ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ୧୧୮ଟି ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରିବା ସହ ରାଜ୍ୟବ୍ୟାପୀ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଯୋଜନା ଜଣେ ସାଧାରଣ ଆଦିବାସୀ ପରିବାରର ଛାତ୍ର ଭାବେ ମୋର ପିଲାଦିନର ଅନୁଭୂତି ଏବଂ ଆଗାମୀ ପିଢ଼ି ପାଇଁ ଦେଖିଥିବା ଏକ ବଡ଼ ସ୍ୱପ୍ନର ସାକାର ରୂପ। ଆମ ସରକାର ପ୍ରଥମ ପର୍ଯ୍ୟାୟରେ ୨,୨୦୦ ବିଦ୍ୟାଳୟର ବିକାଶ ପାଇଁ ୧୨,୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି, ଯାହା ଆମ ପିଲାମାନଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇଦେବ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ସମାଜ ସଂସ୍କାରକ ତଥା ଶିକ୍ଷାବିତ୍ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆଦର୍ଶକୁ ପାଥେୟ କରି ଗ୍ରାମପଞ୍ଚାୟତସ୍ତରରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି। ଜାତୀୟ ଶିକ୍ଷାନୀତି ୨୦୨୦କୁ ଭିତ୍ତିକରି ପରିକଳ୍ପିତ ଏହି ଯୋଜନା ବିକଶିତ ଓଡ଼ିଶାର ଶିକ୍ଷା ସାଧନ ଭାବରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ସହ ପିଲାମାନଙ୍କର ଦକ୍ଷତା ବିକାଶ ସୁନିଶ୍ଚିତ କରିବ।
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତର ଗୋଟିଏ ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ବିକଶିତ କରାଯିବ। ବିଦ୍ୟାଳୟଗୁଡ଼ିକୁ ନୂତନ ରୂପ ଦେବା ସହିତ ଅତ୍ୟାଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ଶିକ୍ଷା ଦିଆଯିବ। ଆଧୁନିକ ଶ୍ରେଣୀଗୃହ, ଡିଜିଟାଲ୍ ଉପକରଣ ଏବଂ କ୍ରୀଡ଼ା ଉପକରଣ ଭଳି ସୁବିଧା ଏହି ବିଦ୍ୟାଳୟରେ ରହିବ। ପ୍ରତ୍ୟେକ ପିଲାଙ୍କୁ ତୃତୀୟ ଶ୍ରେଣୀ ସୁଦ୍ଧା ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଦକ୍ଷତାରେ ନିପୁଣ କରିବା ହେବ ଏହି ବିଦ୍ୟାଳୟର ଉଦ୍ଦେଶ୍ୟ।

