ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଗୁଆ ଜାମିନ ଦେବାକୁ ମନା

କଟକ : ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ବାଲୁଗାଁ ଥାନାରେ ଆଇପିସିର ଦଫା ୩୪୧, ୨୯୪, ୩୨୩, ୫୦୬, ୩୪ ସହିତ ଏସ୍‌ସି ଆଣ୍ଡ ଏସ୍‌ଟି(ପିଏ) ଆଇନର ଧାରା ୩(୧)(ଆର)(ଏସ)ରେ ରୁଜୁ ମାମଲାରେ ଶ୍ରୀ ଜଗଦ୍ଦେବ ଦାୟର କରିଥିବା ଆଗୁଆ ଜାମିନ ଆବେଦନର ଆଜି ଜଷ୍ଟିସ୍‌ ଶତ୍ରୁଘନ ପୂଜାହାରୀଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। ଏସ୍‌ସି ଆଣ୍ଡ୍‌ ଏସ୍‌ଟି(ପିଏ) ଆଇନର ଧାରା ୧୮ରେ ରହିଥିବା କଟକଣାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଶ୍ରୀ ଜଗଦ୍ଦେବଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଛନ୍ତି। ଅନ୍ୟପକ୍ଷରେ ଶୁଣାଣି ସମୟରେ ଶ୍ରୀ ଜଗଦ୍ଦେବଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଅକ୍ଟୋବର ୮ରେ ସେ ନିମ୍ନଅଦାଲତରେ ଆତ୍ମସମର୍ପଣ କରି ଜାମିନ ପାଇଁ ଆବେଦନ କରିବାକୁ ଚାହାନ୍ତି। ଏଭଳି ଯୁକ୍ତିକୁ ବିଚାରକୁ ନେଇ ହାଇକୋର୍ଟ କହିଛନ୍ତି ଯେ ଯଦି ଆବେଦନକାରୀ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରନ୍ତି ତେବେ ସେହିଦିନ ତାଙ୍କ ଜାମିନ ଆବେଦନର ଶୁଣାଣି ‌ଶେଷ କରାଯାଇ ରାୟ ପ୍ରକାଶ କରାଯିବ। ଏତଲାକାରୀ-ପୀଡ଼ିତଙ୍କୁ ପକ୍ଷ ରଖିବାକୁ ନିମ୍ନ ଅଦାଲତ ସୁଯୋଗ ଦେବେ। ଏଥିସହିତ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ଜାମିନ ଆବେଦନ ଶୁଣାଣିଦିନ ନିମ୍ନ ଅଦାଲତରେ ଅପ୍ ଟୁ ଡେଟ୍ କେସ୍ ଡାଏରି ଦାଖଲ କରିବେ। ଯଦି ତଦନ୍ତକାରୀ ଅଧିକାରୀ କେସ୍ ଡାଏରି ଦାଖଲ ନ କରନ୍ତି ତେବେ ଏତଲାରେ ରହିଥିବା ଅଭିଯୋଗ ଆଧାରରେ ନିମ୍ନ ଅଦାଲତ ଜାମିନ ଆବେଦନର ଶୁଣାଣି କରି ରାୟ ପ୍ରକାଶ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ହାଇକୋର୍ଟ ଶ୍ରୀ ଜଗଦ୍ଦେବଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ବାଲୁଗାଁ ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ବିଜେପି କର୍ମୀଙ୍କୁ ମାଡ଼ ମାରିବା ଘଟଣା ପରେ ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା। ତାଙ୍କ ବିରୋଧରେ ବାଲୁଗାଁ ଥାନାରେ ଏତଲା ରୁଜୁ କରାଯିବା ପରେ ଶ୍ରୀ ଜଗଦ୍ଦେବ ଆଗୁଆ ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *