ବିଶ୍ଵ ହିନ୍ଦୁ ପରିଷଦର ୬୧ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର: ବିଶ୍ଵ ହିନ୍ଦୁ ପରିଷଦର ୬୧ତମ ପ୍ରତିଷ୍ଠା ଦିବସ ତଥା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ଅବସରରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ମହାନଗର ସଂଗଠନ ପକ୍ଷରୁ ଏକ ଭବ୍ୟ ଉତ୍ସବ ରୂପେ ପାଳନ କରାଯାଇଛି । ସନ୍ଥ ତ୍ରୈଲୋକ୍ୟଶ୍ୱରାନନ୍ଦଙ୍କ ଉପସ୍ଥିତିରେ ପ୍ରାନ୍ତ କାର୍ଯ୍ୟକାରୀ ସଭାପତି ପବିତ୍ର ମୋହନ ସ୍ୱାଇଁ ଓ ମହାନଗର ସାଂଗଠନିକ ଜିଲ୍ଲା ସଭାପତି ପ୍ରଦୀପ ଚନ୍ଦ୍ର ମହାନ୍ତିଙ୍କ ସହ ବିଶ୍ଵ ହିନ୍ଦୁ ପରିଷଦର କେନ୍ଦ୍ରୀୟ ଅଧିକାରୀ ଶ୍ରୀଯୁକ୍ଟ ଅଜୟ ପାରେଖ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ଅବସରରେ ବିଶେଷ ଭାବରେ ବିଶ୍ଵ ହିନ୍ଦୁ ପରିଷଦର କେନ୍ଦ୍ରୀୟ ଅଧିକାରୀ ଶ୍ରୀଯୁକ୍ତ ପାରେଖ କହିଲେ ଯେ ବିଶ୍ଵ ହିନ୍ଦୁ ପରିଷଦ ଗତ ଛଅ ଦଶକ ଧରି ହିନ୍ଦୁ ସମାଜର ସୁରକ୍ଷା, ସଂସ୍କୃତିର ସଂରକ୍ଷଣ ଓ ସମାଜିକ ସମରସତା ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଛି । ସେ ଆହୁରି କହିଥିଲେ ଯେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ହିନ୍ଦୁ ସମାଜ ପାଇଁ ଏକ ଆତ୍ମ ଅବଲୋକନର ପ୍ରସଙ୍ଗ । ଅତ୍ୟନ୍ତ ଅସ୍ବାଭାବିକ ପରିସ୍ଥିତିରେ ସ୍ୱାମୀଜୀ ଦୁର୍ଗମ ଗ୍ରାମାଞ୍ଚଳରେ ନୀରିହ ବନବାସୀମାନଙ୍କୁ ମିଶନାରୀଙ୍କ ଷଡ଼ଯନ୍ତ୍ର କବଳରୁ ବଞ୍ଚେଇ ଏକ ସ୍ୱାଭିମାନ ସଂପନ୍ନ ଜୀବନଯାପନ କରିବାର ରାସ୍ତା ଦେଖେଇ ଗଲେ ତାହା ଅନନ୍ତ କାଳ ପର୍ଯ୍ୟନ୍ତ ସମଗ୍ର ହିନ୍ଦୁ ସମାଜ ପାଇଁ ପଥ ପ୍ରଦର୍ଶକ । ତାଙ୍କ ଜୀବନଦୃଷ୍ଟି, ଆଦର୍ଶ ଓ ତ୍ୟାଗରୁ ପ୍ରେରଣା ନେଇ ସମାଜରେ ସାଂସ୍କୃତିକ ଜାଗରଣ ସୃଷ୍ଟି କରିବାକୁ ସମସ୍ତଙ୍କୁ ଆଗକୁ ଆସିବା ଆବଶ୍ୟକ । ସନ୍ଥ ତ୍ରୈଲୋକ୍ୟଶ୍ୱରାନନ୍ଦ ରାଜ୍ୟରେ ତଥା ଦେଶରେ ହିନ୍ଦୁ ଧର୍ମର ଲୋକଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଯେଉଁ ଆହ୍ଵାନ ସୃଷ୍ଟି ହୋଇଛି ସେ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଏହାର ସମାଧାନ ପାଇଁ ସମସ୍ତ ହିନ୍ଦୁ ସମାଜ ଆଗକୁ ଆସିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ମହାନଗର ଜିଲ୍ଲା ସଭାପତି ପ୍ରଦୀପ ଚନ୍ଦ୍ର ମହାନ୍ତି ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ସଂଗଠନର ପଦାଧିକାରୀମାନେ, ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଓ ମାତୃଶକ୍ତିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।