାୟୀ ଆମେ ଵିଦ୍ୟାଳୟ ଖୋଲିବାକୁ ପ୍ରସ୍ତୁତ ଅଛୁ। ଅଭିଭାବକମାନଙ୍କୁ ଡାକି ପିଲାଙ୍କୁ ସ୍କୁଲ ଛାଡିବାକୁ ବୁଝାଇଛୁ। କୋଭିଡ ନିୟମ ଅନୁପାଲନ ଓ ସ୍କୁଲ ବିଷୟରେ କହିଛୁ।ସେମାନେ ନିର୍ଦ୍ବନ୍ଦରେ ପିଲାଙ୍କୁ ସ୍କୁଲ ଛାଡିବେ ବୋଲି ଆଶା ଅଛି” କହିଛନ୍ତି ୟୁନିଟ ୧ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସଂଗୀତା ପଣ୍ଡା।

ସକାଳ ୧୦ ରୁ ୧ ଟା ହେବ କ୍ଳାସ। ପ୍ରଥମ ଦିନରେ ୯.୩୦ ରୁ ଆସିବେ ସ୍କୁଲ ଛାତ୍ରଛାତ୍ରୀ। ଦୁଇ ବର୍ଷ ହେବ ଅନଲାଇନ କ୍ଳାସ କରୁଥିଲେ ଛାତ୍ରଛାତ୍ରୀ ଏବେ ଅଫଳାଇନ କ୍ଳାସ କରିବେ। ପିଲାଙ୍କ ପାଇଁ ସୁବିଧା ହେବ, ସହଜରେ ପାଠ ପଢିପାରିବେ ବୋଲି କହିଛନ୍ତି ଅଭିଭାବକ।

“ଆମ ପିଲାମାନେ ଅନଲାଇନରେ ଦୁଇ ବର୍ଷ ହେବ ପାଠ ପଢୁଥିଲେ। ପାଠ ପଢା ହେଉଥିଲା ସତ କିନ୍ତୁ ଉନ୍ନତି ହେଉନଥିଲା। ପିଲା କିଛି ଜାଣି ପାରୁନଥିଲେ। ଏଣୁ ସ୍କୁଲ ଖୋଲିବା ଜରୁରୀ ଥିଲା। ଆମେ ଖୁସି ଯେ ଆମ ପିଲା ପୁଣି ଦୁଇ ବର୍ଷ ପରେ ସ୍କୁଲ ଫେରିବେ, ପାଠ ପଢିବେ,” କହିଛନ୍ତି ଜଣେ ଅଭିଭାବିକା ପ୍ରଭାତୀ ରଣା।

Leave a Reply

Your email address will not be published. Required fields are marked *