ଆଜି ପବିତ୍ର ମାଘ ସପ୍ତମୀ, କୋଭିଡ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ବିନା ସମ୍ପନ୍ନ ହୋଇଛି ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ

ପୁରୀ : ଆଜି ପବିତ୍ର ମାଘ ସପ୍ତମୀ । କୋଭିଡ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ବିନା ସମ୍ପନ୍ନ ହୋଇଛି ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ । ଜିଲ୍ଲା ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପଡିଆକୁ ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଗତକାଲି ଅପରାହ୍ନ ୪ ଟାରୁ ଆଜି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।

ପରମ୍ପରା ଅନୁଯାୟୀ, ପବିତ୍ର ଷଷ୍ଠୀ ରାତ୍ରି ୯ଟା ୩୦ରେ ମାଧିପୁରର ଶ୍ରୀଶ୍ରୀ ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଶ୍ରୀଶ୍ରୀ ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ଆଦି ତିନି ଠାକୁର ବିମାନ ବିଜେ କରିଥିଲେ। ଏହାପରେ ରାତି ୧୨ଟା ୩୦ ମଧ୍ୟରେ କୋଣାର୍କ ଏନଏସିଠାରେ ଏହି ୩ ଠାକୁର ଏକତ୍ର ଭୋଗ ଖାଇଥିଲେ । ଏହାପରେ ପାରମ୍ପରିକ ଶୋଭାଯାତ୍ରାରେ ଭୋର ୩ଟା ୪୦ ମଧ୍ୟରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ। ଭୋର ୪ଟା୨୦ରେ ପ୍ରଭୁଙ୍କ ନୀତିକାନ୍ତି ପରେ ମହାସ୍ନାନ ଅନୁଷ୍ଠିତ ହୋଇଥିଲା। ପରେ ନୀତିକାନ୍ତି ସହ ଜଡିତ ସେବକ ଓ ସାଧୁସନ୍ଥ ବୁଡ ପକାଇଥିଲେ ।

ପୁରାଣ ମତାନୁସାରେ ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ । ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତି ହୋଇଥିଲେ । ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀମାନେ ଏହି ପବିତ୍ର ଦିନରେ ବୁଡ ପକାଇ ସୂର୍ଯ୍ୟୋଦୟ ଦର୍ଶନ କରିଥାନ୍ତି।

Leave a Reply

Your email address will not be published. Required fields are marked *