ମଧୁସୂଦନ ୱାକର୍ସ କ୍ଳବ୍ ପକ୍ଷରୁ ମଧୁ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଆଜି ପୋଖରୀପୁଟ ସ୍ଥିତ ମଧୁସୂଦନ ଦାସ ପାର୍କ ପରିସରରେ ମଧୁସୂଦନ ୱାକର୍ସ କ୍ଳବ୍ ପକ୍ଷରୁ ମଧୁ ଜୟନ୍ତୀ ସମାରୋହ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି । ଏଥିପାଇଁ ପୂର୍ବ ପ୍ରସ୍ତୁତି ସହ ସକାଳ ଛଅଟାରୁ ପ୍ରାତଃ ଭ୍ରମଣକାରୀ ଦଳ ଓ ମଧୁସୂଦନ ୱାକର୍ସ କ୍ଲବ୍ ସଦସ୍ୟମାନେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପାର୍କ ପରିସରରେ ପରିକ୍ରମା କରିଥିଲେ । ଏହାପରେ ପତଞ୍ଜଳି ଯୋଗକେନ୍ଦ୍ର ରାଧାକୃଷ୍ଣ ଶାଖା ପକ୍ଷରୁ ଆୟୋଜିତ ସାମୁହିକ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ସମସ୍ତେ ଅଂଶଗ୍ରହଣ କରିଥିଲେ । ମାମି ମମତା ମହାନ୍ତିଙ୍କ ମାର୍ଗ ଦର୍ଶନରେ ଆସନ, ପ୍ରାଣାୟମ, ସୂର୍ଯ୍ୟ ନମସ୍କାର ଆଦି ଅଭ୍ୟାସ କରାଯାଇଥିଲା। ଏହା ସହିତ ଭାଷାଭିତ୍ତିକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଧୁବାବୁଙ୍କ ତ୍ୟାଗ ଓ ଓଡ଼ିଆ ଭାଷାଭାଷୀ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଏକାଠି କରିବାରେ ତାଙ୍କର ଭୂମିକା ଉପରେ ଆଲୋଚନା ହୋଇଥିଲା । ୱାକର୍ସ କ୍ଳବ୍ ଆବାହକ ବାଲ୍ମିକୀ ପାତ୍ର ମଧୁବାବୁଙ୍କ ବିଷୟରେ ସମସ୍ତ ଓଡ଼ିଆମାନେ ଅବଗତ ହେବା ସହ ଓଡ଼ିଶା ପ୍ରତି ତାଙ୍କର ରହିଥିବା ଅବଦାନ ବିଷୟରେ ସମସ୍ତ ପିଲାଙ୍କ ପାଖରେ ଜ୍ଞାନ ରହିବା ଆବଶ୍ୟକ ବୋଲି କହିଥିଲେ । ଅଧ୍ୟାପକ ମହେନ୍ଦ୍ର ଜେନା ଇଂରେଜ ସରକାରଙ୍କ କବଳରୁ ଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ନିମନ୍ତେ କରିଥିବା ନ୍ୟାୟିକ ଲଢ଼େଇ ଉପରେ ଆଲୋକପାତ କରିଥିଲେ ଏଵଂ ଏଥିରେ ମଧୁବାବୁଙ୍କର ହୋଇଥିବା ଐତିହାସିକ ବିଜୟ ଉପରେ ସମ୍ୟକ୍ ଧାରଣା ଦେଇଥିଲେ । ମଧୁବାବୁ ରଚନା କରିଥିବା ଆହ୍ଵାନମୂଳକ କବିତା ଗୁଡ଼ିକରେ ଓଡ଼ିଆମାନେ ଦିନେ ଗଙ୍ଗାଠାରୁ ଗୋଦାବରୀ ଯାଏଁ ଜୟଲାଭ କରି ଏକ ବିଶାଳ କଳିଙ୍ଗ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିବାର ଇତିହାସ ଥିଲାବେଳେ ଆଜିର ଓଡ଼ିଶା ପୂର୍ଣ୍ଣାଙ୍ଗ ହୋଇ ପାରିନାହିଁ କହି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବ ନୌସୈନିକ ଦୀନବନ୍ଧୁ ଷଡ଼ଙ୍ଗୀ। କାର୍ଯ୍ୟକ୍ରମ ଶେଷରେ ଲଳିତ ନାରାୟଣ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ପାତ୍ର, ସୋନୁ ଦାଶ, ହରିବନ୍ଧୁ ପ୍ରହରାଜ, ସୁନୀଲ ବିଶ୍ବାଳ, ପ୍ରଦୀପ ପଣ୍ଡା, ଶିବ ନାରାୟଣ ବାରିକ୍ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *