କବିରତ୍ନ ଶ୍ରୀଯୁକ୍ତ ସୋମନାଥ ରାଜଗୁରୁଙ୍କୁ ସମର୍ପିତ ସୃଜନୀ (ଚେନ୍ନାଇ)ର ” ସ୍ମୃତି ଶ୍ରଦ୍ଧାଞ୍ଜଳି “

ସୃଜନୀ ପରିବାର (ଚେନ୍ନାଇ ) ୨୪ ସେପ୍ଟେମ୍ବର ସନ୍ଧ୍ୟା ରେ , ଦିବଂଗତ ଗୀତିକାର, ସ୍ୱର ସଂଯୋଜକ, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ ଗୁରୁକବି ସୋମନାଥ ରାଜଗୁରୁଙ୍କୁ ସମର୍ପିତ ” ସ୍ମୃତି ଶ୍ରଦ୍ଧାଞ୍ଜଳି ” ସହ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମ ରେ ଅନୁଷ୍ଠିତ ହୋଇଯାଇଛି I

ଉକ୍ତ ସଭାରେ ପ୍ରମୁଖ ବକ୍ତା ତଥା ଆଲୋଚକ ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ପ୍ରଫେସର୍ ଶାନ୍ତନୁ କୁମାର ଆଚାର୍ଯ୍ୟ, ବରେଣ୍ୟ ଅତିଥି ତଥା ଆଲୋଚକ ଶ୍ରୀଯୁକ୍ତ ବଦ୍ରୀ ମିଶ୍ର, ସାହିତ୍ୟିକ ତଥା ଗୀତିକାର (ପୁରୀ ), ଶ୍ରୀଯୁକ୍ତ ଭଗବତୀ ଚରଣ ପଟ୍ଟନାୟକ ,ସ୍ୱନାମଧନ୍ୟ ନାଟ୍ୟକାର (ନୟାଗଡ଼ ), ଶ୍ରୀମତୀ ମୈତ୍ରୟୀ କମିଳା ,ସଂସ୍ଥାପିକା ,ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା(ମୁମ୍ବାଇ ) ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଶ୍ରୀଯୁକ୍ତ ସୋମନାଥ ରାଜଗୁରୁଙ୍କ ବ୍ୟକ୍ତିତ୍ୱ ସହ ତାଙ୍କ ସାରସ୍ୱତ ସୃଷ୍ଟି କୁ ମୁଖ୍ୟ ପ୍ରସଙ୍ଗ କରି ଦିଗନ୍ତ ପ୍ରସାରି ଆଲୋଚନା କରିବା ସହ ଓଡ଼ିଆ ସାହିତ୍ୟ,ସଂଗୀତ ତଥା ବିଶ୍ୱ ସମୁଦାୟକୁ ତାଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ I

ସଙ୍ଗୀତ ଜଗତର ସାରସ୍ୱତ ସାଧକ ଆକାଶ ବାଣୀ କଣ୍ଠଶିଳ୍ପୀ ନବକିଶୋର ମିଶ୍ର, କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଜଗଦୀଶ ପ୍ରସାଦ ରଥ, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ ପାଢ଼ୀ ମହୋଦୟ, ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଜନୀକାନ୍ତ ମହାପାତ୍ର ଆଦି ‘କବିରତ୍ନ’ ଶ୍ରୀଯୁକ୍ତ ସୋମନାଥ ରାଜଗୁରୁଙ୍କୁ ସମର୍ପିତ ଭକ୍ତି ସଙ୍ଗୀତ ସମାରୋହ “ସ୍ୱରାଭିଷେକ ” କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶ୍ରୀଯୁକ୍ତ ରାଜଗୁରୁଙ୍କ ରଚିତ ତଥା ସଂଗୀତ ନିର୍ଦ୍ଦେଶିତ ଭଜନକୁ କଣ୍ଠ ଦାନ କରିଥିଲେ । ସେହିପରି
କଣ୍ଠଶିଳ୍ପୀ ପ୍ରଦୀପ୍ତ ତ୍ରିପାଠୀ, କଣ୍ଠଶିଳ୍ପୀ ଶ୍ରୀମତୀ ଜ୍ୟୋତିର୍ମୟୀ ତ୍ରିପାଠୀ ଆଦି ଅନେକ ସଙ୍ଗୀତଜ୍ଞ ଉପସ୍ଥିତ ରହି ସୋମନାଥ ରାୟଗୁରୁଙ୍କ ଭଜନ / ଜଣାଣ ପରିବେଷଣ କରି ସମାରୋହକୁ ଭାବଭକ୍ତି ଭରା କରିଥିଲେ I

କବିରତ୍ନ ସୋମନାଥ ରାଜଗୁରୁ ତାଙ୍କ ଜୀବନ କାଳରେ ବହୁ ଭଜନ ଜଣାଣ, ଚମ୍ପୁ, ଛାନ୍ଦ, ଓଡିଶୀ, ପଲ୍ଲୀଗୀତ, ଦେଶବନ୍ଦନା, ଚଳଚିତ୍ର ସଙ୍ଗୀତ, ସୁଗମ ସଙ୍ଗୀତ ରଚନା କରିଛନ୍ତି I ଯାହା କି ଓଡ଼ିଆ ଜନମାନସ ରେ ଆଦୃତ ହୋଇଥିବା ସହ ଆତ୍ମପ୍ରଚାର ବିମୁଖ ଏହି ଶିଳ୍ପୀ ସାଧକ ବିଶ୍ଵକର୍ମା ସୃଷ୍ଟି କରିଛନ୍ତି ନିଜସ୍ୱ ସଂଗୀତ ସାମ୍ରାଜ୍ୟ ଯାହାକି ବହୁ କଳାକାର ଏବଂ ସଂଗୀତ ନିର୍ଦ୍ଦେଶକଙ୍କୁ ଦେଇପାରିଛି ଅନେକ ପ୍ରତିଷ୍ଠା ସହ ମାନସମ୍ମାନ I

ଏହି ବିଶେଷ ଅବସରରେ ଆୟୋଜିତ ସଭାରେ ସୃଜନୀ ପରିବାରର ମୁଖ୍ୟ ଉପଦେଷ୍ଟା ଅବସରପ୍ରାପ୍ତ ଆଇ ଏଫ୍ ଏସ୍ ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହ , ସାରସ୍ଵତ ସାଧିକା ଡକ୍ଟର ବାସନ୍ତୀ ମହାନ୍ତି , ନାଳନ୍ଦା ବିଶ୍ୱବିଦ୍ୟାଳୟର ଡିନ ପ୍ର.ଗୋଦାବରୀଶ ମିଶ୍ର, ସଂପାଦକ ଶ୍ରୀ ଅଶୋକ କୁମାର ସାମନ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ସ୍ୱନାମଧନ୍ୟା କଣ୍ଠଶିଳ୍ପୀ ବିଦ୍ୟୁତ ପ୍ରଭା ପଟ୍ଟନାୟକ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସଂଚାଳକ ଶ୍ରୀ ରମେଶ ଚନ୍ଦ୍ର ପସାଏତ୍ ସ୍ୱାଗତ ସମ୍ଭାଷଣରେ କବିରତ୍ନ ସୋମନାଥ ରାଜଗୁରୁଙ୍କ ଜୀବନ ଯାତ୍ରାର ବିବରଣୀ ସହ ନିଜସ୍ୱ ଅଭିବ୍ୟକ୍ତି ପ୍ରକାଶ କରିଥିଲେ I ଉପସ୍ଥାପିକା ତଥା ସଂଯୋଜିକା “ଉତ୍କଳିକା” ର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଓଝା ସଂପୂଣ୍ଣ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ I

ଉକ୍ତ ଆଭାସୀ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ତଥା କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶ୍ରୀମାନ ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ , କବିଙ୍କ ପତ୍ନୀ, ସୁପୁତ୍ର ଶଶୀକାନ୍ତ ରାଜଗୁରୁ, ସୂର୍ଯ୍ୟକାନ୍ତ ରାଜଗୁରୁ, ଝିଅ ସଂଘମିତ୍ରା ରାଜଗୁରୁ, ନାତୁଣୀ ପିୟାଲି ରାଜଗୁରୁ ଆଦି ଶ୍ରୀଯୁକ୍ତ ରାଜଗୁରୁଙ୍କ ପରିବାର ବର୍ଗ , ରାଜଗୁରୁ ବଂଶଜ ଏବଂ ବହୁ ମାନ୍ୟଗଣ୍ୟ ବିକ୍ତିତ୍ଵ ଉପସ୍ଥିତ ରହି ଦିବଂଗତ ସ୍ରଷ୍ଟାଙ୍କୁ ବିନମ୍ର ସ୍ମୃତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ସ୍ମୃତିଚାରଣ କରିଥିଲେ I

ଶେଷରେ ସଂଚାଳକ ଶ୍ରୀ ରମେଶ ଚନ୍ଦ୍ର ପସାଏତ୍ ଧନ୍ୟବାଦ ଅର୍ପଣ କରିବା ସହ ବିଶ୍ୱଶାନ୍ତି ମନ୍ତ୍ରରେ ସଭା ସଙ୍ଗ ହୋଇଥିଲା I

Leave a Reply

Your email address will not be published. Required fields are marked *