କଲେଜରେ ଲାଗୁ ହେଲା ୮ଟି ନୂଆ ନିୟମ । ଛାତ୍ରୀମାନେ ଦାମୀ ମୋବାଇଲ ଆଣିବେ ନାହିଁ କି ରିଲ୍ସ କରି ପାରିବେ ନାହିଁ
ବ୍ରହ୍ମପୁର : ବ୍ରହ୍ମପୁର ଶଶିଭୂଷଣ ରଥ ସରକାରୀ ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ନିମନ୍ତେ ଲାଗୁ ହେଲା ନୂଆ ନିୟମ । ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଦୁଇ ଦୁଇଟି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବାପରେ ଏଭଳି ନୂଆ ନିୟମ କରାଯାଇଛି । ଛାତ୍ରୀମାନେ ମହାବିଦ୍ୟାଳୟକୁ ଦାମୀ ମୋବାଇଲ ଆଣିପାରିବେ ନାହିଁ, ସୁନା ଅଳଙ୍କାର ପିନ୍ଧି ଆସିପାରିବେ ନାହିଁ, କଲେଜ ପରିସରରେ ରିଲସ କରିବେ ନାହିଁ ଏଭଳି ୮ଟି ନିୟମକୁ ଲାଗୁ କରାଯାଇଛି। ଯେଉଁମାନେ ଏହି ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କୁ କଲେଜରୁ ବାହାର କରାଯିବ ବୋଲି ମଧ୍ୟ ନୋଟିସରେ ଉଲ୍ଲେଖ କରାଯାଇଛି । ସେପଟେ ଏଭଳି ନୂଆ ନିୟମକୁ ସ୍ବାଗତ କରିବା ସହିତ ଏହାର ଅନୁପାଳନ କରିବେ ବୋଲି କହିଛନ୍ତି ଛାତ୍ରୀମାନେ ।
ବ୍ରହ୍ମପୁର ଶଶିଭୂଷଣ ରଥ ସରକାରୀ ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ଭିଡିଓ ଭାଇରାଲ୍ ପରେ କଠୋର ହୋଇଛନ୍ତି କଲେଜ କର୍ତ୍ତୃପକ୍ଷ । ମହାବିଦ୍ୟାଳୟର ୬ ମହଲା କୋଠା ଉପରେ ରହି କିଛି ଛାତ୍ରୀ ବିପଦଜନକ ରିଲସ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଏହାର କିଛି ଘଣ୍ଟା ପରେ ମହାବିଦ୍ୟାଳୟର ୟୁନିଫର୍ମ ପିନ୍ଧିଥିବା ଯୁକ୍ତ ଦୁଇର ଦୁଇ ଜଣ ଛାତ୍ରୀ ଧୁମ୍ରପାନ କରୁଥିବା ଭିଡିଓ ମଧ୍ୟ ଭାଇରଲ ହୋଇଥିଲା । ଆଉ ଏହି ଦୁଇଟି ଭିଡିଓ ସାମ୍ନାକୁ ଆସିବା ପରେ ଏହାର ତଦନ୍ତ କରିବା ସହ ଛାତ୍ରୀମାନଙ୍କ ପାଇଁ ୮ଟି ନୂଆ ନିୟମକୁ ଲାଗୁ କରିଛନ୍ତି କଲେଜର ଅଧ୍ୟକ୍ଷ । ଏହି ନିୟମଗୁଡ଼ିକ ହେଲା ମହାବିଦ୍ୟାଳୟକୁ ଆସୁଥିବା ଛାତ୍ରୀମାନେ ଦାମୀ ମୋବାଇଲ ଆଣିବେ ନାହିଁ, ସୁନା ଅଳଙ୍କାର ପିନ୍ଧି କଲେଜକୁ ଆସିବେ ନାହିଁ, କଲେଜ ପରିସରରେ ରିଲ୍ସ କରିବେ ନାହିଁ, ଜନ୍ମଦିନ ପାଳନ କରିବେ ନାହିଁ, କଲେଜ ଛାତ ଉପରକୁ ଚଢ଼ିବେ ନାହିଁ, କଲେଜକୁ ବଦନାମ କରୁଥିବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ । ଯେଉଁମାନେ ଏହି ୮ଟି ନିୟମକୁ ପାଳିବେ ନାହିଁ ସେମାନଙ୍କୁ କଲେଜରୁ ବାହାର କରି ଦିଆଯିବ ବୋଲି କହିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ।
ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବା ଦୁଇଟି ଭିଡ଼ିଓରେ ଯୁକ୍ତ ଦୁଇର ଛାତ୍ରୀ ମାନେ ରହିଛନ୍ତି । ଯେହେତୁ ସେମାନେ ନୂତନ ଭାବେ କଲେଜକୁ ଆସିଥାନ୍ତି ତେଣୁ ସେମାନେ କଲେଜର କଣ ସବୁ ନିୟମ ସେ ସମ୍ପର୍କରେ ଜାଣିନଥାନ୍ତି । ଯାହାଫଳରେ ଏଭଳି ଭୁଲ କରିଛନ୍ତି । ଆଉ ସେହି କିଛି ଛାତ୍ରୀ ମାନଙ୍କ ଭୁଲ ଯୋଗୁଁ କଲେଜ ବଦନାମ ହେଉଛି । ଏହାକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟର ଅଧ୍ୟକ୍ଷ ଯେଉଁ ନୂଆ ୮ଟି ନିୟମ ବାହାର କରିଛନ୍ତି ତାହା ସ୍ବାଗତଯୋଗ୍ୟ ବୋଲି ଛାତ୍ରୀମାନେ କହିଛନ୍ତି । ସମସ୍ତ ଛାତ୍ରୀ ମାନେ ଏହି ନିୟମକୁ ପାଳନ କରିବା ଆବଶ୍ୟକ । ଯାହାଫଳରେ କଲେଜରେ ଶୈକ୍ଷିକ ପରିବେଶ ବଜାୟ ରହିବା ସାଙ୍ଗକୁ ବିଶୃଙ୍ଖଳା ସୃଷ୍ଟି ହେବ ନାହିଁ । ଅଧ୍ୟକ୍ଷଙ୍କ ପକ୍ଷରୁ ଜାରୀ କରାଯାଇଥିବା ସମସ୍ତ ନିୟମକୁ ପାଳନ କରିବେ ବୋଲି ମଧ୍ୟ କହିଛନ୍ତି ମହାବିଦ୍ୟାଳୟର ଛାତ୍ରୀ ।