କଅଁଳ ମନରେ ସାହିତ୍ୟର ପଦଧ୍ୱନି ଏକ ସୁସ୍ଥ ସମାଜ ଗଠନରେ ବେଶ ଉପଯୋଗୀ : ଡ଼. ହେମନ୍ତ କୁମାର ଛୋଟରାୟ

ଗ୍ରାମୀଣ ପରିବେଶ ତଥା ଏହାର ସଂସ୍କୃତି,ସାହିତ୍ୟ ଆସର ଓ ଭାଗବତ ଟୁଙ୍ଗୀ ଏବଂ ଘରର ଶୈକ୍ଷିକ ବାତାବରଣ ତାଙ୍କୁ ଲେଖନୀ ଧରିବା ପାଇଁ ଆଗ୍ରହ ଓ ପ୍ରେରଣା ଯୋଗାଇଥିଲା।ଏହି ସୁ ସାହିତ୍ୟିକ ଜଣଙ୍କ ଗଳ୍ପ “ଦୀପଦାନୀ”ରୁ ନିଜର ସାରସ୍ୱତ ଜୀବନ ଆରମ୍ଭ କରିଥିଲେ।ମାତ୍ର ସମାଜରେ କିଛି ପରିବର୍ତ୍ତନ ଆଣିବାର ଉଦ୍ଦେଶ୍ୟରେ ସେ ଆକୃଷ୍ଟ ହେଲେ ଶିଶୁ ସାହିତ୍ୟ କ୍ଷେତ୍ରକୁ।ଯାହା ସମାଜର ପାଠକ ଏବଂ ଶିଶୁ ବର୍ଗଙ୍କ ପାଇଁ ବେଶ୍ ପ୍ରେରଣାଦାୟକ ହେଲା।ସେହି ବରିଷ୍ଠ ସାହିତ୍ୟିକ ହେଉଛନ୍ତି ଡ଼. ହେମନ୍ତ କୁମାର ଛୋଟରାୟ।ପୁରୀ ଜିଲ୍ଲାର ଏକ ଶୈକ୍ଷିକ ପରିବାରରେ ଜନ୍ମିତ ଡ଼. ଛୋଟରାୟ ଓଡ଼ିଆ ଭାଷା ସାହିତ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସମ୍ମାନ ଜନକ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି।ଓଡ଼ିଆ ଭାଷା ସାହିତ୍ୟରେ ବିଶିଷ୍ଟ ମହାମନିଷୀ ତଥା ଅତିବଡୀ ଜଗନ୍ନାଥ ଦାସ,ନନ୍ଦ କିଶୋର ବଳ,ଗଙ୍ଗାଧର ମେହେରଙ୍କୁ ନିଜର ଆଦର୍ଶ ମଣୁଥିବା ଶ୍ରୀ ହେମନ୍ତ କୁମାର ଶିଶୁ ସାହିତ୍ୟ ବ୍ୟତୀତ ନାଟକ,ଅନୁବାଦ,କ୍ଷୁଦ୍ରଗଳ୍ପରେ ମଧ୍ୟ ସିଦ୍ଧହସ୍ତ ଅଟନ୍ତି।ଏଯାବତ୍ ତାଙ୍କର ୨୦ ଖଣ୍ଡରୁ ଉର୍ଦ୍ଧ୍ବ ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ଶିଶୁଗଳ୍ପ ବିଭାଗରେ “ପିଲାଙ୍କ ଆଦିବାସୀ ଲୋକକାହାଣୀ” ଅନ୍ୟତମ ଅଟେ।
ଡ଼.ଛୋଟରାୟଙ୍କ କୃତ ଏହି ଶିଶୁଗଳ୍ପ ବହୁତ ମଜାଦାର୍ ଅଟେ।କାରଣ ଏଥିରେରେ ରହିଛି ଅନେକ ତଥ୍ୟ ଯାହା ଆଦିବାସୀ ସମ୍ପ୍ରଦାୟଙ୍କ ସହ ଜଡିତ।ଆଦିବାସୀଙ୍କ ଅବଲୁପ୍ତ କାହାଣୀ ସହିତ ସେମାନଙ୍କ ଲୋକଜୀବନ ଓ ସଂସ୍କୃତି ବିଷୟରେ ଏହି ପୁସ୍ତକରେ ବର୍ଣ୍ଣିତ ହୋଇଛି।
ଶ୍ରୀଯୁକ୍ତ ଛୋଟରାୟ ଏକାଧାରରେ ଜଣେ ନାଟ୍ୟକାର ମଧ୍ୟ ଅଟନ୍ତି।ତାଙ୍କର ରଚିତ ନାଟକ “ରାଣୀ” ଆକାଶବାଣୀରେ ଖୁବ୍ ଜନାଦୃତ ମଧ୍ୟ ହାସଲ କରିଛି।

ଡ଼.ଛୋଟରାୟଙ୍କ ରଚିତ ପୁସ୍ତକ ଓ କୃତିତ୍ୱ ବିଷୟରେ କିଛି-

ନାଟକ-ଅସତ୍ୟ ଇଲାକାର କାହାଣୀ
ଅନୁବାଦ-ବିନୋବା କାହାଣୀ ମାଳା
ଶିଶୁ ଉପନ୍ୟାସ-କାଳିଆ ବଳଦ
ଶିଶୁଗଳ୍ପ-ପିଲାଙ୍କ ଆଦିବାସୀ ଲୋକକାହାଣୀ
କ୍ଷୁଦ୍ରଗଳ୍ପ-ଉଜୁଡା ଘରର କଥା ଇତ୍ୟାଦି।

ପୁରସ୍କାର-
କାଦମ୍ବିନୀ କୁନିକଥା ପୁରସ୍କାର,ଭୁବନେଶ୍ୱର ପୁସ୍ତକ ମେଳା-୨୦୧୨
ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ,କଳିଙ୍ଗ ପୁସ୍ତକ ମେଳା-୨୦୨୧
ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦ ସମ୍ମାନ ଇତ୍ୟାଦି।

ତାଙ୍କ ମତରେ “ଓଡ଼ିଆ ଭାଷା ସାହିତ୍ୟ ସର୍ବାଗ୍ରେ ସ୍ୱତନ୍ତ୍ର।ଏହା ଆମ ପାଇଁ ଗର୍ଵ ଓ ଗୌରବ ଅଟେ।ଏହି ସାହିତ୍ୟ ବିକାଶର ସମତାଳରେ ଗତି କରୁଥିବା ବେଳେ ଆମ ଓଡ଼ିଆ ସାହିତ୍ୟ ଆଗାମୀ ଯୁବ ସମାଜକୁ ଆକୃଷ୍ଟ ମଧ୍ୟ କରିବ।” ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରକୁ ଆସୁଥିବା ନବାଗତଙ୍କୁ ଡ଼.ଛୋଟରାୟ ଏହି ଉପଦେଶ ଦିଅନ୍ତି ଯେ “ବର୍ତ୍ତମାନର ଯୁବ ସାହିତ୍ୟିକ କାଳଜୟୀ ସାହିତ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ।ପ୍ରଥମେ ଅନୁଶୀଳନ କରି ଲେଖନ୍ତୁ ଯାଦ୍ୱାରା ପାଠକମାନଙ୍କ ମନରେ ସେହି ସାହିତ୍ୟ ଗଭୀର ରେଖାପାତ ସୃଷ୍ଟି କରିବ।”

Leave a Reply

Your email address will not be published. Required fields are marked *