ସାହିତ୍ୟ ମାଧ୍ୟମରେ ଅନ୍ୟ ମୁହଁରେ ହସ ଫୁଟାଇବା ସହ ଆମେ ସତ୍ୟର ନିକଟବର୍ତ୍ତୀ ହୋଇପାରିବା – ଲେଖିକା ଜୟଶ୍ରୀ ଦାସ
ପିଲାଟି ଦିନରୁ ସାହିତ୍ୟ ପ୍ରତି ଥିଲା ତାଙ୍କର ଗଭୀର ଅନୁରାଗ । ସଂସାରରେ ଥିବା ଶୂନ୍ୟତାର ସତ୍ୟତା ଏବଂ ଅତୀତର ସ୍ମୃତିକୁ ଖୋଜୁଖୋଜୁ ତାଙ୍କୁ ମିଳିଲା ସାହିତ୍ୟର ବରଦାନ। ତାଙ୍କ ମନର ସେହି ଶୂନ୍ୟତାର ସ୍ଥାନକୁ ସାହିତ୍ୟ ହିଁ ପୂରଣ କଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହି ସାରସ୍ୱତ ସାଧିକା ଜଣଙ୍କ ହେଉଛନ୍ତି ଶ୍ରୀମତୀ ଜୟଶ୍ରୀ ଦାସ ।ବାଲେଶ୍ବର ଜିଲ୍ଲାରେ ଜନ୍ମିତା ଜୟଶ୍ରୀ ଏକ ସାହିତ୍ୟ ପରିବେଶମୟ ପରିବାରରେ ନିଜର ବାଲ୍ୟ ଜୀବନ ଅତିବାହିତ କରିଛନ୍ତି । ବିଜେବି ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଲେଖିକା ଜୟଶ୍ରୀ ନିଜ ପିତା ଓ ପ୍ରାଧ୍ୟାପକ ଚିନ୍ତାମଣି ବେହେରାଙ୍କ ଠାରୁ ପ୍ରଥମ ପ୍ରେରଣା ପାଇଥିଲେ ଲେଖନୀ ଧରିବା ପାଇଁ। ତାଙ୍କ ପାଇଁ ସାହିତ୍ୟ ଏକ ଐଶ୍ୱରୀକ ପ୍ରେମ।ଯେଉଁ ପ୍ରେମ ଜୟଶ୍ରୀ ଙ୍କୁ ଟାଣି ଆଣିଥିଲା ସଂସାର ଭିତରେ କିଛି ଲେଖିବା ପାଇଁ।
“ସୁନାବୋହୁ” ନାମକ ଗଳ୍ପରୁ ନିଜର ସାରସ୍ୱତ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ଦାସ ମନର ଅକୁହା କଥାକୁ କବିତା ଓ ଗଳ୍ପ ଦ୍ୱାରା ବଖାଣିବାକୁ ଲାଗିଲେ ପ୍ରେମ ଓ ନାରୀ ଚରିତ୍ର ଆକାରରେ।ଏଯାବତ୍ ତାଙ୍କର ବିଭିନ୍ନ ବିଭାଗରେ ୧୨ ଗୋଟି କୃତି ପ୍ରକାଶ ପାଇଅଛି।ତହିଁରୁ ଉପନ୍ୟାସ “ପେଟ” ଅନ୍ୟତମ।
“ପେଟ” ପୁସ୍ତକରେ ରହିଛି ମନୁଷ୍ୟର ଖାଦ୍ୟ ସଂଘର୍ଷ।ମଣିଷର ଅଙ୍ଗ ମଧ୍ୟରେ ପେଟକୁ ଶ୍ରେଷ୍ଠ କୁହାଯାଉଥିବା ବେଳେ ସେଥିପାଇଁ ଘଟୁଥିବା ସମସ୍ୟା ହୃଦୟକୁ ଖୁଵ ଆନ୍ଦୋଳିତ କରିବା ସହ ମନକୁ କଷ୍ଟ ମଧ୍ୟ ପ୍ରଦାନ କରେ।
ଲେଖିକା ଜୟଶ୍ରୀ ଦାସଙ୍କ କୃତି ଓ ପୁରସ୍କାର ବିଷୟରେ କିଛି-
କବିତା-ପ୍ରୀତି ଫଲ୍ଗୁ,ଛାୟା ଚନ୍ଦ୍ରିକା,ପ୍ରେମିକ,ତୁ ମୋ ମନର ପାରା ଇତ୍ୟାଦି।
ଉପନ୍ୟାସ/ଗଳ୍ପ/ଶିଶୁଗଳ୍ପ-ପେଟ,ଆଶାର ଆକାଶ,ସୁନା ଚଢେଇ।
ଅନୁବାଦ କବିତା-ଏ ମେରେ ମନ୍ କେ କାବୁତର,ପିଜନ୍ ଅଫ୍ ମାଇଁ ହାର୍ଟ।
ପୁରସ୍କାର-
ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଜାତୀୟ ସମ୍ମାନ,ସ୍ୱର ସମର୍ପଣ ସମ୍ମାନ,
ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ,କଳିଙ୍ଗ ପୁସ୍ତକ ମେଳା,
ସରଗଶଶୀ ଶିଶୁ ଗଳ୍ପ ସମ୍ମାନ,ରାଜଧାନୀ ପୁସ୍ତକ ମେଳା ସାରସ୍ୱତ ସମ୍ମାନ, ଓଡିଆ ଲେଖିକା ସଂସଦ ସମ୍ମାନ,ସର୍ବଶ୍ରେଷ୍ଠ କବୟିତ୍ରୀ ସମ୍ମାନ-ଓଡ଼ିଶା ଟିଭି, ଆଶ୍ରୟ ସମ୍ମାନ,ନାରୀଶ୍ରୀ ସମ୍ମାନ ଇତ୍ୟାଦି ଅନେକ।
ଓଡ଼ିଆ ଭାଷା ସାହିତ୍ୟରେ କୁନ୍ତଳା କୁମାରୀ ସାବତ,ଫକୀର ମୋହନ ସେନାପତି,ସଚି ରାଉତରାୟ ପ୍ରମୁଖଙ୍କୁ ନିଜର ଆଦର୍ଶ ମଣୁଥିବା ଜୟଶ୍ରୀ ଆଗାମୀ ଦିନରେ ଆସୁଥିବା ଯୁବ ଲେଖକଙ୍କୁ ଏହି ଉପଦେଶ ଦିଅନ୍ତି ଯେ “ଲେଖିବା ପୂର୍ବରୁ ପଠନ ଆବଶ୍ୟକ ଏବଂ ତହିଁରୁ ଜ୍ଞାନ ଆହରଣ କରନ୍ତୁ।କେଵଳ ସେତିକି ନୁହେଁ ସାହିତ୍ୟ ପ୍ରତି ପ୍ରଥମେ ସଚେତନ ହୋଇ ନିଜର ସାହିତ୍ୟ ରୁଚିକୁ ବାଣ୍ଟି ଚାଲନ୍ତୁ।”
ଆଗାମୀ ଦିନରେ ନିଜର ସାହିତ୍ୟ ମାଧ୍ୟମରେ ଅନ୍ୟ ମୁହଁରେ ହସ ଫୁଟାଇବା ସହିତ ଲେଖନୀ ଜରିଆରେ ସତ୍ୟତା ନିକଟରେ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି ଲେଖିକା ଜୟଶ୍ରୀ ଦାସ।