ସ୍ୱର୍ଗୀୟ ଗୁରୁ ଚରଣ ଜେନାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା
ଭୁବନେଶ୍ୱର : ସମାଜସେବା, ରାଷ୍ଟ୍ରନିଷ୍ଠା ଓ ମାନବୀୟ ମୂଲ୍ୟବୋଧକୁ ନିଜ ଜୀବନର ଆଦର୍ଶ ଭାବେ ଗ୍ରହଣ କରିଥିବା ସ୍ୱର୍ଗୀୟ ଗୁରୁ ଚରଣ ଜେନାଙ୍କ ପବିତ୍ର ସ୍ମୃତିରେ ଜନମଙ୍ଗଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଗତ ସନ୍ଧ୍ୟାରେ ବିଧାନସଭା ସମ୍ମୁଖସ୍ଥ ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଯାଇଛି।
ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶ୍ୱ ହିନ୍ଦୁ ପରିଷଦ, ଭୁବନେଶ୍ୱର ମହାନଗର ଜିଲ୍ଲାର ସଭାପତି ଶ୍ରୀ ପ୍ରଦୀପ ଚନ୍ଦ୍ର ମହାନ୍ତି ଦୀପ ପ୍ରଜ୍ୱଳନ କରି ସ୍ୱର୍ଗତ ଗୁରୁ ଚରଣ ଜେନାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ନିଜ ଅଭିଭାଷଣରେ ସେ ଗୁରୁ ଭାଇଙ୍କର ସମାଜ ପ୍ରତି ନିଷ୍ଠା, ରାଷ୍ଟ୍ର ପ୍ରତି ସମର୍ପଣ ଏବଂ ବିଶ୍ୱ ହିନ୍ଦୁ ପରିଷଦର ଜଣେ ସମର୍ପିତ କାର୍ଯ୍ୟକର୍ତ୍ତା ଭାବେ ତାଙ୍କର କର୍ତ୍ତବ୍ୟନିଷ୍ଠ କାର୍ଯ୍ୟଶୈଳୀକୁ ସ୍ମରଣ କରିଥିଲେ। ସ୍ୱର୍ଗତ ଗୁରୁ ଭାଇଙ୍କୁ ଜଣେ ଅମାୟିକ, ସରଳ, ଆତ୍ମୀୟତାସମ୍ପନ୍ନ ଏବଂ ସମର୍ପିତ ସ୍ୱୟଂସେବକ ଭାବେ ବର୍ଣ୍ଣନା କରି ଶ୍ରୀ ମହାନ୍ତି କହିଥିଲେ ଯେ, ତାଙ୍କର ନିଷ୍ଠା ଓ ସ୍ନେହଭରା ବ୍ୟକ୍ତିତ୍ୱ ସମସ୍ତଙ୍କ ହୃଦୟରେ ଚିରଦିନ ଜୀବନ୍ତ ରହିବ। ତାଙ୍କ ଜୀବନ ଓ କର୍ମ ଆଗାମୀ ପୀଢ଼ିକୁ ସେବା, ସମର୍ପଣ ଓ ରାଷ୍ଟ୍ରପ୍ରେମର ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଜନମଙ୍ଗଳ ପକ୍ଷରୁ ଶ୍ରୀ ମିଲନ କୁମାର ପ୍ରଧାନ ଗୁରୁ ଭାଇଙ୍କ ସହ ଭୁବନେଶ୍ୱରସ୍ଥିତ କାୟାକଳ୍ପ ଆଶ୍ରମରେ ହୋଇଥିବା ପ୍ରଥମ ସାକ୍ଷାତ ଏବଂ ସେହି ସାକ୍ଷାତ ତାଙ୍କୁ କିପରି ପ୍ରଭାବିତ କରିଥିଲା, ସେ ସମ୍ପର୍କରେ ଭାବୁକତାପୂର୍ଣ୍ଣ ସ୍ମୃତିଚାରଣ କରିଥିଲେ।
ସଭାରେ ଉପସ୍ଥିତ ବକ୍ତା ଓ ଅତିଥିମାନେ ସ୍ୱର୍ଗତ ଗୁରୁ ଭାଇଙ୍କ ଜୀବନ ଆଦର୍ଶ, ସମାଜ ପ୍ରତି ତାଙ୍କର ଅବଦାନ ଏବଂ ଅମାୟିକ ବ୍ୟକ୍ତିତ୍ୱକୁ ସ୍ମରଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅବିଭକ୍ତ ସାଧାରଣ ବର୍ଗର ଆବାହକ ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ, ଯୋଗ ଓ ଆୟୁର୍ବେଦର ପ୍ରଚାରକ ଡଃ ସତ୍ୟ ରଞ୍ଜନ ଜେନା, ସମାଜସେବୀ ଶତୃଘ୍ନ ପଣ୍ଡା, ଉପେନ୍ଦ୍ର କୁମାର ପଟ୍ଟନାୟକ, ସୌମ୍ୟ ରଞ୍ଜନ ମହାନ୍ତି, ମହେଶ କୁମାର ପଣ୍ଡା, ଅବିନାଶ ଦାସ, ଶିବ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଗୁରୁ ଭାଇଙ୍କ ସ୍ମୃତିଚାରଣ କରିଥିଲେ।
“ଗୁରୁ ଭାଇଙ୍କ ଶରୀର ଆମ ମଧ୍ୟରେ ନାହିଁ, କିନ୍ତୁ ତାଙ୍କର ଆଦର୍ଶ, ସେବା ଓ ଆତ୍ମୀୟତାର ସ୍ମୃତି ସବୁଦିନ ଆମ ହୃଦୟରେ ଅମର ରହିବ।” ବୋଲି ସମସ୍ତେ ଏକ ସ୍ୱରରେ ସ୍ବୀକାର କରିଥିଲେ ।
ସଭା ଶେଷରେ ଉପସ୍ଥିତ ସମସ୍ତେ ଦିବଂଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ।