ସ୍କୁଲକୁ ଟାର୍ଗେଟ କରି ସିରିଜ୍ ବିସ୍ଫୋରଣ ; ୨୫ ଶିକ୍ଷାର୍ଥୀ ମୃତ
କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକାଧିକ ସ୍କୁଲକୁ ଟାର୍ଗଟ କରି ଆଜି ବଡ଼ ବଡ଼ ବିସ୍ଫୋରଣ କରାଯାଇଛି । ଏଯାଏ ଏଥିରେ ୨୫ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କ ସଂଖ୍ୟା ଜଣାପଡ଼ି ନଥିଲେ ମଧ୍ୟ ଆମ୍ବୁଲାନ୍ସ ଓ ସୁରକ୍ଷାକର୍ମୀଙ୍କ ଗାଡ଼ିରେ ମୃତାହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଉଥିବା ଟୋଲ ନ୍ୟୁଜ ପକ୍ଷରୁ କୁହାଯାଇଛି । ରିପୋର୍ଟ ଅନୁଯାୟୀ, ୱେଷ୍ଟର୍ଣ୍ଣ କାବୁଲରେ ଥିବା ମମତାଜ ସ୍କୁଲ ନିକଟରେ ପ୍ରଥମ ବିସ୍ଫୋରଣ ହୋଇଥିଲା । ସେହିପରି ଦ୍ୱିତୀୟ ବିସ୍ଫୋରଣଟି ଅବଦୁଲ ରହିମ ସାହିଦ ହାଇସ୍କୁଲ ଆଗରେ କରାଯାଇଛି । ଆଉ ଗୋଟିଏ ବିସ୍ଫୋରଣ କେଉଁ ସ୍କୁଲ ଆଗରେ ହୋଇଛି, ସେକଥା ସ୍ପଷ୍ଟ ହୋଇନି ।
ସାମ୍ବାଦିକ ଇଶାନୁଲ୍ଲା ଆମୀର କହିଛନ୍ତି, କାବୁଲର ଦଶଟେ ବାରଚିରେ ଥିବା ଗୋଟିଏ ସ୍କୁଲରେ ଆତ୍ମଘାତୀ ହମଲା ହୋଇଛି । ଅବଦୁଲ ରହିମ ସାହିଦ ସ୍କୁଲ ମୁଖ୍ୟ ପ୍ରସ୍ଥାନ ରାସ୍ତାରେ ଏହି ବିସ୍ଫୋରଣ ହୋଇଛି । ଏହି ସମୟରେ ଅନେକ ଶିକ୍ଷାର୍ଥୀ ସେଠାରେ ଥିଲେ। ତେଣୁ ମୃତାହତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିବାର ଆଶଙ୍କା କରାଯାଉଛି । ସେ ଓ ଆଉ ଜଣେ ଶିକ୍ଷକ ଅଳ୍ପକେ ବିସ୍ଫୋରଣରୁ ବର୍ତ୍ତି ଯାଇଥିବା ଆମୀର ଟ୍ୱିଟ କରି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରୁଷର ସ୍ପୁଟନିକ ନ୍ୟୁଜ କହିଛି ଯେ ୩ଟି ବ୍ଲାଷ୍ଟରେ ଏଯାଏ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୫ରୁ ଅଧିକ ପିଲା ଓ ଶିକ୍ଷକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି ।
ବିସ୍ଫୋରଣ ହୋଇଥିବା ସ୍କୁଲ ଗୁଡ଼ିକରେ ହାଜରା ସଂପ୍ରଦାୟର ପିଲାମାନେ ପାଠପଢ଼ନ୍ତି । ତେଣୁ ସେମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ହମଲା କରିଛନ୍ତି ବୋଲି କୁହାଯାଇଛି । ହେଲେ ଏଯାଏ କୌଣସି ଆତଙ୍କୀ ସଂଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ବର୍ତ୍ତମାନ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ମଧ୍ୟ ବିସ୍ଫୋରଣ ସମ୍ପର୍କରେ କୌଣସି ପ୍ରକାରର ବିସ୍ତୃତ ସୂଚନା ଦେଇନାହିଁ ।