ଆସନ୍ତା ନଭେମ୍ବର ୮ରୁ ୧୭ ପର୍ଯ୍ୟନ୍ତ ୨୭ତମ କଳିଙ୍ଗ ପୁସ୍ତକ ମେଳା

ଭୁବନେଶ୍ୱର: ୨୭ ତମ କଳିଙ୍ଗ ପୁସ୍ତକ ମେଳା ଚଳିତ ବର୍ଷ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ | ରାଜଧାନୀର ୟୁନିଟ ୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବାକୁ ଥିବା ଏହି ୧୦ ଦିନିଆ ପୁସ୍ତକ ପର୍ବରେ ରାଜ୍ୟ ତଥା ଦେଶର ୨୦୦ରୁ ଉର୍ଦ୍ଧ ଅଗ୍ରଣୀ ପ୍ରକାଶନୀ ସଂସ୍ଥାଙ୍କ ସହ ବହୁ ସଂଖ୍ୟାରେ ପୁସ୍ତକ ବିତରକ, ବିକ୍ରେତା ଏବଂ ଶିକ୍ଷାନୁଷ୍ଠାନ ସମ୍ବନ୍ଧୀୟ ଅନୁଷ୍ଠାନମାନ ଅଂଶଗ୍ରହଣ କରିବେ | ତା ସହ ପୁସ୍ତକ ମେଳା ମଞ୍ଚରେ ସାହିତ୍ୟ ତଥା ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମମାନ ଆୟୋଜନ ହେବ | ଏହି ଅବସରରେ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଲେଖକ/ଲେଖିକା, ସାରସ୍ୱତ ଜଗତ ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନେ, ବୁଦ୍ଧିଜୀବୀ, ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଏବଂ ବହୁ ସଂଖ୍ୟାରେ ପୁସ୍ତକ ପ୍ରେମୀ ଯୋଗ ଦେବେ | ସନ୍ଧ୍ୟାରେ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନ ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ସନ୍ଧ୍ୟାରେ ପୁରସ୍କାର ବିତରଣ କରାଯିବ |

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆକର୍ଷଣୀୟ ପ୍ରତିଯୋଗିତାମାନ ଆୟୋଜନ କରାଯିବ | ନର୍ସରୀ ଠାରୁ ଆରମ୍ଭ କରି ସ୍ନାତକତ୍ତୋର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ବକୃତା, ସାଧାରଣ ଜ୍ଞାନ, କୌତୁକିଆ ପୋଷାକ ପରି ପ୍ରତିଯୋଗିତା ଆୟୋଜନ କରାଯିବ | ପ୍ରତ୍ୟେକ ଦିନ ଅପରାହ୍ନ ୪ ଘଟିକା ଠାରୁ ରାତି ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜିତ ହେବ | ଏନେଇ ଆସନ୍ତା ଅକ୍ଟୋବର ୨୫ ତାରିଖ ଠାରୁ ପୁସ୍ତକମେଳା କାର୍ଯ୍ୟାଳୟ ଠାରେ ନାମ ପଞ୍ଜିକରଣ ଆରମ୍ଭ ହେବ |

ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ଓଡ଼ିଆ ସାହିତ୍ୟର ୧୦ ଗୋଟି ବିଭାଗ ଯଥା, ପ୍ରବନ୍ଧ, ଉପନ୍ୟାସ, ନାଟକ, ଧର୍ମ, ଶିଶୁ ସାହିତ୍ୟ, କବିତା, ଗଳ୍ପ, ବିଜ୍ଞାନ, ଅନୁବାଦରେ ଶ୍ରେଷ୍ଠ ବିବେଚିତ ପୁସ୍ତକକୁ ପୂର୍ଣ୍ଣନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ମଞ୍ଚରେ କଳିଙ୍ଗ ପୁସ୍ତକ ମେଳା ସମ୍ମାନ ୨୦୨୪ରେ ସମ୍ମାନିତ କରାଯିବ | ଏନେଇ ଆଗ୍ରହୀ ଲେଖକ/ଲେଖିକା, ପ୍ରକାଶନୀ ସଂସ୍ଥାଙ୍କ ଠାରୁ ପୁସ୍ତକ ଆହ୍ୱାନ କରାଯାଇଛି |

୨୭ ବର୍ଷରେ ପଦାର୍ପଣ କରିଥିବା ଏହି ସୁନାମଧନ୍ୟ ଅନୁଷ୍ଠାନର ସାରସ୍ୱତ, ସାଂସ୍କୃତିକ ମହାମିଳନର ପର୍ବ ୨୭ ତମ କଳିଙ୍ଗ ପୁସ୍ତକ ମେଳା ରାଜଧାନୀର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ |

ପୁସ୍ତକ ମେଳାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ପ୍ରକାଶନୀ ସଂସ୍ଥା, ପୁସ୍ତକ ବିତରକ, ବିକ୍ରେତା, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନେ ପ୍ଲଟ ନମ୍ବର – ୧୦/ଏ, ଷ୍ଟେସନ ସ୍କୋୟାର, ଖାରବେଳ ନଗର, ଭୁବନେଶ୍ୱର ଠିକଣାରେ ସାକ୍ଷାତ କରି କିମ୍ବା ୯୯୩୭୪୫୨୨୦୯, ୭୯୭୮୬୩୧୯୨୦ ନମ୍ବରରେ ଯୋଗାଯୋଗ କରି ଷ୍ଟଲ ବୁକିଂ କରିପାରିବେ | ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ପୁସ୍ତକ ମେଳା କମିଟି ପକ୍ଷରୁ ସୂଚନା ଦିଆଯାଇଅଛି | ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ପୁସ୍ତକ ମେଳା କମିଟିର ସମ୍ପାଦିକା ରେଣୁକା ମିଶ୍ର, ଉପ-ସଭାପତି ଅଞ୍ଜଳୀ ତ୍ରିପାଠୀ ବରିଷ୍ଠ ସଦସ୍ୟ କାନନ ବାଲା ପଟ୍ଟନାୟକ ଉପସ୍ଥିତ ଥିଲେ | ସୂଚନାଯୋଗ୍ୟ ଯେ, କଳିଙ୍ଗ ପୁସ୍ତକ ମେଳା ହେଉଛି ଦେଶର ଏକମାତ୍ର ପୁସ୍ତକ ମେଳା ଯାହା କି କେବଳ ମହିଳା ମାନଙ୍କ ଦ୍ୱାରା ପରିଚାଳିତ ହୋଇ ଆସୁଅଛି |

Leave a Reply

Your email address will not be published. Required fields are marked *