ମହିଳା ମାନଙ୍କ ସାମାଜିକ ଭାଗିଦାରୀ ମାଧ୍ୟମରେ ହିଁ ସମାଜର ପ୍ରକୃତ ବିକାଶ ହୋଇ ପାରିବ : ସସ୍ମିତା ଦାସ
ଅସ୍ତରଙ୍ଗ : ସାମାଜିକ ଅନୁଷ୍ଠାନ ମଦର ତରଫରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତ ଠାରେ ନାରୀ ଶକ୍ତି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି | ଏହି କାର୍ଯ୍ୟକ୍ରମରେ ସମାଜର ତୃଣମୂଳ ସ୍ତରରେ କାମ କରୁଥିବା ତଥା ବିଶେଷ କରି ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଅଞ୍ଚଳର 5 ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ସାହିତ୍ୟିକା, ସମାଜସେବୀ ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ସସ୍ମିତା ଦାସ ଯୋଗ ଦେଇଥିଲେ | ଚାରା ରୋପଣ ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ମୁଖ୍ୟ ଅତିଥି ସସ୍ମିତା ଦାସ କହିଥିଲେ କି ‘ ମହିଳା ମାନଙ୍କ ସାମାଜିକ ଭାଗିଦାରୀ ମାଧ୍ୟମରେ ହିଁ ସମାଜର ପ୍ରକୃତ ବିକାଶ ହୋଇ ପାରିବ | ଯେତେବେଳେ ଗାଁ ଗହଳିର ସାଧାରଣ ମହିଳା ଟିଏ ରାସ୍ତାକୁ ପାଦ କାଢ଼େ ସେତେବେଳେ ସେ ପାଲଟି ଯାଇଥାଏ ଅନ୍ୟମାନଙ୍କ ପାଇଁ ପ୍ରେରଣା | ତାର ସେ ତ୍ୟାଗ, କର୍ମ ପ୍ରବଣତା ଓ ସେବା ମନୋଭାବ ତାର ପାରିପାର୍ଶିକ ପରିସ୍ଥିତିକୁ କରିଥାଏ ସୁସ୍ଥ, ସୁନ୍ଦର ଓ ସଶକ୍ତ |
ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ, ପରିବେଶବିତ ଶୁଭକର ଭାଇ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ |
ଅସ୍ତରଙ୍ଗ ବ୍ଳକ ଉପକୂଳ ମହିଳା ମହାସଂଘର ସଭାନେତ୍ରୀ ବନପ୍ରିୟା ବାରିକ, ଛୁରିଅନା ମହିଳା ମହାସଂଘର ସଭାନେତ୍ରୀ ମଞ୍ଜୁଲତା ମଲ୍ଲିକ, MBK ଦ୍ରୌପଦୀ ବେହେରା, ଶ୍ରୀବନ୍ତପୁର CRP ରଶ୍ମିତା ନାୟକ, ଗୁଣ୍ଡଳବାର ଆଶା କର୍ମୀ ଚାରୂଲତା ବିଶ୍ୱାଳଙ୍କୁ ଉତ୍ତରୀୟ, ସମ୍ମାନ ଫଳକ ପ୍ରଦାନ ପୂର୍ବକ ସମ୍ଵର୍ଦ୍ଧିତ କରାଯାଇଥିଲା |
ସାମାଜିକ ମଦର ଅନୁଷ୍ଠାନ ପକ୍ଷରୁ ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ତୃଣମୂଳ ସ୍ତରରେ କାମ କରୁଥିବା ମହିଳା ମାନଙ୍କୁ ଉତ୍ସାହିତ କରିବା ପାଇଁ ନାରୀ ଶକ୍ତି ସମ୍ମାନରେ ସମ୍ମାନିତ କରାଯାଉଅଛି |