ଚିତ୍ରଟିଏର ପ୍ରଶଂସା ଜଣେ ଶିଳ୍ପୀ ପାଇଁ ସବୁଠାରୁ ବଡ ଉପଲବ୍ଧି : ଶିବାନୀ
ଭୁବନେଶ୍ୱର: ନାରୀ ଟିଏ ସୃଜନତାର ଅଭିନବ ସ୍ଵାକ୍ଷର | ସେ ଜୀବନ ହେଉ ବା କଳା | ସବୁଠି ଛାଡ଼ିଥାଏ ସେ ନିଜ ଅଭିନବ ସୃଜନର ଛାପ | ସେମିତି ଜଣେ ମହିଳା ହେଲେ ଶିବାନୀ ନାୟକ | ଗୃହିଣୀରୁ କର୍ମଜୀବି ଏବଂ ପରେ ଚିତ୍ରଶିଳ୍ପୀ | ସବୁଥିରେ ସେ ସିଦ୍ଧହସ୍ତା | ଫେବୃଆରୀ 1 ତାରିଖରୁ 3 ତାରିଖ ପର୍ଯ୍ୟନ୍ତ ଜୟଦେବ ଭବନ ଠାରେ ହୋଇଥିବା ଏକକ ଚିତ୍ରକଳା ପ୍ରଦର୍ଶନୀରେ ଯେଉଁମାନେ ଶିବାନୀଙ୍କ ହାତ ଅଙ୍କା ଚିତ୍ର ସବୁ ଦେଖିଥିବେ ସେମାନେ ନିଶ୍ଚୟ ମାନିବେ ତାଙ୍କ ହାତର ଯାଦୁଗରୀ କଳାକୁ | ଆଧ୍ୟାତ୍ମିକବାଦ ଠାରୁ ଆରମ୍ଭ କରି ଆଧୁନିକତା ପର୍ଯ୍ୟନ୍ତ, ନାରୀ ମନ ତଳର ଅକୁହା କଥା ଠାରୁ ନେଇ ସାମାଜିକ ଜନ ଜୀବନର ଚଳଣୀ ପର୍ଯ୍ୟନ୍ତ ସବୁ କିଛି ନିଖୁଣ ଭାବରେ ଫୁଟି ଉଠିଛି ତାଙ୍କ ଚିତ୍ରରେ | ବୁଦ୍ଧଙ୍କର ଧ୍ୟାନମଗ୍ନ ହେଉ ବା ନାରୀକୁ ପୁଷ୍ପ ସହ ତୁଳନା ହେଉ ଅବା ପ୍ରେମର ପ୍ରତୀକ ରାଧା କୃଷ୍ଣଙ୍କ ଅବତାର ହେଉ, ସମସ୍ତ ଭାବନାକୁ ସେ ତାଙ୍କର ଚିତ୍ରକଳା ସାହାଯ୍ୟରେ ଜୀବିତ କରାଇଛନ୍ତି | ତାଙ୍କ ତୂଳୀର ସ୍ପର୍ଶ ପାଇଁ ରଙ୍ଗ ସବୁ ଯେମିତି ପାଲଟି ଯାଇଛନ୍ତି ଜୀବନର ପ୍ରତିଛବିର ଗୋଟେ ଗୋଟେ କାହାଣୀ | ଚିତ୍ର ଗୁଡିକ ଖୁବ ମନଛୁଆଁ ହୋଇଛି ବୋଲି ଦର୍ଶକ ମଧ୍ୟ କରିଛନ୍ତି ବେଶ ପ୍ରଶଂସା | ଏତିକି ତ ଜଣେ ଶିଳ୍ପୀ ଜୀବନର ସବୁଠାରୁ ବଡ ଉପଲବ୍ଧି ବୋଲି ହସି କୁହନ୍ତି ଶିବାନୀ | 2008 ମସିହାରେ ପ୍ରଥମେ ତୁଳି ଧରି ଆଙ୍କିବା ଶିଖିଥିଲେ ସେ | ପରେ ଜୀବନ ଜୀବିକାର ଭିଡ ଭିତରେ ସଂସାର ପାଇଁ କିଛି ଦିନ ଦୁରେଇ ଯାଇଥିଲେ | ହେଲେ ପୁନର୍ବାର ସେ ଚିତ୍ର ଜଗତକୁ ଫେରିଲେ କରୋନା ପରେ ପରେ | ଦୀର୍ଘ ଦେଢ଼ ବର୍ଷ ଧରି ଆଙ୍କିଥିବା ପ୍ରାୟ 2 ଶହରୁ ଉର୍ଦ୍ଧ ଚିତ୍ରକଳାରୁ 51 ଟି ଚିତ୍ର ସେ ଏହି ପ୍ରଦର୍ଶନୀରେ ପ୍ରଦର୍ଶନ କରିଥିଲେ | ଯାହା ଉପସ୍ଥିତ ଅତିଥି, କଳାପ୍ରେମୀ ତଥା ସାଧାରଣ ଲୋକଙ୍କ ବେଶ ପ୍ରଶଂସା ସାଉଁଟିଥିଲା | ଚାକିରୀ କ୍ଷେତ୍ରରେ ରହି, ଘର କଥା ବୁଝି ମଧ୍ୟ ନିଜର ହାତର ସୃଜନତାକୁ ଉପଯୁକ୍ତ ମଞ୍ଚ ଦେବାପାଇଁ ନିରବିଛିନ ଭାବେ ପରିଶ୍ରମ କରିଚାଲିଥିଲେ ସେ | ଆଉ ଏହି ଚିତ୍ରକଳା କ୍ଷେତ୍ରରେ ନିଜର ଭବିଷ୍ୟତ ଗଢିବା ପାଇଁ ସେ ଦୃଢ଼ ଆଶାବାଦୀ | ଆଗାମୀ ଦିନରେ ନିଜର ଚିତ୍ରକୁ ଦେଶ ତଥା ଦେଶ ବାହାରେ ପହଞ୍ଚାଇବା ଲକ୍ଷ୍ୟରେ ସେ କାମ କରୁଛନ୍ତି ବୋଲି କୁହନ୍ତି ଶିବାନୀ |