କ୍ୟୁଟି କିଡ଼ସ ପ୍ଲେ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ ପାଳନ
ଚାପମୁକ୍ତ ବାତାବରଣରେ ପାଠ ପଢା ପାଇଁ ପରାମର୍ଶ ଦେଲେ ଅତିଥିଗଣ
ଭୁବନେଶ୍ୱର: କ୍ୟୁଟି କିଡ଼ସ ପ୍ଲେ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଭି.ଆଇ.ପି. କଲୋନୀ ସ୍ଥିତ ଶତାବ୍ଦୀର କଳାକାର ଥିଏଟରର ସଭାଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଅଛି | ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇଟିକିଲି ମିଟିକିଲିର ପ୍ରତିଷ୍ଠାତା ସମ୍ପାଦକ ଶରତ ନାୟକ, CCWSDର ସମ୍ପାଦକ ତଥା BSOGPର ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସଦ ଆଚାର୍ଯ୍ୟ, ରୋଟାରୀଆନ ଡ଼.ରେଖା ଦାସ, ପ୍ରମୟ ନିୟୁଜ7ର ବରିଷ୍ଠ ପ୍ରୋଗ୍ରାମ ପ୍ରଡ୍ୟୁସର ଡ଼ ତପସ୍ୱିନୀ ପଟନାୟକ, ଜୟମାଳା ସୋସିଓ କଲଚରାଲ ଟ୍ରଷ୍ଟର ଫାଉଣ୍ଡର ତଥା ଓଡିଶା ହାଇକୋର୍ଟର ଆଇନୀଜୀବୀ ରିତା ଶତପଥୀ, ତ୍ରିଧାରାର ନିର୍ଦ୍ଦେଶକ ତଥା ଓଡିଶୀ ନୃତ୍ୟ ଗୁରୁ ଡ଼ ଗଜେନ୍ଦ୍ର କୁମାର ପଣ୍ଡା, ନୃତ୍ୟଞ୍ଜଳିର ପ୍ରତିଷ୍ଠାତା ତଥା ଓଡିଶୀ ନୃତ୍ୟଗୁରୁ ଶ୍ରୀ ପୁଷ୍ପରଞ୍ଜନ ମଙ୍ଗରାଜ, ଲେଖିକା, କବି ତଥା ମିଡ଼ିଆ ବ୍ୟକ୍ତିତ୍ୱ କଳ୍ପନା ମିଶ୍ର ଉପସ୍ଥିତ ଥିଲେ | କ୍ୟୁଟି କିଡ଼ସ ପ୍ଲେ ସ୍କୁଲର ପ୍ରତିଷ୍ଠାତା ତଥା ପ୍ରିନ୍ସିପାଲ ସଂଯୁକ୍ତା ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ଅତିଥି ମାନଙ୍କୁ ଆନୁଷ୍ଠାନିକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ | ବାର୍ଷିକ ଉତ୍ସବ ପୂର୍ବ ପ୍ରସ୍ତୁତିରେ ଆୟୋଜିତ ହୋଇଥିବା ଆନ୍ତ-ବିଦ୍ୟାଳୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରାୟ ୫ ଶହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା | ପରେ କ୍ୟୁଟି କିଡ଼ସ ପ୍ଲେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ସଂଗୀତ, ନୃତ୍ୟ, କୌତୁକିଆ ପୋଷାକ, ଆବୃତି, ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା |
ଏଭଳି ବାର୍ଷିକ ଉତ୍ସବ ଅବସରରେ ଏମିତି ଭାବେ କୁନିକୁନି ପିଲାମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଥିବାରୁ ଅତିଥି ମାନେ କ୍ୟୁଟି କିଡ଼ସ ପ୍ଲେ ସ୍କୁଲର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ | ତା ସହ ଅତିଥି ମାନେ ପିଲା ମାନଙ୍କୁ କିଭଳି ଅନୁଶାସନ ସହ ପାଠ ପଢି ଜୀବନର ଲକ୍ଷ୍ୟ ପଥରେ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ | ଉପସ୍ଥିତ ଅବିଭାବକ ମାନଙ୍କୁ ପିଲାମାନଙ୍କ ଉପରେ ଚାପ ପ୍ରୟୋଗ ନକରି ଏକ ସୁସ୍ଥ ଓ ହସ ଖୁସିର ବାତାବରଣ ମଧ୍ୟରେ ପାଠ ପଢ଼ିବାକୁ ଉଦ୍ୟମ କରିବା ଉପରେ ପରାମର୍ଶ ଦେଇଥିଲେ | କ୍ୟୁଟି କିଡ଼ସ ପ୍ଲେ ସ୍କୁଲର କର୍ମକର୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବା ବେଳେ ଅସ୍ୟୁକ୍ତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ |